ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ସବୁ ବର୍ଗକୁ ଖୁସି କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି ସରକାର । ଚାଷୀ ବର୍ଗଙ୍କୁ ଖୁସି କରିବା ପାଇଁ ସରକାର ବଡ଼ ସହାୟତା ରାଶି ଘୋଷଣା କରିଛନ୍ତି । ରାଜ୍ୟ କ୍ୟାବିନେଟ ବଡ଼ ନିଷ୍ପତ୍ତି ନେଇଛି । ଚାଷୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଯେକୌଣସି ସମୟରେ କାଳିଆ ଯୋଜନାରେ ଟଙ୍କା ବାଣ୍ଟି ହେବ । ଏହା ସହିତ ଚାଷୀମାନଙ୍କୁ କାଳିଆ ଯୋଜନାରେ ୨୦୨୬-୨୭ ବର୍ଷ ଯାଏଁ ସହାୟତା ରାଶି ମିଳିବ । ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୬୦୨୯.୭୦ କୋଟି । ନିର୍ବାଚନ ପୂର୍ବରୁ କିନ୍ତୁ କାଳିଆ ସହାୟତା ରାଶି ବାଣ୍ଟିବାକୁ ଭିନ୍ନ ନଜରରେ ଦେଖୁଛନ୍ତି ବିରୋଧୀ । ବିରୋଧୀଙ୍କ କହିବା କଥା, ଚାଷୀଙ୍କୁ ସହାୟତା ପ୍ରଦାନ କଲେ କିଛି ଅସୁବିଧା ନାହିଁ, ହେଲେ ନିର୍ବାଚନ ପୂର୍ବରୁ ମାଳ ମାଳ ଯୋଜନା, ସ୍କିମ୍, ସହାୟତା ରାଶି ପ୍ରଦାନ କେବଳ ଭୋଟକୁ ପ୍ରଭାବିତ କରିବାକୁ ଉଦ୍ୟମ ଆଉ କିଛି ନୁହେଁ ।
କ୍ୟାବିନେଟରେ କାଳିଆ ଟଙ୍କା ବର୍ଦ୍ଧିତ ଅର୍ଥ ଦେବା ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର କେବଳ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ସେ କହିଛନ୍ତି, ସରକାର ଯାହା ଘୋଷଣା କରିବା କଥା କରନ୍ତୁ । ନିର୍ବାଚନ ପରେ ତ ସେ ଆଉ ସରକାରରେ ଆସିବେ ନାହିଁ । ରାଜ୍ୟରେ BJD ଏବଂ BJP ଗୋଟିଏ ଦଳ । ଯାହା କୁହନ୍ତି ତାହା କରନ୍ତି ନାହିଁ । ସରକାର ତ ଚାଷୀଙ୍କୁ MSP ଠିକ ଭାବରେ ଦେଇନାହାନ୍ତି । ତେଣୁ ଯେତେ ଯୋଜନା କଲେବି ଲୋକେ ତାଙ୍କୁ ବିଶ୍ବାସ କରିବେ ନାହିଁ । ସରକାର ଉତ୍ତର ଦିଅନ୍ତୁ, 5 ହଜାର ଟଙ୍କାରୁ 2 ହଜାର ଟଙ୍କାକୁ କାହିଁକି କାଳିଆ ଯୋଜନା ପଇସା କମ୍ କଲେ ? ଚାଷୀଙ୍କୁ ଟଙ୍କା ନୁହେଁ ଶୀତଳ ଭଣ୍ଡାର, MSP ଏବଂ ଇନ୍ପୁଟ୍ ସବ୍ସିଡି ଦିଅନ୍ତୁ । MSP ବୃଦ୍ଧି କଲେ ନାହିଁ, ଚାଷୀ ଉତ୍ପାଦକ ସାମଗ୍ରୀ ବିକ୍ରି କରି ପାରୁନାହିଁ, ମଣ୍ଡିରେ ଧାନର ଅଭାବି ବିକ୍ରି, ଏସବୁକୁ ନେଇ ଚାଷୀ ଆଜି ଚିନ୍ତାରେ । ସରକାର ନିର୍ବାଚନ ପାଇଁ ଏଭଳି ଘୋଷଣା କରିଛନ୍ତି ।"