ସମ୍ବଲପୁର:ହୀରାକୁଦ ସହରରେ ଗତ 21 ତାରିଖରୁ ବ୍ୟାପୁଛି ଝାଡାବାନ୍ତି । ଅନେକ ଲୋକେ କିଛି ଦିନ ହେବ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 129 ଥିବାବେଳେ ଅଧିକାଂଶ ଲୋକ ଚିକିତ୍ସାଧୀନ ରହିଛନ୍ତି । ଏହି ପରିସ୍ଥିତିରେ ଆଜି ଉତ୍ତରାଞ୍ଚଳ ଆରଡିସି, ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ସମ୍ବଲପୁର CDMPHO ଓ ADMO ହୀରାକୁଦ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଏହି ଟିମ୍ । ଆଜି ଅପରାହ୍ନ 2 ଟାରେ RDC ଓ ଜିଲ୍ଲାପାଳ ହୀରାକୁଦ ହସ୍ପିଟାଲ ଯାଇ ରୋଗୀଙ୍କ ସହ ଆଲୋଚନା କରିବା ସହ ଚିକିତ୍ସା ସେବାର ତଦାରଖ କରିଛନ୍ତି ।
ଉତ୍ତରାଞ୍ଚଳ RDC ଶ୍ରୀକାନ୍ତ ପୃଷ୍ଟି କହିଛନ୍ତି, "କୌଣସି ଅସୁବିଧା ନାହିଁ । କିଛି ଦିନ ତଳେ ବର୍ଷା ହୋଇଥିବା କାରଣରୁ ପାଣି ପାଇପ ଫାଟି ପାନୀୟ ଜଳ ଦୂଷିତ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି । କୌଣସି ଗମ୍ଭୀର ସ୍ଥିତି ନାହିଁ, ଅଧିକାଂଶ ଲୋକ ଚିକିତ୍ସିତ ହୋଇ ଘରକୁ ଫେରି ସାରିଛନ୍ତି । ଯେଉଁ ଜଣେ ରୋଗୀଙ୍କର ଝାଡାବାନ୍ତିରେ ମୃତ୍ୟୁ ହୋଇଥିବାର ଖବର ଆସୁଛି ତାଙ୍କର ଲିଭର ଜନିତ ଅନ୍ୟ ରୋଗ ଥିବାର ଜଣାପଡିଛି । ଯେଉଁ ସ୍ଥାନରେ ପାନୀୟ ଜଳ ଦୂଷିତ ହେଉଛି ଚିହ୍ନଟ କରାଯାଇ ମରାମତି ହେଉଛି । ରୋଗୀଙ୍କ ସଂଖ୍ୟା ଆଜି କମିଛି ଓ ସ୍ଥିତି ନିୟନ୍ତ୍ରଣରେ ରହିଛି ।