ବୌଦ୍ଧ:ଜିଲ୍ଲାର ଏକମାତ୍ର ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି । ବିଭିନ୍ନ ସମସ୍ୟାକୁ ନେଇ ଆଜି ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ଧରି ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଏହାସହ ସମାଧାନ କରିବା ପାଇଁ ମଧ୍ୟ ଦାବି କରିଛନ୍ତି । ଶହଶହ ସଂଖ୍ୟାରେ ଛାତ୍ରଛାତ୍ରୀ ଏକାଠି ହୋଇ ଆନ୍ଦୋଳନ କରିଥିଲେ । ବୌଦ୍ଧ ପୋଲିସର ହସ୍ତକ୍ଷେପ ପରେ ରାସ୍ତାରୋକ ହଟାଇଥିଲେ ।
ଜିଲ୍ଲାର ଏକମାତ୍ର ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଦୀର୍ଘ ଦିନ ହେଲା ଛାତ୍ର ଅଶାନ୍ତି ଲାଗି ରହିଛି । ବୌଦ୍ଧ ଜିଲ୍ଲାର ବାମଣ୍ଡା ନିକଟରେ ରହିଛି ଜିଲ୍ଲାର ଏକମାତ୍ର ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ । ତେବେ ଏହି ମହାବିଦ୍ୟାଳୟଟି ବ୍ୟାପକ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି । ବିକ୍ଷୋଭ କରୁଥିବା ଜଣେ ଛାତ୍ର କହିଛନ୍ତି, "ମହାବିଦ୍ୟାଳୟରେ ପାନୀୟଜଳର ଉତ୍କଟ ସମସ୍ୟା ରହିଥିବା ବେଳେ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ମଧ୍ୟ ପାନୀୟଜଳର ସୁବିଧା କିମ୍ବା ବିଦ୍ୟୁତ କାଟ ସମୟରେ ଛାତ୍ରଛାତ୍ରୀ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି । ସେପଟେ ଏହି ମହାବିଦ୍ୟାଳୟ ମଧ୍ୟରେ ଅଣଛାତ୍ରଙ୍କ ଅବାଧ ପ୍ରବେଶ ଯୋଗୁଁ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଏହାଛଡା ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ହେତୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସଦାସର୍ବଦା ବିପଦ ରହୁଛି । କଲେଜ ଉପରେ ଧ୍ୟାନ ଦେବା ପାଇଁ ଆମେ ନିବେଦନ କରୁଛୁ ।"