ETV Bharat / bharat

ଋଷରୁ ଆସିଛି ବୋମା ଧମକ: 100ରୁ ଅଧିକ ସ୍କୁଲ ପ୍ରଭାବିତ, ସର୍ଚ୍ଚ ପରେ ସ୍ପଷ୍ଟ ହେଲା ଗୁଜବ - Threat mail to Delhi schools

author img

By ETV Bharat Odisha Team

Published : May 1, 2024, 3:05 PM IST

ଦିଲ୍ଲୀରେ ଶହେରୁ ଅଧିକ ସ୍କୁଲ ବନ୍ଦ, ବୋମା ଥିବା ଏକ ଗୁଜବ, ଋଷରୁ କରାଯାଇଥିଲା ମେଲ !
ଦିଲ୍ଲୀରେ ଶହେରୁ ଅଧିକ ସ୍କୁଲ ବନ୍ଦ, ବୋମା ଥିବା ଏକ ଗୁଜବ, ଋଷରୁ କରାଯାଇଥିଲା ମେଲ !

Threat mail to Delhi schools: ଦିଲ୍ଲୀରେ 100ରୁ ଅଧିକ ସ୍କୁଲ ପ୍ରଭାବିତ । ଋଷରୁ ଏକ ସର୍ଭରରୁ ମେଲ ଆସିଥିବା ପ୍ରାଥମିକ ତଦନ୍ତରୁ ସୂଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗୋଟିଏ କି ଦୁଇଟି ନୁହେଁ, ଦିଲ୍ଲୀରେ ବୋମା ଆତଙ୍କରେ ପ୍ରାୟ 100 ସ୍କୁଲରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ତେବେ ପୂର୍ବାହ୍ନରୁ ଜାରି ରହିଥିବା ଘଣ୍ଟା ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମଧ୍ୟ କୌଣସି ଆପତ୍ତିଜନକ କିମ୍ବା ବିସ୍ଫୋରକ ସାମଗ୍ରୀ ନମିଳିବା ପରେ ଏହା ଏକ ମିଥ୍ୟା ଧମକ ବୋଲି ଜଣାପଡିଛି । ମାତ୍ର ପ୍ରାଥମିକ ତଦନ୍ତରୁ ଏହି ମାମଲାରେ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ଦେଶର କୌଣସି ସ୍ଥାନରେ ନୁହେଁ ବରଂ ଋଷରୁ ଅପରେଟ ହେଉଥିବା ଏକ ସର୍ଭର ମାଧ୍ୟମରେ ଏହି ମେଲ କରାଯାଇଛି । ପ୍ରାୟ 80ରୁ ଅଧିକ ସ୍କୁଲକୁ ମାତ୍ର ଗୋଟିଏ ଆଇପି (ଇଣ୍ଟରନେଟ ପ୍ରୋଟୋକଲ) ଆଡ୍ରେସ ବ୍ୟବହାର କରି କରାଯାଇଛି । ତେବେ ଆଇପି ଆଡ୍ରେସ ମାଧ୍ୟମରେ ଏହି ସର୍ଭର ସମ୍ପର୍କରେ ଅଧିକ ଜାଣିବା ପାଇଁ ଦିଲ୍ଲୀ ପୋଲିସର ସାଇବର ସେଲ ପ୍ରୟାସ ଜାରି ରଖିଛି ।

ଘଟଣା ସମ୍ପର୍କରେ ପୋଲିସକୁ ତଥ୍ୟ ମାଗିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକ୍ସେନା । ଏନେଇ ସେ ନିଜେ ଟ୍ବିଟ ମଧ୍ୟ କରିଛନ୍ତି । ବିନୟ ଏକ୍ସରେ ଟ୍ବିଟ କରିଛନ୍ତି, ପୋଲିସ କମିଶନରଙ୍କ ସହ କଥା ହୋଇ ଦିଲ୍ଲୀ-ଏନସିଆର ସ୍କୁଲରେ ବୋମା ବିସ୍ଫୋରଣ ବିଷୟରେ ବିସ୍ତୃତ ରିପୋର୍ଟ ମାଗିଛି । ବିଦ୍ୟାଳୟ ପରିସରରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ଅପରାଧୀଙ୍କୁ ଚିହ୍ନଟ କରିବା ଏବଂ ଏଥିରେ କୌଣସି ତ୍ରୁଟି ନହେବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଦିଲ୍ଲୀ ମନ୍ତ୍ରୀ ଆତିଶୀ ମଧ୍ୟ ଘଟଣା ସମ୍ପର୍କରେ ଟ୍ବିଟ କରିଛନ୍ତି । ଏହି ଘଟଣାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ ସର୍ଚ୍ଚ କରିବା ପରେ ମଧ୍ୟ କୌଣସି ସ୍କୁଲରେ କିଛି ମିଳିନି । ପୋଲିସ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଦିଲ୍ଲୀ ସରକାର ନିୟମିତ ଯୋଗାଯୋଗରେ ଅଛନ୍ତି । ଅଭିଭାବକମାନେ ଚିନ୍ତିତ ହେବାର କୌଣସି କାରଣ ନାହିଁ । ସ୍କୁଲ କର୍ତ୍ତୃପକ୍ଷ ଆବଶ୍ୟକ ପଡିଲେ ଅଭିଭାବକଙ୍କ ସହ ଯୋଗାଯୋଗ କରିବେ ।

ଏହା ମଧ୍ୟ ପଢନ୍ତୁ :- ବିହାରରେ ଜୀବନ ହାରିଲେ ଋଣଗ୍ରସ୍ତ ଡାକ୍ତର ! - DOCTOR SUICIDE

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳେ ଦିଲ୍ଲୀର ଏକାଧିକ ସ୍କୁଲରେ ବୋମା ଥିବା ଧମକପୂର୍ଣ୍ଣ ମେଲ ମିଳିବା ପରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ପ୍ରଥମେ 12ରୁ ଅଧିକ ସ୍କୁଲକୁ ମେଲ ଆସିଥିବା ଜଣାପଡିଥିଲା । ହେଲେ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ପ୍ରାୟ 80ରୁ ଅଧିକ ବୋଲି ଜଣାପଡିଥିଲା । 100 ରୁ ଅଧିକ ସ୍କୁଲରେ ପାଠପଢା ପ୍ରଭାବିତ ହୋଇଛି । ହେଲେ କିଛି ଘଣ୍ଟା ଧରି ସର୍ଚ୍ଚ ଅପରେସନ ସତ୍ତ୍ବେ ମଧ୍ୟ କିଛି ବିସ୍ଫୋରକ ସାମଗ୍ରୀ ଠାବ ନହେବା ସହ ଏହା ବିଦେଶରୁ କରାଯାଇଥିବା ଏକ ଫେକ ମେଲ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.