ଓଡିଶା

odisha

ଆଜି ୭୫ତମ ସାଧାରଣତନ୍ତ୍ର ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

By ETV Bharat Odisha Team

Published : Jan 26, 2024, 8:38 AM IST

Republic Day Wishes 2024: ଆଜି ସାରା ଦେଶ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ରର ଏହି ମହାନ ପର୍ବରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଆଜି ୭୫ତମ ସାଧାରଣତନ୍ତ୍ର ଦିବସ
ଆଜି ୭୫ତମ ସାଧାରଣତନ୍ତ୍ର ଦିବସ

ହାଇଦ୍ରାବାଦ: ଆଜି ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ୭୫ତମ ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ରର ମହାନ ପର୍ବ । ଆଜିର ଏହି ପବିତ୍ର ଅବସରରେ ତିରଙ୍ଗାମୟ ହୋଇଛି ଦିଲ୍ଲୀଠୁ ପଲ୍ଲୀ । ସବୁଠୁ ଫର୍‌ଫର୍ ହୋଇ ଉଡୁଛି ତ୍ରିରଙ୍ଗା । ଦେଶର କୋଣ ଅନୁକୋଣରୁ ଭାସିଆସୁଛି ବନ୍ଦେ ମାତରମ୍ ଓ ଭାରତ ମାତାର ଜୟ ଧ୍ବନି । ଭାରତ ବ୍ରିଟିଶ ଶାସନରୁ ୧୯୪୭ ମସିହାରେ ମୁକ୍ତ ହୋଇଥିଲା, କିନ୍ତୁ ୧୯୫୦ ମସିହା ଜାନୁୟାରୀ ୨୬ରେ ଦେଶରେ ନୂତନ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଆଜି ଗଣତନ୍ତ୍ରର ଏହି ମହାନ ପର୍ବରେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ରଘୁରବ ଦାସଙ୍କ ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ମାନଗଣ୍ୟ ବ୍ୟକ୍ତିବିଶେଷ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି ସମଗ୍ର ଭାରତବାସୀଙ୍କୁ ନିଜର ପରିବାର ରୂପେ ସମ୍ବୋଧନ କରି ସାଧାରଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇଛନ୍ତି । ମୋଦି ଲେଖିଛନ୍ତି, ''ଦେଶର ମୋର ସମସ୍ତ ପରିବାରଜନଙ୍କୁ ଗଣତନ୍ତ୍ର ଦିବସର ବହୁତ ବହୁତ ଶୁଭକାମନା । ଜୟ ହିନ୍ଦ୍ ।''

ଗୃହମନ୍ତ୍ରୀ ଅମିତ ଶାହ ଲେଖିଛନ୍ତି, ''ସମସ୍ତ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଅଭିନନ୍ଦନ । ଗଣତନ୍ତ୍ରର ଏହି ପବିତ୍ର ଅବସରରେ ସବୁ ସ୍ବାଧୀନତା ସଂଗ୍ରାମୀ, ସମ୍ବିଧାନ ପ୍ରଣେତା ଏବଂ ଦେଶର ଏକତା ଓ ଅଖଣ୍ଡତା ଅକ୍ଷୂର୍ଣ୍ଣ ରଖିବାକୁ ନିଜର ପ୍ରାଣ ଉତ୍ସର୍ଗ କରୁଥିବା ବୀର ଯବାନଙ୍କୁ ମୁଁ ପ୍ରଣିପାତ କରୁଛି । ଆସନ୍ତୁ ସମସ୍ତେ ମିଶି ଗଣତନ୍ତ୍ର ଦିବସ ଅବସରରେ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା କରିବାକୁ ଶପଥ ନେବା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶିତ ଭାରତର ସଂକଳ୍ପକୁ ସାକାର କରିବାରେ ନିଜର ଯୋଗଦାନ ଦେବା ।''

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରି ସାଧାରଣନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ । ଦେଶ ସ୍ବାଧୀନତାର ଶତ ବାର୍ଷିକୀ ଆଡକୁ ଅଗ୍ରସର ହେଉଛି । ଏବେ ଦେଶ ଅମୃତକାଳର ପ୍ରାରମ୍ଭିକ ପର୍ଯ୍ୟାୟ ଦେଇ ଗତି କରୁଛି । ଦେଶକୁ ନୂତନ ଉଚ୍ଚତାକୁ ନେବା ପାଇଁ ଆମକୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି । ଆମର ଲକ୍ଷ୍ୟ ହାସଲ ପାଇଁ ପ୍ରତ୍ୟେକ ନାଗରିକଙ୍କ ଅବଦାନ ମହତ୍ତ୍ବପୂର୍ଣ୍ଣ ବୋଲି କହିଥିଲେ ମହାମହିମ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ୭୫ତମ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଆଜିଭଳି ପବିତ୍ର ଦିନରେ ଦେଶ ପାଇଁ ବଳିଦାନ ଦେଇଥିବା ଆମର ମହାନ ସ୍ବାଧୀନତା ସେନାନୀଙ୍କୁ ସ୍ମରଣ କରିବା ଏବଂ ସମ୍ବିଧାନରେ ନିହିତ ଆଦର୍ଶଗୁଡିକୁ ଅନୁପାଳନ କରିବାକୁ ପ୍ରତିଜ୍ଞା ନେବାକୁ ସେ ସମସ୍ତଙ୍କୁ ଆହ୍ବାନ କରିଛନ୍ତି ।

ସେହିପରି ଓଡ଼ିଶାର ରାଜ୍ୟପାଳ ରଘୁବାର ଦାସ ଟ୍ବିଟ୍ କରି ପବିତ୍ର ସାଧାରଣତନ୍ତ୍ର ପାଳନ ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶାକୁ ଦେଶର ଏକ ସମୃଦ୍ଧ, ଅଗ୍ରଣୀ ଏବଂ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ଶପଥ ନେବା । ଗଣତନ୍ତ୍ରର ରକ୍ଷା ପାଇଁ ସଂକଳ୍ପ ନେବା ଏବଂ ବିକଶିତ ଭାରତ ନିର୍ମାଣରେ ନିଜର ଯୋଗାଦାନ ଦେବାକୁ ସମସ୍ତଙ୍କ ନାଗରିକଙ୍କୁ ରାଜ୍ୟପାଳ ଆହ୍ବାନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ''୭୫ତମ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ଆସନ୍ତୁ ଆମ ସମ୍ବିଧାନିକ ମୂଲ୍ୟବୋଧ ଗୁଡିକର ଅନୁସରଣ କରିବା ଏବଂ ଆମର ସଂସ୍କୃତି, ଐତିହ୍ୟ ଓ ଭାରତ ଭଳି ମହାନ ରାଷ୍ଟ୍ରର ଏକ ଅଂଶ ହୋଇଥିବାରୁ ଗୌରବାନ୍ବିତ ହେବା ।''

ABOUT THE AUTHOR

...view details