ETV Bharat / state

ଯମ ଯନ୍ତ୍ରଣା ଦେଉଛି ବାଘମାରୀ-ଗଣିଆ-ଦଶପଲ୍ଲା ରାସ୍ତା, ବଢୁଛି ଜନଅସନ୍ତୋଷ

author img

By ETV Bharat Odisha Team

Published : Jan 2, 2024, 1:22 PM IST

Low Quality Road Construction Allegation in Khordha: ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ଥିବା ବାଘମାରୀ-ଗଣିଆ-ଦଶପଲ୍ଲା ରାସ୍ତା ମରଣଯନ୍ତା ପାଲଟିଛି । ଠିକା ସଂସ୍ଥାର ମନମାନି କାରଣରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଥଚାରୀ । ଅଧିକ ପଢନ୍ତୁ

low grade road work in khordha
low grade road work in khordha

low grade road work in khordha

ଖୋର୍ଦ୍ଧା: ଗାଁଠାରୁ ସହର ସଂଯୋଗ ହିଁ ଗ୍ରାମାଞ୍ଚଳ ବିକାଶ ହେବ । ଏହି ମୂଳମନ୍ତ୍ର ନେଇ ଆରମ୍ଭ ହୋଇଛି କେନ୍ଦ୍ରର ପ୍ରଧାନମନ୍ତ୍ରୀ ସଡକ ଯୋଜନା । ସରକାର ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହା ସଠିକ ଢଙ୍ଗରେ କାର୍ଯ୍ୟକାରୀ ହେଉ ନଥିବା କାରଣରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଖୋର୍ଦ୍ଧା ଜିଲ୍ଲା ବାଘମାରୀ-ଗଣିଆ-ଦଶପଲ୍ଲା ରାସ୍ତା କାମରେ । ଠିକା ସଂସ୍ଥାର ମନମାନି ଯୋଗୁଁ ପଥଚାରୀଙ୍କ ପାଇଁ ରାସ୍ତା ଏବେ ଯମ ଯନ୍ତ୍ରଣା ପାଲଟିଛି । ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ସଂଖ୍ୟାରେ ଯାନବାହନ ଯାତାୟତ କରୁଥିବା ବେଳେ ଏବେ ଏହା ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି ।

ଏହି ରାସ୍ତାର ମରାମତି ପାଇଁ ବିଭାଗ ୯ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଏହାକୁ ଆସନ୍ତା ଜାନୁଆରୀ ମାସ ୧୦ ତାରିଖ ସୁଦ୍ଧା ଶେଷ କରିବା ପାଇଁ ବାଘମାରୀ ଠାରେ ଲଗାଯାଇଥିବା ଫଳକରେ ଉଲ୍ଲେଖ ରହିଛି । ଏପ୍ରିଲ ୨୦୨୩ରୁ ଏହି କାର୍ଯ୍ୟ ପାଇଁ ବେଗୁନିଆ ବିଧାୟକଙ୍କ କର କମଳରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ସେହିପରି ଏହି କାର୍ଯ୍ୟ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅଭିଷେକ ସିଂ ସାମନ୍ତଙ୍କ ନାମରେ ରହିଛି । କିନ୍ତୁ କାମ ଯେଉଁ ଢଙ୍ଗରେ କରାଯିବା କଥା ତାହା ହେଉନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ବାଘମାରୀ ଠାରୁ ପିଚୁ କାମ ପୁରା ନ ସରୁଣୁ ପିଚୁ ଉଠି ଗଲାଣି । ଏଥିସହ ବିଭିନ୍ନ ସ୍ଥାନରେ ମଧ୍ୟ ପ୍ୟାଚ ପଡ଼ିଲାଣି । ସେହିପରି ଠିକାଦାର ମାସ ମାସ ଧରି ରାସ୍ତା ଖୋଳି ଡଷ୍ଟ ମେଟାଲ ପକାଇ ଛାଡି ଦେଇଥିବା ବେଳେ ପାଣି ନ ପକାଇବା କାରଣରୁ ରାସ୍ତାରେ ଯିବା ସମ୍ଭବ ହେଉନଥିବା ଯାତ୍ରୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ସରିଲା ସମୟ ସରିପାରିଲାନି କାମ, ନିମ୍ନମାନର ରାସ୍ତା କାମ ବିରୁଦ୍ଧରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ

ଏହା ମଧ୍ୟ ପଢନ୍ତୁ- ରାସ୍ତା କାମ ୧୫ଦିନ ନପୁରୁଣୁ ଉଠିଲାଣି ପିଚୁ; ମିଳିମିଶି ଲୁଟିନେଲେ ଅଧିକାରୀ ଓ ଠିକାଦାର !

ରାସ୍ତା କାମ ନ ସରିବାରୁ ବାରମ୍ବାର ଦୁର୍ଘଟଣା ବି ଘଟୁଛି । ଯେଉଁ ମନ୍ଥର ଗତିରେ କାମ ହେଉଛି ତାହା ନିର୍ଦ୍ଧାରିତ ସମୟରେ ସରିପାରିବ ନାହିଁ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ତେବେ କୋଟି କୋଟି ଟଙ୍କାର କାମକୁ ଯେଉଁଭଳି ନିମ୍ନମାନର କରାଯାଉଛି ସେଥିରେ ପରିବର୍ତ୍ତନ କରାନଗଲେ ସ୍ଥାନୀୟ ଲୋକ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷଙ୍କୁ ଅଭିଯୋଗ କରିବେ ବୋଲି କହିଛନ୍ତି ।

ବାଘମାରୀ-ଗଣିଆ-ଦଶପଲ୍ଲା ରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡିମୋଟର ଯାତାୟାତ କରୁଥିବା ବେଳେ ଠିକାଦାରଙ୍କ ମନମାନି ପାଇଁ ଯାତ୍ରୀ ଧୂଳି ଧୁଆଁରେ ଦହଗଞ୍ଜ ହେଉଛନ୍ତି । ସେହିଭଳି ରାସ୍ତା ଖୋଳି ଏହାର ମରାମତି କରା ନଯିବା କାରଣରୁ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ସେପଟେ ଘଟଣା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କହିଛନ୍ତି ଯେ, ଆମ ନିକଟକୁ ସେଭଳି ଅଭିଯୋଗ ଆସିନି, ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଅଭିଯୋଗ ଆସିଲେ ତଦନ୍ତ କରାଯିବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.