ଭବାନୀପାଟଣା/ଜୁନାଗଡ: ପ୍ରଥମ ପର୍ଯ୍ୟାୟରେ ଭୋଟ ଦେବେ କଳାହାଣ୍ଡି ସମେତ 4 ଜିଲ୍ଲା । ପ୍ରାର୍ଥୀ ଘୋଷଣା ପରେ ଉଷ୍ମ ହେଲାଣି କଳାହାଣ୍ଡି ରାଜନୀତି । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରି ଦେଲାଣି ତିନି ପ୍ରମୁଖ ରାଜନୈତିକ ଦଳ । କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ହେଉଛି ପଶ୍ଚିମ-ଓଡ଼ିଶାର ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ । ଦିନେ କଂଗ୍ରେସର ଗଡ଼ ଭାବରେ ପରିଚିତ ଥିବା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଏବେ ବିଜେଡିର ଗଡ ଭାବରେ ପରିଚିତ ।
ଜୁନାଗଡ଼ ବ୍ଲକର ୩୪ ଓ ଗୋଲାମୁଣ୍ଡା ବ୍ଲକର ୨୮ ଗୋଟି ପଞ୍ଚାୟତ ସମେତ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ଗଠିତ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୨୪ ହଜାର ୩୧୩ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧ ଲକ୍ଷ ୨୧ ହଜାର ୪୨୧ ଜଣ ମହିଳା ଭୋଟର ରହିଛନ୍ତି ସେହିପରି ୪୩୫ ଜଣ ନବାଗତ ଭୋଟର ଓ ୪ଜଣ ତୃତୀୟଲିଙ୍ଗୀ ଭୋଟର ରହିଥିବା ସରକାରୀ ତଥ୍ୟ କହୁଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳଙ୍କ ମଧ୍ୟ ସେତିକି ତତ୍ପରତା ପ୍ରକାଶ ପାଇଛି ।
ଘୋଷଣା ସରିଛି 3 ପ୍ରମୁଖ ଦଳର ପ୍ରାର୍ଥୀ:-ତିନି ପ୍ରମୁଖ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଏବେ ଭୋଟରକୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରି ଦେଇଛନ୍ତି । ସେପଟେ ବିଜେଡି ପକ୍ଷରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ପ୍ରାର୍ଥୀ କରି ଯାଇଛି । ଦିବ୍ୟଶଙ୍କର ଗତ ଦୁଇଟି ନିର୍ବାଚନରେ ବିଜୟ ହାସଲ କରି ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଛନ୍ତି । ସେହିପରି ବରିଷ୍ଠ ବିଜେପି ନେତା ମନୋଜ ମେହେରଙ୍କୁ ପୁଣି ଥରେ ବିଜେପିରୁ ପ୍ରାର୍ଥୀ କରାଯାଇଛି । କଂଗ୍ରେସ ନୂଆଁ ଚେହେରାକୁ ସାମ୍ନାକୁ ଆଣି ତୁଲେଶ୍ୱର ନାଏକଙ୍କୁ ପ୍ରାର୍ଥୀ କରିଛି । ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କର ମୁଖ୍ୟମନ୍ତ୍ରୀଙ୍କ ବିକାଶ ରେକର୍ଡକୁ ନେଇ ଭୋଟରଙ୍କ ପାଖକୁ ଯାଉଥିବା ବେଳେ ସେପଟେ ବିଜେପି ଓ କଂଗ୍ରେସ ନମିତା ମେହେର ହତ୍ୟାକାଣ୍ଡ ଘଟଣା ସହ ବେକାରୀ ସମସ୍ୟା ଓ ଦାଦନ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରି ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ।