Subarnapur Haragouri Yatra: ଦେବୀଙ୍କୁ ସନ୍ତୁଷ୍ଟ ପାଇଁ କାଠିପକା ନୃତ୍ୟ କଲେ ପୁରୁଷ

By ETV Bharat Odisha Team

Published : Nov 2, 2023, 3:12 PM IST

thumbnail

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ଢେରାପଡାରେ ଚାଲିଛି ଦକ୍ଷିଣ ଭାରତୀୟ ଗୌରମ୍ମା ସାମ୍ରାଲୁ ବା ହରଗୌରୀ ଯାତ୍ରା । କୃଷିଭିତ୍ତିକ ଏହି ପର୍ବରେ ଉଭୟ ଉତ୍କଳୀୟ ଓ ଦକ୍ଷିଣ ଭାରତୀୟ ସଂସ୍କୃତିର ମିଶ୍ରଣ ଦେଖିବାକୁ ମିଳୁଛି । ଏହି ପର୍ବରେ ଦକ୍ଷିଣ ଭାରତୀୟ ସଂସ୍କୃତି ଆଧାରରେ ଦେବୀ ମା' ଠାକୁରାଣୀ ଓ ହରଗୌରୀଙ୍କ ପୂଜା ଆରାଧନା କରାଯାଏ । ଏଥିସହ ଗଡଜାତ ସହରର ଶକ୍ତି ଆରାଧନାର ଛାପ ଏଥିରେ ଦେଖିବାକୁ ମିଳେ । କାହିଁ କେଉଁ କାଳରୁ ପ୍ରତି ଦୁଇ ବର୍ଷ ବ୍ୟବଧାନରେ ପାଳିତ ହେଉଥିବା ଏହି ପର୍ବରେ ସହରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ନିଜସ୍ବ ଚାଷ ଜମିରୁ ଧାନଗଛକୁ ଗୌରୀ ରୂପେ ଆବାହନ କରାଯାଏ । ଯାହା ସ୍ଥାନୀୟ ତାନ୍ତ୍ରିକ ଶକ୍ତି ଆରାଧନାର ଏକ ଉଦାହରଣ । ଏଥିରେ ଶକ୍ତି ସ୍ବରୁପା ଦେବୀ ମା' ଠାକୁରାଣୀ ଓ ଗୌରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କାଠିପକା ଯାଇଥାଏ । 

ଏହାମଧ୍ୟ ପଢନ୍ତୁ: ହରଗୌରୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରି ସାନ୍ନିଧ୍ୟ ଲାଭ କଲେ ଶ୍ରଦ୍ଧାଳୁ

ଦକ୍ଷିଣ ଭାରତୀୟ ନୃତ୍ୟ ଶୈଳୀରେ ପୁରୁଷ ଶ୍ରଦ୍ଧାଳୁମାନେ ଦେବୀ ମା' ଗୌରୀଙ୍କ ଆଗରେ କାଠି ପକାଇଥାନ୍ତି । କାଠିପକା ଏକ ପ୍ରକାରର ନୃତ୍ୟ । ୧୦ରୁ ଅଧିକ ପୁରୁଷ ଯୁଗ୍ମ ସଂଖ୍ୟା ଅନୁଯାୟୀ ଏହି କାଠିପକା ନୃତ୍ୟରେ ଅଂଶଗ୍ରହଣ କରିଥାନ୍ତି । ଗୋଲାକାର ଆକାରରେ ଜଣେ ବାମ ଓ ଡାହାଣରେ ଥିବା ଦୁଇ ଜଣଙ୍କ ସହିତ କାଠିକୁ ବାଡେଇଥାନ୍ତି । ଗୋଲାକାର ହୋଇ ଦକ୍ଷିଣାବର୍ତ୍ତ ଭାବେ ଏହି ନୃତ୍ୟ କରିଥାନ୍ତି । ଗୋଲାକାର ମଧ୍ୟଭାଗରେ ଗାୟକ ବାଦକ ଦଳ ଦେବୀ ମା ଠାକୁରାଣୀଙ୍କ ଭଜନ କରିଥାନ୍ତି । ଏହି ଭଜନ ଭିତରେ ମା’ ଠାକୁରାଣୀଙ୍କ ସମେତ ସହରର ଇଷ୍ଟଦେବୀ ମା' ସୁରେଶ୍ବରୀ, ଭଗବତୀ, ଦଶମତୀ, ଖମ୍ବେଶ୍ବରୀ, ସମଲେଇ ଦେବୀ ଆଦିଙ୍କ ଭଜନ ବୋଲା ଯାଇଥାଏ । 

ନୃତ୍ୟକାରୀମାନେ ପ୍ରାୟ ଦୁଇ ଫୁଟ ଲମ୍ବର ଦୁଇଗୋଟି କାଠି ବ୍ୟବହାର କରିଥାନ୍ତି । କାଠି ଗୁଡିକ ସାଧାରଣତଃ ଗଛର ମଂଜରେ ତିଆରି ହୋଇଥାଏ । ଫଳରେ କାଠିକୁ କାଠି ମାଡ ହେଲେ ଏକ ଗମ୍ଭୀର ଧ୍ବନି ସୃଷ୍ଟି ହୋଇଥାଏ । ବିଶେଷକରି ଚୈତ୍ରମାସରେ ଓ ହରଗୌରୀ ଯାତ୍ରା ସମୟରେ କାଠିପକା ନୃତ୍ୟ ଦେଖିବାକୁ ମିଳେ । ଯାତ୍ରା ସମୟରେ ପ୍ରାୟ ନଅ ଦିନ ଧରି ସନ୍ଧ୍ୟାରେ ଦେବୀ ମା' ଠାକୁରାଣୀ ଓ ହରଗୌରୀଙ୍କ ଆଗରେ କାଠିପକା ନୃତ୍ୟ ପରିବେଷଣ କରାଯାଏ । ହରଗୌରୀ ଯାତ୍ରାରେ ସାମିଲ ହେବା ପାଇଁ ଆଖପାଖ ସମେତ, ସୁଦୂର ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଓଡିଶା ପ୍ରଦେଶର ବ୍ରହ୍ମପୁର ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଆସି ଦେବୀ କୃପା ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.