ETV Bharat / state

ଓଡ଼ିଶା ନିର୍ବାଚନ 2024; ଦ୍ବିତୀୟ ପର୍ଯ୍ୟାୟରେ ପଡିଲା 67.59% ଭୋଟ, EVMରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ - Second Phase Polling

author img

By ETV Bharat Odisha Team

Published : May 20, 2024, 10:49 PM IST

Updated : May 21, 2024, 7:57 AM IST

Second Phase Polling: ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହୋଇଛି । ୫ଟି ଲୋକସଭା ଆସନ ଓ ଏହା ଅଧୀନରେ ଆସୁଥିବା ୩୫ଟି ବିଧାନସଭା ଆସନରେ ଭୋଟିଂ ହୋଇଛି । ଜାଣନ୍ତୁ କିପରି ରହିଥିଲା ଆଜିର ମତଦାନ ।

Second Phase Polling
Second Phase Polling (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଆଜି ରାଜ୍ୟରେ ୫ଟି ଲୋକସଭା ଆସନ ଓ ଏହା ଅଧୀନରେ ଆସୁଥିବା ୩୫ଟି ବିଧାନସଭା ଆସନରେ ମତଦାନ ହୋଇଛି । ଏହାସହିତ ରାଜ୍ୟରେ 67.59% ଭୋଟିଂ ରେକର୍ଡ ହୋଇଛି । ମତଦାନ ପରେ ଇଭିଏମରେ ସିଲ୍‌ ହୋଇଛି 265 ପ୍ରାର୍ଥୀଙ୍କ ଭାଗ୍ୟ । ସେଥିମଧ୍ୟରୁ 224 ପୁରୁଷ ପ୍ରାର୍ଥୀ ଥିବା ବେଳେ 41ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ବ କରୁଥିବା ଦୁଇଟି ଆସନରେ ମଧ୍ୟ ଆଜି ଭୋଟ ଗ୍ରହଣ ହୋଇଛି । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ୬୭.୫୯% ମତଦାନ । ଦେଶରେ ପଞ୍ଚମ ପର୍ଯ୍ୟାୟରେ ୬୦.୦୯% ମତଦାନ । ରାତି ସାଢ଼େ ୧୧ଟା ସୁଦ୍ଧା ECI ପକ୍ଷରୁ ତଥ୍ୟ ଜାରି ।

Second Phase Polling
Second Phase Polling (ETV Bharat Odisha)

ବୌଦ୍ଧରେ ଇଭିଏମ ଅଚଳ: କଣ୍ଟାମାଳର ମହେଶ୍ବରପିଣ୍ଡା ବୁଥରେ ଦିନ ୨ଟାରୁ ବନ୍ଦ ରହିଲା ମତଦାନ । ଭୋଟରମାନେ ମତଦାନରୁ ବଞ୍ଚିତ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାକୁ ରୋକିବାକୁ ପୋଲିସ ଲାଠିମାଡ଼ ସହ ଫାଙ୍କା ଗୁଳିଚାଳନା କରିଥିଲା ।

ଭଞ୍ଜନଗରରେ ହିଂସା: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ତୁରୁମୁ ପଞ୍ଚାୟତର ବେରୁଆବାଡ଼ି ଗ୍ରାମର ୪୭ ନଂ ବୁଥରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦୁଇ ଦଳୀୟ କର୍ମୀ ହାତାହାତି ହୋଇଥିଲେ । ଖବର ପାଇ ତାରାସିଙ୍ଗି ପୋଲିସ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।

Second Phase Polling
Second Phase Polling (ETV Bharat Odisha)

ରାଉରକେଲାରେ ଉତ୍ତେଜନା : ଗୋପବନ୍ଧୁପାଲ୍ଲୀର ଏକ ବୁଥରେ ବିଜେଡି ବିଧାୟକ ଶାରଦା ନାୟକ ଆସିଥିବାବେଳେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ସେଠାରୁ ବିଧାୟକଙ୍କୁ ଉଦ୍ଧାର କରିବା ସହ ସ୍ଥିତି ନିୟନ୍ତ୍ରଣ କରିଥିଲା ।

ବରଗଡ଼ରେ ନିର୍ବାଚନୀ ହିଂସା: ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ବରଗଡ଼ ସଦର ଥାନା ସରସରା ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ମୃତକ ଜଣଙ୍କ ବିଶ୍ବନାଥ ମିର୍ଦ୍ଧା ବୋଲି ଜଣାପଡ଼ିଛି । ଆଜି ମତଦାନ ଚାଲିଥିବାବେଳେ କିଛି ଭୋଟରଙ୍କୁ ଅଟୋ ଯୋଗେ ନେଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ଭୋଟ ଦେଲେ ହେଭିୱେଟ୍: ଚର୍ଚ୍ଚିତ ରାଜ ପରିବାର ସିଂ ଦେଓ ପରିବାର ଆଜି ମତ ସାବ୍ୟସ୍ତ କରିଛନ୍ତି । ସେହିପରି ଦୀପାଳି ଦାସ, ନରସିଂହ ମିଶ୍ର ଓ ପୁଅ ସମରେନ୍ଦ୍ର ମିଶ୍ର, କଳିକେଶ ନାରାୟଣ ସିଂ ଦେଓ ଓ ସୁରେନ୍ଦ୍ର ସିଂ ଭୋଇ, ସୁଶାନ୍ତ ସିଂ, ପ୍ରସନ୍ନ ଆଚାର୍ଯ୍ୟ, ଦେବେଶ ଆଚାର୍ଯ୍ୟ, ମନ୍ତ୍ରୀ ରୀତା ସାହୁ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ମତ ସାବ୍ୟସ୍ତ କରିଛନ୍ତି ।

ପ୍ରମୁଖ ପ୍ରାର୍ଥୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ବ କରୁଥିବା ୨ ଟି ବହୁ ଚର୍ଚ୍ଚିତ ଆସନରେ ଆଜି ମତଦାନ ହୋଇଛି । ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ନିର୍ବାଚନ ମଣ୍ଡଳୀରେ ଆଜି ମତଦାନ ହୋଇଛି । ହିଞ୍ଜିଳିକାଟୁ ନବୀନଙ୍କ ପାରମ୍ପରିକ ଆସନ । ଚଳିତ ନିର୍ବାଚନରେ ମଧ୍ୟ ସେ ଏଠାରୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରିଛନ୍ତି ବିଜେପିର ଶିଶିର ମିଶ୍ର ଏବଂ କଂଗ୍ରେସର ରଜନୀକାନ୍ତ ପାଢ଼ୀ । ସୁନ୍ଦରଗଡ଼ ରାଉରକେଲା ଆସନରୁ ବିଜେପି ପ୍ରାର୍ଥୀ ଦିଲ୍ଲୀପ କୁମାର ରାୟ, ଝାରସୁଗୁଡ଼ା ଆସନରୁ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ, ଗଞ୍ଜାମ ସାନଖେମୁଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା, ବଲାଙ୍ଗୀର ପାଟଣାଗଡ଼ ବିଜେପି ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ, ପାଟଣାଗଡ଼ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର, ଗଞ୍ଜାମ ଭଞ୍ଜନଗରରୁ ବିକ୍ରମ କେଶରୀ ଆରୁଖ ଓ ରାଉରକେଲାରୁ ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି ।

କୋଟିପତି ପ୍ରାର୍ଥୀ: ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଅନେକ କୋଟିପତି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି । ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ କୁମାର ରାୟ । ତାଙ୍କର ମୋଟ ସମ୍ପତ୍ତି 313 କୋଟି । ସେହିପରି ଦ୍ବିତୀୟରେ ବଲାଙ୍ଗୀର ବିଜେଡି ବିଧାୟକ ପ୍ରାର୍ଥୀ ତଥା ରାଜପରିବାରର ସଦସ୍ୟ କଳିକେଶ ନାରାୟଣ ସିଂହଦେଓ । ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି 73 କୋଟି । ଏହାପରେ 71କୋଟି ସମ୍ପତ୍ତି ସହ ହିଞ୍ଜିଳିରୁ ନବୀନ ପଟ୍ଟନାୟକ, 67କୋଟି ସମ୍ପତ୍ତି ସହ ପାଟଣାଗଡ଼ରୁ ବିଜେପି ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ ଏବଂ 62କୋଟି ସମ୍ପତ୍ତି ସହ ପାଟଣାଗଡ଼ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର ତାଲିକାରେ ଅନ୍ତର୍ଭୁକ୍ତ ।

ଏହା ବି ପଢନ୍ତୁ...ଓଡ଼ିଶା ବିଧାନସଭା ନିର୍ବାଚନ 2024; ଦ୍ବିତୀୟ ପର୍ଯ୍ୟାୟରେ 35 ଆସନରେ ଭୋଟିଂ

ଇଟିଭି ଭାରତ, ଭୁବନେଶ୍ବର

Last Updated : May 21, 2024, 7:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.