କେନ୍ଦ୍ରାପଡ଼ା:ରାତି ଅଧିଆ ଚାଲିଛି ରାସ୍ତା କାମ, ଅଧିକାରୀଙ୍କୁ ପଚାରିଲେ ମିଳୁଛି ଅଜବ ଉତ୍ତର । ସରକାର ୫ଟି କଥା କହୁ ଥିବାବେଳେ ରାତି ଅଧିଆ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣକୁ ସହଜରେ ହଜମ କରିପାରି ନାହାନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ବ୍ଳକ ଚାଟରା ଚକଡ଼ା ପଞ୍ଚାୟତବାସୀ । ଏହାସହ କୌଣସି ଅଧିକାରୀ କିମ୍ବା ଠିକାଦାରଙ୍କ ଅନୁପସ୍ଥିରେ ଏହି କାର୍ଯ୍ୟ ହେଉଥିବାରୁ ଲୋକେ ସନ୍ଦେହ ପଡ଼ିଛନ୍ତି । ଏନେଇ କନିଷ୍ଠ ଯନ୍ତ୍ରୀଙ୍କୁ ପ୍ରଶ୍ନ କରିବାରୁ ସେ କୌଣସି ଉତ୍ତର ଦେଇନଥିବା ଅଭିଯୋଗ ହୋଇଛି । ଚାଟରା ଚକଡ଼ା ପଞ୍ଚାୟ ଅନ୍ତର୍ଗତ ଛତା ଛକ ଠାରୁ ବେଣୀପୁର ରାସ୍ତା ଅତି ନିମ୍ନମାନର ତିଆରି କରାଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ସୂଚନାଯୋଗ୍ୟ ଛତା ଛକ ଠାରୁ ବେଣୀପୁର ଯାଏ ପ୍ରାୟ ୧୦ କିମି ରାସ୍ତାକୁ ନିର୍ମାଣ ପାଇଁ ପ୍ରାୟ ୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ହେଲେ କିଛି ମାସ ପୂର୍ବରୁ ଏହି ରାସ୍ତା କାମ ଶେଷ ହୋଇଥିଲା । ବିଭାଗ ବଦଳିବା ପରେ ପିଚୁ ଉପରେ ପୁନଃ ପିଚୁ କାମ କରିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସେପଟେ ଅନ୍ଧାର ରାତିରେ କାମ ଚାଲୁଥିବାବେଳେ କୌଣସି ଅଧିକାରୀ ଉପସ୍ଥିତ ନ ରହିବା ଉକ୍ତ ରାସ୍ତା କାମ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ୨୦୧୮ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ତତ୍କାଳୀନ ଦିବଂଗତ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ଏହାର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ । ତେବେ ଗତ ୮ ମାସ ତଳେ ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧିନକୁ ଆସିଥିଲା । ପରେ ବିଭାଗ ଏହି ରାସ୍ତାକାମ ପାଇଁ ଟେଣ୍ଡର ପ୍ରକ୍ରିୟା କରିଥିଲା ।
ସେପଟେ ଏହି ଟେଣ୍ଡର ସ୍ଥାନୀୟ କେନ୍ଦ୍ରାପଡା ଜିଲ୍ଲାର ଶିବପ୍ରସାଦ ପରିଡା ନାମକ ଜଣେ ଠିକାଦାରଙ୍କୁ ଦିଆଯାଇଥିଲା । ଡିସେମ୍ବର ୨୯ ତାରିଖରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ପୂର୍ତ୍ତ ବିଭାଗ ଗାଇଡ଼ ଲାଇନ ଅନୁଯାୟୀ କାର୍ଯ୍ୟ ହେଉନଥିବା ଅଭିଯୋଗ ହୋଇଛି । କୌଣସି ସ୍ଥାନରେ ସୂଚନା ଫଳକ ଲାଗିନଥିବା ଦେଖିବାକୁ ମିଳିଛି । କେବଳ ସାଧାରଣ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଏହି ରାସ୍ତା କାମକୁ ତରବରିଆ ବିନା ବୈଷୟିକ ଅଧିକାରୀଙ୍କ ଉପସ୍ଥିତିରେ ରାତି ଅଧିଆ ସାରିବାକୁ ଜୋରଦାର ଚେଷ୍ଟା କରୁଛି ଠିକାଦାର ।