କୋରାପୁଟ: ପୁସିଙ୍ଗ ବ୍ରିଜ ଦାବି ନେଇ ରୋଳ ରୋକ୍ । କୋରାପୁଟ ଜିଲ୍ଲାର ସଦର ମହକୁମା ବଡ ସୁକୁ ପଞ୍ଚାୟତର ଘାଟ ମୁନ୍ଦାର ଓ ତିଆଡ଼ିପୁଟ ଗ୍ରାମରେ ପୁସିଙ୍ଗ ବ୍ରିଜ ନିର୍ମାଣ କରିବା ପାଇଁ ଦାବି କରି 5 ଖଣ୍ଡ ଗ୍ରାମର ଗ୍ରାମବାସୀ ରେଳରୋକ୍ କରିଥିଲେ । ଗ୍ରାମବାସୀ ମାନେ କୋରାପୁଟ - ବିଶାଖାପାଟଣା ରେଳ ଧାରଣା ଉପରେ ଧାରଣା ଦେଇଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ ଗ୍ରାମର ଗୋଟେ ପଟେ କୋଲାବ ନଦୀ ଓ ଅନ୍ୟପଟେ ରେଳ ଲାଇନ ଯାଇଛି । ବର୍ଷା ଦିନରେ କୋଲାବ ନଦୀ ଦୁଃଖ ଦେଉଥିବା ବେଳେ ଅନ୍ୟ ପଟେ ଗ୍ରାମ ଦେଇ ଯାଇଥିବା ରେଳଲାଇନ ସେଇ ଦୁଃଖକୁ ଆହୁରି ଦ୍ଵିଗୁଣିତ କରିଦେଉଛି ।
ରେଳ ଲାଇନ ଦେଇ ପ୍ରତିଦିନ 5 ଖଣ୍ଡ ଗ୍ରାମର ଶହ ଶହ ଲୋକେ ଯାତାୟତ କରୁଛନ୍ତି । ରେଳ ଲାଇନ ପାର କରି ପାହାଡ଼କୁ ଗୋରୁଗାଈ ଚରାଇବା ଠାରୁ ଆରମ୍ଭ କରି ଲୋକମାନେ ଜମିବାଡ଼ି ଓ ଶ୍ମଶାନକୁ ଯାତାୟତ କରୁଛନ୍ତି । ଅନେକ ସମୟରେ ରେଳଲାଇନ ପାର ହେବା ସମୟରେ ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଅକାଳରେ ମଣିଷଙ୍କ ସମେତ ଗୋରୁ ଗାଈଙ୍କ ଜୀବନ ଚାଲି ଯାଉଛି । ଏ ନେଇ ଗତ ୧ ତାରିଖରେ ଉପଜିଲ୍ଲାପାଳଙ୍କ ଅଫିସରେ ମଧ୍ୟ ମିଟିଂ ହୋଇଥିଲା । ପୁସିଙ୍ଗ ବ୍ରିଜ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଯୋଗୁଁ ଶେଷରେ ଗ୍ରାମବାସୀ ଅତିଷ୍ଠ ହୋଇ ରେଳ ଲାଇନ ଉପରେ ଧାରଣା ଦେଇଥିଲେ ।