ଓଡିଶା

odisha

ଶୁଣିଲାନି ପ୍ରଶାସନ, ବେଆଇନ ବାଲିଘାଟରୁ ମେସିନ ଜବତ କଲେ ମହିଳା

By ETV Bharat Odisha Team

Published : Mar 1, 2024, 11:41 AM IST

Illegal Sand Mining: ବାରମ୍ବାର ଅଭିଯୋଗ ସତ୍ତ୍ୱେ କର୍ଣ୍ଣପାତ କଲାନି ପ୍ରଶାସନ । ବାଧ୍ୟ ହୋଇ ଗାଁର ମହିଳାମାନେ ବେଆଇନ ବାଲିଘାଟରୁ ମେସିନ ଜବତ କରିଛନ୍ତି । ଅଧିକ ପଢ଼ନ୍ତୁ

ବେଆଇନ ବାଲିଘାଟ
ବେଆଇନ ବାଲିଘାଟ

ବେଆଇନ ବାଲିଘାଟ

ନିଆଳି: ବାରମ୍ବାର ଅଭିଯୋଗ ସତ୍ତ୍ୱେ କର୍ଣ୍ଣପାତ କଲାନି ପ୍ରଶାସନ । ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଅଭିଯୋଗ ଶୁଣିଲେନି କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଲେନାହିଁ । ଶେଷରେ ବାଧ୍ୟ ହୋଇ ଗାଁର ମହିଳାମାନେ ବେଆଇନ ବାଲିଘାଟରୁ ମେସିନ ସାହାଯ୍ୟରେ ବାଲି ଲୁଟ ସମୟରେ ମେସିନ ଜବତ କରିଛନ୍ତି ଏବଂ ପରେ ପୋଲିସ ଜିମା ଦେଇଛନ୍ତି । ଏହାସହ ତୁରନ୍ତ ବେଆଇନ ବାଲି ଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଦେବୀ ନଦୀର ପୂର୍ବ ପାରି ବଡ ଖରମଙ୍ଗା ଗ୍ରାମବାସୀ ।

ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ ଅଧିନସ୍ଥ ତଥା ଗୋବିନ୍ଦପୁର ଥାନା ଝାରପଡା ପଞ୍ଚାୟତସ୍ଥିତ ଦେବୀ ନଦୀର ପୂର୍ବ ପାରି ବଡ ଖରମଙ୍ଗା ନିକଟରୁ ବେଆଇନ ବାଲିଘାଟ ଚାଲୁଥିବା ନେଇ ସ୍ଥାନୀୟ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ । କିଛି ମାସ ହେବ ବିନା ନିଲାମରେ ଚୋରାରେ ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ ଯୋଗୁଁ ଆଗାମୀ ଦିନରେ ବଡ ଖରମଙ୍ଗା ଗାଁ ପ୍ରତି ବିପଦ ରହିଛି ବୋଲି ଆଶଙ୍କା କରି ବେଆଇନ ବାଲି ଘାଟକୁ ବିରୋଧ କରିଥିଲେ ବଡ ଖରମଙ୍ଗା ଗ୍ରାମବାସୀ । ତେବେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନାହିଁ । ପରେ ସ୍ଥାନୀୟ ଲୋକମାନେ ରାତିରେ ବେଆଇନ ବାଲିଘାଟକୁ ବିରୋଧ କରିବା ସହିତ ଦିନରେ ମଧ୍ୟ ଗ୍ରାମର ମହିଳା ଓ ପୁରୁଷମାନଙ୍କ ପକ୍ଷରୁ ବିରୋଧ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।‌

ଏହା ମଧ୍ୟ ପଢ଼ନ୍ତୁ...ଦେବୀ ନଦୀରୁ ବେଆଇନ ବାଲି ଚାଲାଣ ପାଇଁ ଚିନ୍ତାରେ ଗ୍ରାମବାସୀ, ବାଲିଘାଟ ବନ୍ଦ ପାଇଁ ଭିଡିଲେ ଅଣ୍ଟା

ଏନେଇ ଗତ ବୁଧବାର ରାତିରେ ବେଆଇନ ଭାବରେ ଦେବୀ ନଦୀର ପୂର୍ବ ପାରି ବଡ ଖରମଙ୍ଗା ନିକଟରୁ ମେସିନ ସାହାଯ୍ୟରେ ବାଲି ଉଠାଉଥିବା ସମୟରେ ସ୍ଥାନୀୟ ମହିଳାମାନେ ମେସିନକୁ ଜବତ କରିଥିବା ନେଇ ସୂଚନା ମିଳିଛି । ପରେ ଘଟଣାସ୍ଥଳରେ ଗୋବିନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଜବତ ମେସିନକୁ ନିଜ ଅକ୍ତିଆରକୁ ନେଇଥିବା ନେଇ ସ୍ଥାନୀୟ ଲୋକମାନେ କହିଛନ୍ତି । ଏହାସହ ଦେବୀ ନଦୀର ପୂର୍ବ ପାରି ବଡ ଖରମଙ୍ଗା ନିକଟରୁ ବେଆଇନ ବାଲିଘାଟ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଏହି ବେଆଇନ ବାଲିଘାଟ ଫଳରେ ନଦୀରେ ବନ୍ୟା ଆସିବା ସମୟରେ ବଡ ଖରମଙ୍ଗା ଗ୍ରାମବାସୀଙ୍କ ପାଇଁ ବିପଦ ସୃଷ୍ଟି ହେବ ବୋଲି କହିଛନ୍ତି ଲୋକେ । ଏନେଇ ମାଇନ୍ସ କିମ୍ବା ସ୍ଥାନୀୟ ପ୍ରଶାସନ ସହିତ ପ୍ରତିକ୍ରିୟା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details