Zwigato ଫିଲ୍ମ ଦେଖିଲେ ମୁଖ୍ୟମନ୍ତ୍ରୀ, ଚଳଚ୍ଚିତ୍ରକୁ ଟ୍ୟାକ୍ସ ଫ୍ରି ଘୋଷଣା

By

Published : Mar 22, 2023, 9:17 PM IST

thumbnail

ଭୁବନେଶ୍ବର: ଜ୍ବିଗାଟୋ ଚଳଚ୍ଚିତ୍ରର ସ୍ବତନ୍ତ୍ର ଉପସ୍ଥାପନା (screening) କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଏହି ଚଳଚ୍ଚିତ୍ରକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ନବୀନ ନିବାସରେ ଚଳଚ୍ଚିତ୍ରରେ screeningରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନ ଓ ନିର୍ଦ୍ଦେଶିକା ନନ୍ଦିତା ଦାସ ମଧ୍ୟ ଉପସ୍ଥିତ ଥିଲେ । ନନ୍ଦିତା ଦାସ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଜ୍ବିଗାଟୋର ସୁଟିଂ ସଂପୂର୍ଣ୍ଣ ଭାବରେ ଭୁବନେଶ୍ବରରେ କରାଯାଇଛି ।  

ବିଶିଷ୍ଟ ହାସ୍ୟ ଅଭିନେତା କପିଲ ଶର୍ମା ଓ ଅଭିନେତ୍ରୀ ସାହାନା ଗୋସ୍ବାମୀ ସିନେମାରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ସମାଜର ଅତ୍ୟନ୍ତ ସାଧାରଣ ଲୋକଙ୍କ ସଂଘର୍ଷପୂର୍ଣ୍ଣ ଜୀବନକୁ ଏହି ଚଳଚ୍ଚିତ୍ରରେ ସଫଳ ଭାବରେ ଉପସ୍ଥାପିତ କରାଯାଇଛି । ଏହା ସହ କଳାତ୍ମକ ଦିଗ ପ୍ରତି ଉଚ୍ଚିତ ଧ୍ୟାନ ଦିଆଯାଇଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ଚଳଚ୍ଚିତ୍ରର ଉଚ୍ଚପ୍ରଶଂସା କରିଛନ୍ତି । ସାମାଜିକ ପରିବର୍ତ୍ତନ ଦିଗରେ ଜ୍ବିଗାଟୋ ସିନେମା ଏକ ସକରାତ୍ମକ ବାର୍ତ୍ତା ଦେବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ତେବେ ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ଏହି 'ଜ୍ବିଗାଟୋ' ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଜଣେ Food Delivery Rider ଓ ତାଙ୍କ ପରିବାରର ସଂଘର୍ଷପୂର୍ଣ୍ଣ ଜୀବନକୁ ନେଇ 'ଜ୍ବିଗାଟୋ' ଫିଲ୍ମ ନିର୍ମିତ ହୋଇଛି । ହିନ୍ଦୀ ଭାଷାରେ ନିର୍ମିତ ଏହି ଫିଲ୍ମଟି ସଂପୂର୍ଣ୍ଣ ଭାବରେ ଭୁବନେଶ୍ବରରେ ହିଁ ସୁଟିଂ ହୋଇଛି । ଓଡିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟୀକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ, ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି । ଏହି ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି । ଏହାଦ୍ବାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହିତ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏହାଛଡ଼ା ଭୁବନେଶ୍ବରରେ 'ଜ୍ବିଗାଟୋ' ଚଳଚ୍ଚିତ୍ର ସଂପୂର୍ଣ୍ଣ ସୁଟିଂ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.