ପୁରୀ: ପୁରୀରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ସହ କ୍ରୀଡ଼ା ଛାତ୍ରାବାସକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ପାଇଁ ଆଜି ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ପରିସରରେ ଏକ ସ୍ବତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋଡ୍ରେ ଏହି କ୍ରିକେଟ ଷ୍ଟାଡିୟମକୁ ଉଦଘାଟନ କରିଥିଲେ । ଏହା ସହିତ କ୍ରୀଡ଼ା ଛାତ୍ରାବାସର ମଧ୍ୟ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । କଟକ ବାରବାଟୀ ଷ୍ଟାଡିୟମର ରୂପାନ୍ତରଣ ପାଇଁ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମରେ ରାଜ୍ୟରେ ସମସ୍ତ ଜିଲ୍ଲାରେ ନିର୍ମାଣ ହୋଇଥିବା କ୍ରିକେଟ ଷ୍ଟାଡିୟମର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡ଼ିଶାର କ୍ରୀଡାବିତଙ୍କୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଓଡ଼ିଶା ସରକାର ସବୁବେଳେ ଉଦ୍ୟମ କରି ଆସୁଛନ୍ତି । ଏଥିପାଇଁ ଓଡ଼ିଶାର ସମସ୍ତ ଜିଲ୍ଲାରେ ଅତ୍ୟାଧୁନିକ ଷ୍ଟାଡିୟମ ସହିତ କ୍ରୀଡ଼ା ଛାତ୍ରାବାସର ବ୍ୟବସ୍ଥା କରାଯାଇଛି । ସ୍କୁଲ ସମୟରୁ ପିଲାମାନେ କିଭଳି ଭଲ କ୍ରୀଡାବିତ୍ ହେବେ, ସେନେଇ ସମସ୍ତ ପ୍ରଶିକ୍ଷଣ ମଧ୍ୟ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । କ୍ରୀଡ଼ା ଛାତ୍ରାବାସରେ ପିଲାମାନଙ୍କ ମାଗଣାରେ ରହିବା, ଖାଇବା ସହ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଉଛି ।" ଆଗାମୀ ଦିନରେ ଓଡିଶା କ୍ରୀଡ଼ା କ୍ଷେତ୍ରରେ ବହୁ ସଫଳତା ଅର୍ଜନ କରି ଦେଶ ବିଦେଶରେ ଓଡ଼ିଶାର ପିଲାମାନେ ରାଜ୍ୟର ସମ୍ମାନ ଆହୁରି ବୃଦ୍ଧି କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ବାରବାଟୀ ଷ୍ଟାଡିୟମ ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ