ଓଡିଶା

odisha

ବିଜେପି ଏବଂ ଶିବସେନା ସହ ହାତ ମିଳାଇବା କାରଣ କହିଲେ ଅଜିତ ପାଓ୍ବାର

By ETV Bharat Odisha Team

Published : Feb 26, 2024, 11:46 AM IST

Maharashtra Deputy CM Ajit Pawar: ବିଜେପି ଏବଂ ଶିବସେନା ମିଶିବାର କାରଣ କହିଲେ ଅଜିତ ପାଓ୍ବାର । ମୋଦି ଓ ଶାହଙ୍କ କାର୍ଯ୍ୟ କରିବାର ଶୈଳି ମୋ ସହ ସମାନ ବୋଲି ବିବୃତ୍ତିରେ କହିଛନ୍ତି ସେ । ଅଧିକ ପଢନ୍ତୁ

Ajit Pawar
Ajit Pawar

ମୁମ୍ବାଇ: ଶରଦ ପାଓ୍ବାରଙ୍କ ହାତ ଛାଡି ବିଜେପି ଏବଂ ଶିବସେନା ସହ ହାତ ମିଳାଇବାର କାରଣ ସ୍ପଷ୍ଟ କଲେ ମହାରାଷ୍ଟ୍ରର ଡେପୁଟି ସିଏମ୍ ଅଜିତ ପାୱାର । ନିଜ ଏକ୍ସ ହ୍ୟାଣ୍ଡେଲରେ ଏନେଇ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛନ୍ତି ଅଜିତ । ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ 'ଦୃଢ ନେତୃତ୍ୱ ଏବଂ ସଠିକ୍ ନିଷ୍ପତ୍ତି' ନେବା କ୍ଷମତାକୁ କୁ ପ୍ରଶଂସା କରିଛନ୍ତି ପାୱାର । ଉଭୟଙ୍କ କାର୍ଯ୍ୟ କରିବାର ଶୈଳି ଓ ମୋର କାର୍ଯ୍ୟ କରିବାର ଶୈଳି ସମାନ ବୋଲି କହିଛନ୍ତି ଅଜିତ ପାଓ୍ବାର ।

ଅଜିତ ପାୱାର ବିବୃତ୍ତିରେ ଉଲ୍ଲେଖ କରିଛନ୍ତି, "ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଭାରତୀୟ ଜନତା ପାର୍ଟି ଏବଂ ଶିବସେନା ସହିତ ହାତ ମିଳାଇବା ନିଷ୍ପତ୍ତିକୁ ନେଇ ଏବେ ବି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏହି ପ୍ରସଙ୍ଗରେ ମୋର ଭୂମିକାକୁ ଅଧିକ ସ୍ପଷ୍ଟ କରିବା ପାଇଁ ଏହି ଚିଠି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଦେଶରେ କରାଯାଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ମୁଁ ଗୁରୁତ୍ୱପୂର୍ଣ୍ଣ ମନେ କରୁଛି । ଉଭୟଙ୍କ ଦୃଢ ନେତୃତ୍ୱ ଏବଂ ସଠିକ୍ ନିଷ୍ପତ୍ତି ନେବା ଗୁଣକୁ ମୁଁ ବହୁତ ପସନ୍ଦ କରେ । ମୋର ଏବଂ ସେମାନଙ୍କର କାର୍ଯ୍ୟ କରିବାର ଶୈଳି ପାଖାପାଖି ସମାନ । ତେଣୁ ମୁଁ ଅନୁଭବ କଲି ଯେ ସେମାନଙ୍କ ସହିତ ବିକାଶ ପାଇଁ ମୋର ଭବିଷ୍ୟତର କିଛି ଯୋଜନାକୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ସମ୍ଭବ ହେବ । ତେଣୁ ରାଜ୍ୟକୁ ବିକାଶ ଦିଗରେ ନେବାକୁ ଲକ୍ଷ୍ୟ ରଖି ବିଜେପି ଓ ଶିବସେନା ସହ ମିଶିବାକୁସହିତ ସ୍ଥିର କଲି। ମୁଁ ଯେବେ ଠାରୁ ବିଜେପି ଓ ଶିବସେନା ମେଣ୍ଟ ସରକାର ସହ ହାତ ମିଳାଇଛି ଏହା ଅନୁଭବ କରିଛି ଯେ, ରାଜ୍ୟର ବିକାଶ କାର୍ଯ୍ୟ ଗତିଶୀଳ ହୋଇଛି। ''

ଏହା ମଧ୍ୟ ପଢନ୍ତୁ-ଅଜିତ ପାଓ୍ବାର ଗୋଷ୍ଠୀକୁ ପ୍ରକୃତ NCP ଘୋଷଣା କଲେ ନିର୍ବାଚନ ଆୟୋଗ

ସେ ଆହୁରି ମଧ୍ୟ କହିଛନ୍ତି, ''ମୋର ଆଦର୍ଶ ଏବଂ ଉଦ୍ଦେଶ୍ୟ ସହିତ କୌଣସି ଆପୋଷ ବୁଝାମଣା ନକରି ବିକାଶ କାର୍ଯ୍ୟ ଶେଷ କରିବାର ଲକ୍ଷ୍ୟ ନେଇ ମୁଁ ମୋର ନିଜର ଭୂମିକା ଗ୍ରହଣ କରିଛି । ମୋର ଉଦ୍ଦେଶ୍ୟ କାହାକୁ ଆଘାତ ଦେବା କିମ୍ବା ଅପମାନ କରିବା ନୁହେଁ । ବରଂ ଆପୋଷ ବୁଝାମଣା ବିନା ବିକାଶ କାର୍ଯ୍ୟ କରିବା ଏବଂ ଏହାକୁ ସଂପୂର୍ଣ୍ଣ କରିବା । କ୍ଷମତାରେ ଥିବାବେଳେ ବିକାଶର ମନ୍ଥର ଗତି ଦେଖିଛୁ ଏବଂ ବିରୋଧ କରୁଥିବାବେଳେ ଆମେ ବିକାଶ କାର୍ଯ୍ୟ ମଧ୍ୟ ଅଟକି ରହିଥିବାର ଦେଖିଛୁ । ତେଣୁ ଗୋଟିଏ ସତ୍ୟ ଯାହାକୁ ଅସ୍ୱୀକାର କରାଯାଇପାରିବ ନାହିଁ, ବିକାଶ କାର୍ଯ୍ୟ ପାଇଁ କ୍ଷମତାରେ ରହିବା ଆବଶ୍ୟକ । ''

ଅଜିତ ପାୱାର ଉଲ୍ଲେଖ କରିଛନ୍ତି ''ମୋର ପିତୃ ତୁଲ୍ୟ କିମ୍ବା ବୟସ୍କ ଲୋକଙ୍କୁ ଅସମ୍ମାନ କରିବାର କୌଣସି ଉଦ୍ଦେଶ୍ୟ ନାହିଁ । ଲୋକଙ୍କ ଜୀବନଧାରଣର ମାନ କିପରି ବୃଦ୍ଧି ହୋଇପାରିବ, ସେମାନଙ୍କର ମୌଳିକ ସୁବିଧା କିପରି ଅଧିକ ଦକ୍ଷ ହୋଇପାରିବ ତାହା ମୋର ଲକ୍ଷ୍ୟ । ତେଣୁ ଏହା ଲୋକଙ୍କ କାର୍ଯ୍ୟ ପାଇଁ ଅଟେ। ବିକାଶ ପଥରେ ମୋତେ ସହଯୋଗ କରିବାକୁ ସମସ୍ତଙ୍କୁ ମୁଁ ନିବେଦନ କରୁଛି । ''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details