OCA Talent Hunt: ବଲାଙ୍ଗୀରରୁ ପ୍ରତିଭା ବାଛିଲେ ଦିନେଶ ମୋଙ୍ଗିଆ

By

Published : May 2, 2023, 10:01 PM IST

thumbnail

ବଲଙ୍ଗୀର: ଓଡ଼ିଶା କ୍ରିକେଟ ଆସୋସିଏସନର ମୁଖ୍ୟ କୋଚ ଭାବେ ନୂଆକରି ଦାୟିତ୍ବ ନେବାପରେ ତୃଣମୂଳସ୍ତରରୁ ପ୍ରତିଭା ଚୟନ ପାଇଁ ତତ୍ପର ହୋଇଛନ୍ତି ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ । ବିଭିନ୍ନ ଜିଲ୍ଲାରେ ଓସିଏ ଟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ କରି ଯୁବ ପ୍ରତିଭା ଚୟନ କରୁଛନ୍ତି । ଏହି କ୍ରମରେ ବଲାଙ୍ଗୀର କ୍ରୀଡା ସଂସଦ ଏବଂ ଓଡିଶା କ୍ରିକେଟ ସଂଘର ମିଳିତ ଆନୁକୂଲ୍ୟରେ ଏଠାରେ 'କ୍ୟାମ୍ପ ଫର ସ୍ପିନର' କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଯେଉଁଥିରେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ଓସିଏ ମୁଖ୍ୟ କୋଚ ଦିନେଶ ମୋଙ୍ଗିଆ ସାମିଲ ହୋଇଥିଲେ ।  

ଓସିଏ ଦ୍ବାରା ଆୟୋଜିତ ଏହି ଟାଲେଣ୍ଟ ହଣ୍ଟରେ ଓଡିଶା କ୍ରିକେଟ ମୁଖ୍ୟ କୋଚ୍ ଦିନେଶ ମୋଙ୍ଗିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ବଲାଙ୍ଗୀର ଜିଲ୍ଲା ସମେତ ୬ଟି ଜିଲ୍ଲା ନୂଆପଡା, ବରଗଡ଼, ସୋନପୁର, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାର ୬୦ ଜଣ କ୍ରିକେଟ ଖେଳାଳି ସାମିଲ ହୋଇଥିଲେ । ତେବେ ବିଶେଷ କରି ସ୍ପିନର ବୋଲର ଖୋଜି ବାହାର କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା । ଯାହାଦ୍ବାରା ଓଡ଼ିଶାର କ୍ରିକେଟ ପ୍ରତିଭା ସାମ୍ନାକୁ ଆସି ପାରିବେ ଓ ଦେଶ ପାଇଁ ଭଲ କ୍ରିକେଟ ଖେଳି ଗର୍ବ ଆଣିବେ ବୋଲି କହିଛନ୍ତି ଓସିଏ ମୁଖ୍ୟ କୋଚ ଦିନେଶ ମୋଙ୍ଗିଆ । ଏଠିକାର ବ୍ୟବସ୍ଥାରେ ଖୁସି ହୋଇଥିବା ବେଳେ ବଲାଙ୍ଗୀର କ୍ରୀଡା ସଂସଦର ଖେଳ ପ୍ରତି ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି ମୋଙ୍ଗିଆ ।

ତେବେ ରାଜ୍ୟ ସରକାର ହକି ପାଇଁ ଯେପରି ସମର୍ପିତ ପ୍ରଚେଷ୍ଟା କରି ସାରା ଦେଶବାସୀଙ୍କ ମନ ଜିଣିଥିଲେ ଓ ହକିରେ ଭାରତ ଅନେକ ସଫଳତା ପାଇଛି, ସମାନ ଭାବରେ ଆଗକୁ କ୍ରିକେଟରେ ମଧ୍ୟ ଏଠାରୁ ଭଲ ଖେଳାଳୀ ବାହାରିବେ ଓ ଦେଶ ପାଇଁ ଖେଳିବେ ବୋଲି କହିଛନ୍ତି ଦିନେଶ ମୋଙ୍ଗିଆ । ସେପଟେ ବଲାଙ୍ଗୀର କ୍ରୀଡା ସଂସଦ ସମ୍ପାଦକ ହରି ନାରାୟଣ ପୁଜାରୀ ଓସିଏର କାର୍ଯ୍ୟକ୍ରମ ଅନୁସାରେ କ୍ରିକେଟକୁ ତୃଣମୂଳସ୍ତରରୁ ଲୋକପ୍ରିୟ କରାଇବା, ପ୍ରତିଭାବାନ ଖେଳାଳିଙ୍କୁ ଆଗକୁ ଆଣିବା ଓ ସେମାନଙ୍କୁ ଉଚିତ କୋଚିଂ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.