ETV Bharat / sukhibhava

World Earth Day: ସଚେତନ ରୁହନ୍ତୁ, ନିଜର ସୁସ୍ଥତା ପାଇଁ ପୃଥିବୀର ଦାୟିତ୍ବ ନିଅନ୍ତୁ

author img

By

Published : Apr 22, 2023, 6:54 PM IST

World Earth Day
World Earth Day

ଆହାରଠୁ ନେଇ ବାସଗୃହ, ସବୁକିଛି ଯୋଗାଉଛି ପୃଥିବୀ । ହେଲେ ମାନବର ନିହିତ ସ୍ବାର୍ଥ ଆଜି ପୃଥିବୀକୁ ଦୂଷିତ କରିପକାଇଛି । ବିଶ୍ବ ପୃଥିବୀ ଦିବସରେ ଜାଣନ୍ତୁ ଧରିତ୍ରୀର ସୁସ୍ଥତା ମାନବ ସମାଜ ପାଇଁ କେତେ ଆବଶ୍ୟକ

ହାଇଦ୍ରାବାଦ: ହୋଇପାରେ ପୃଥିବୀ ସୌରମଣ୍ଡଳର ଏକ ଗ୍ରହ । ହେଲେ ଏହି ଗ୍ରହରେ ବାସ କରୁଥିବା ଅଧିବାସୀଙ୍କ ପାଇଁ ପୃଥିବୀ ହେଉଛି ଜୀବନର ରାହା । ବସୁନ୍ଧରା ଏ ମାନବ ସମାଜ ପାଇଁ ଜନନୀ ତୁଲ୍ୟ । ଆହାରଠୁ ନେଇ ବାସଗୃହ, ସବୁକିଛି ଯୋଗାଉଛି ଏହି ଧରିତ୍ରୀ । ହେଲେ ମାନବର ନିହିତ ସ୍ବାର୍ଥ ଆଜି ପୃଥିବୀକୁ ଦୂଷିତ କରିପକାଇଛି । ବିଶ୍ବ ତାପନ, ଜଳବାୟୁ ପରିବର୍ତ୍ତନ ଆଦି ସଙ୍କଟ ବସୁନ୍ଧରାକୁ ଅଣନିଶ୍ବାସୀ କରିପାକାଇଲାଣି । ଫଳରେ ଅବେଳରେ ବନ୍ୟା, ବାତ୍ୟା, ସୁନାମୀ, ଭୂମିକମ୍ପ, ଲାର୍ଭା ଉଦ୍‌ଗୀରଣ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ମାନବ ସମାଜ । ଏହାକୁ ରୋକିବା ପାଇଁ ଆମକୁ ହିଁ ଧରିତ୍ରୀର ଯତ୍ନ ନେବାକୁ ପଡିବ । ଏଥିପାଇଁ ପ୍ରତିଟି ବ୍ୟକ୍ତିଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ବ ପୃଥିବୀ ଦିବସ ରୂପେ ପାଳନ କରାଯାଉଛି ।

World Earth Day
World Earth Day

ପୃଥିବୀର ସୁରକ୍ଷା ପାଇଁ ବିଶ୍ବବାସୀଙ୍କୁ ଏକତ୍ରିତ କରିବା ଉଦ୍ଦେଶ୍ୟରେ 1970 ଏପ୍ରିଲ୍‌ 22ରେ ଆମେରିକାରେ ବିଶ୍ବ ପୃଥିବୀ ଦିବସ ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ପୃଥିବୀର ସୁରକ୍ଷା ପାଇଁ ଏହି ଦିବସ ପାଳନ କରାଯାଉଛି । ପରିବର୍ତ୍ତିତ ଜଳବାୟୁ, ତାପମାତ୍ରାର ଅହେତୁକ ବୃଦ୍ଧି ଏହି ଦିବସ ପାଳନ ଓ ପୃଥିବୀ ପ୍ରତି ଯତ୍ନବାନ୍ ହେବା କେତେ ଆବଶ୍ୟକ ତାହା ସୂଚାଉଛି । ପ୍ରତିବର୍ଷ ଏହି ଦିବସ ଏକ ଥିମ୍(ବିଷୟବସ୍ତୁ) ଆଧାରରେ ପାଳନ କରାଯାଏ । ଚଳିତ ବର୍ଷର ଥିମ୍ 'ଆମ ଗ୍ରହ ପାଇଁ ପୁଞ୍ଜିନିବେଶ' ରଖାଯାଇଛି । ଏହି ବିଷୟବସ୍ତୁ ଏକ ଗଭୀର ବାର୍ତ୍ତା ଦେଉଛି । ଏହା ସୂଚାଉଛି ଯେ, ପୁଞ୍ଜିନିବେଶର ଅର୍ଥ ଧନ-ସମ୍ପତ୍ତି ପାଣ୍ଠି ସ୍ଥାପନ କରିବା ତାହା ନୁହେଁ, ବରଂ ବୃକ୍ଷରୋପଣ, ପୃଥିବୀର ସ୍ବଚ୍ଛତା, ବର୍ଜ୍ୟବସ୍ତୁ ନିଷ୍କାସନ ଆଦି ପ୍ରତି ଯତ୍ନବାନ୍ ହେବା ।

World Earth Day
World Earth Day

କାରଣ ଇଣ୍ଟରଗଭର୍ଣ୍ଣମେଣ୍ଟାଲ୍ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜ(IPCC)ର ରିପୋର୍ଟ ଅନୁସାରେ, ବର୍ତ୍ତମାନ ଯେଉଁପରି ଭାବରେ ଜଳବାୟୁ ପରିବର୍ତ୍ତନ ଘଟୁଛି ତାହା ମାନବ ସମାଜ ପାଇଁ ବିପଦ ସଙ୍କେତ । ପୂର୍ବ ଅପେକ୍ଷା ତାପମାତ୍ରା ବହୁଗୁଣା ବୃଦ୍ଧି ପାଇଛି । ଖରା-ବର୍ଷାର କୌଣସି ତାଳ-ମେଳ ରହୁନାହିଁ । ପୃଥିବୀ ପୃଷ୍ଠରୁ ଅନ୍ୟ ତିନି ଋତୁ ଶରତ, ହେମନ୍ତ, ବସନ୍ତର ଦେଖାନାହିଁ । କେବଳ ଗ୍ରୀଷ୍ମ, ବର୍ଷା, ଶୀତକୁ ଅନୁଭବ କରୁଛନ୍ତି ପୃଥିବୀବାସୀ, ତାହା ପୁଣି ମାତ୍ରାଧିକ ପରିମାଣରେ । କୌଣସି ଋତୁର ଏକ ସନ୍ତୁଳନ ଦେଖାଯାଉନାହିଁ । କଳ କାରଖାନା ଗଢି ଉଠିବା, ଗଛ କାଟି ଜନବସତି ସ୍ଥାପନ କରିବା ଏଥିପାଇଁ ମୁଖ୍ୟତଃ ଭାବେ ଦାୟୀ । ଜନସଂଖ୍ୟା ବୃଦ୍ଧି ଏହାର ଆଉ ଏକ ପ୍ରମୁଖ କାରଣ । ନିକଟରେ ଜାତିସଂଘର ରିପୋର୍ଟ ଅନୁସାରେ ଆମ ଦେଶ ଭାରତ ବର୍ତ୍ତମାନ ପୃଥିବୀ ସବୁଠାରୁ ଜନବହୁଳ ଦେଶ । ପୂର୍ବରୁ ପ୍ରଥମ ସ୍ଥାନରେ ଥିବା ଚୀନ୍‌କୁ ପଛରେ ପକାଇ ଦେଇଛି ଆମ ଦେଶ ।

World Earth Day
World Earth Day

ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତବାସୀଙ୍କୁ ଅଧିକ ସଚେତନ ହେବାର ଆବଶ୍ୟକ ରହିଛି । ଜନସଂଖ୍ୟା ବୃଦ୍ଧି ଏକ ଅଭିଶାପ କିମ୍ବା ବିପଦ ନୁହେଁ । ତଥାପି, ଯଦି ମାନବ ସମ୍ବଳର ସଠିକ୍ ବିନିଯୋଗ ନ ହୁଏ ତେବେ ଏହା ମଧ୍ୟ ବିପଦର କାରଣ ହୋଇପାରେ । ତେଣୁ ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଅମ୍ଳଜାନ ସମେତ ପ୍ରତ୍ୟେକ ମୌଳିକ ଆବଶ୍ୟକତା ପାଇଁ ଯତ୍ନବାନ୍ ହେବା ଉଚିତ୍ । ଆମ ପରିବେଶ ଓ ପୃଥିବୀକୁ ସୁସ୍ଥ ରଖି ପାରିଲେ ଏଠାରେ ବାସ କରୁଥିବା ଅଧିବାସୀ ନିଶ୍ଚିତ ରୂପେ ସୁସ୍ଥ ରହିପାରିବେ । ତେଣୁ ସଚେତନ ରୁହନ୍ତୁ, ନିଜର ସୁସ୍ଥତା ପାଇଁ ପୃଥିବୀର ଦାୟିତ୍ବ ନିଅନ୍ତୁ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.