କାଳବୈଶାଖୀର ତାଣ୍ଡବଲୀଳା, କୁଆପଥର ବର୍ଷାରେ ଭାଙ୍ଗିଗଲା ଚାଷୀର ମେରୁଦଣ୍ଡ

By ETV Bharat Odisha Team

Published : Nov 4, 2023, 8:58 PM IST

thumbnail

ଭବାନୀପାଟଣା: କଳାହାଣ୍ଡିରେ କାଳବୈଶାଖୀର କରାଳ ରୂପ । କୁଆପଥର ବର୍ଷାରେ ଉଜୁଡିଗଲା ଚାଷ । ଶୁକ୍ରାବର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ତାଣ୍ଡବ ରଚିଛି କାଳବୈଶାଖୀ କୁଆପଥର ବର୍ଷା । ପ୍ରବଳ ପବନ ସାଙ୍ଗକୁ କୁଆପଥର ବର୍ଷାରେ ଧାନ, କପା, ଆଖୁ, ବିଭିନ୍ନ ପନିପରିବା ଓ ଡାଲି ଜାତୀୟ ଫସଲ ନଷ୍ଟ ହୋଇଯାଇଛି । ଏଥିସହ ପବନରେ ବଡ ବଡ ଗଛ ସହ ଅନେକ ଜାଗାରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ଫଳରେ ବ୍ଲକର ଚହକା, ଉଛୁଲା ଓ ବଡ଼ଚେରଗାଁ ଗ୍ରାମ ପଞ୍ଚାୟତର ଚାଷୀ ଘୋର ଚିନ୍ତାରେ ଅଛନ୍ତି । 

ଏହି ତିନିଗୋଟି ଗ୍ରାମପଞ୍ଚାୟତରେ ଧାନ ଓ କପା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ବିଲରେ ଧାନ ଫସଲ ଲହଡି ଭାଙ୍ଗୁଥିବା ବେଳେ ଗତକାଲିର କୁଆପଥର ବର୍ଷାରେ ଧାନ ଗଛ ଶୋଇ ପଡ଼ିଥିବା ବେଳେ ପାଚିଲା ଧାନ ବିଲରେ ହିଁ ଗଜା ହୋଇଯିବାର ସମ୍ଭାବନା ରହିଛି । ଏଭଳି ସ୍ଥଳେ ଧାନରେ ଲାଭ ତ ଦୂରର କଥା ମୂଳ ପଇସା ଉଠିବା ବି ଚାଷୀ ଆଶା ରଖୁନାହିଁ । ଅମଳ ସମୟ ବେଳେ ଏଭଳି ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡକୁ ଭାଙ୍ଗିଦେଇଥିବା ବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।  

ଏହାମଧ୍ୟ ପଢନ୍ତୁ..ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା, ରାଜଧାନୀରେ ୯ଡିଗ୍ରୀ ଖସିଲା ତାତି

ଅନେକ ଜାଗାରେ ବଡ଼ ବଡ଼ ଗଛ ଉପୁଡି ପଡ଼ିଥିବାରୁ ରାସ୍ତା ଘାଟ ବନ୍ଦ ହୋଇ ପଡ଼ିଥିବା ବେଳେ ବିଲ ମାନଙ୍କରେ ଗଛ ମାନ ପଡି ରହିଛି । ରାସ୍ତାମାନଙ୍କରେ ବଡ଼ ବଡ଼ ଗଛ ପଡି ରହିଥିବାରୁ ବଡ଼ଚେରଗାଁ କେଗାଁ ମୁଖ୍ୟ ରାସ୍ତାରେ ଯାତାୟତ ବନ୍ଦ ରହିଛି । ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ ଗଛମାନଙ୍କୁ କାଟି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି । କେତେକ ଜାଗାରେ ଲୋକଙ୍କ ଚାଳ ଛପର ମଧ୍ୟ ଉଡାଇ ନେଇଥିବା ଦେଖିବାକୁ ମିଳିଛି । ଏପରିସ୍ଥଳେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀ ମହଲରେ ଦାବୀ ହେଉଛି । 

ଅପରପକ୍ଷରେ କ୍ଷୟକ୍ଷତି ଆକଳନ ପାଇଁ ଘଟଣାସ୍ଥଳରେ କୃଷି ବିଭାଗ ସହିତ ତହସିଲଦାର ଅଶୋକ ପଟ୍ଟନାୟକ ଓ ବିଡ଼ିଓ ଶ୍ରୀମତୀ ଅକ୍ଷୟମିତା କାର୍ତ୍ତିକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଦ୍ୟୁତ ବିଭାଗ ପକ୍ଷରୁ ମଧ୍ୟ ଯଥାଶୀଘ୍ର ବିଦ୍ୟୁତ ଯୋଗାଣ ପାଇଁ କାର୍ଯ୍ୟ ଜୋରସୋରରେ ଚାଲିଛି । ଏହି ତିନିଗୋଟି ଗ୍ରାମପଞ୍ଚାୟତର ଶହ ଶହ ହେକ୍ଟର ଚାଷ ଜମିରେ ଧାନ,କପା,ଆଖୁ,ଡାଲି ଜାତୀୟ ଫସଲ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ କ୍ଷୟକ୍ଷତି ଆକାଳନ ପରେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ବୋଲି ଜଣାପଡିବ ବୋଲି ତହସିଲଦାର କହିଛନ୍ତି ।


ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.