ETV Bharat / sukhibhava

Women's Day Special: ଋତୁସ୍ରାବରେ ଆଚାର ଡବା ନଛୁଇଁବା କେତେ ଯୁକ୍ତିଯୁକ୍ତ, ଜାଣନ୍ତୁ

author img

By

Published : Mar 3, 2023, 7:55 AM IST

Women's Day Special
Women's Day Special

ପିରିୟଡ୍ସ ବା ଋତୁସ୍ରାବ ମହିଳାଙ୍କର ଏକ ଶାରୀରିକ ପ୍ରକ୍ରିୟା । ମାତ୍ର ଏହି ସମୟରେ ଅନେକ ବିଶ୍ବାସ, ଅବିଶ୍ବାସ, ଅନ୍ଧବିଶ୍ବାସ ରହିଛି । ଏହି ସମୟରେ ଆଚାର ଡବା ନଛୁଇଁବା, ରୋଷେଇ ଘର ପ୍ରବେଶ ନକରିବା ପ୍ରଥା ଉପରେ କଣ କହୁଛନ୍ତି ଡାକ୍ତର, ଜାଣନ୍ତୁ

ହାଇଦ୍ରାବାଦ: ଋତୁସ୍ରାବ ବା ମାସିକ ଧର୍ମ ମହିଳାଙ୍କ ଏକ ଶାରୀରିକ ପ୍ରକ୍ରିୟା । ଏହି ପ୍ରକ୍ରିୟା ନିୟମିତ ବ୍ୟବଧାନରେ ହେବା ଏକ ସୁସ୍ଥତାର ସଙ୍କେତ । ଯଦି ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବ ବିଳମ୍ବ ହୁଏ କିମ୍ବା ଆଦୌ ନହୁଏ, ତେବେ ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ମାତ୍ର ଏହି ପ୍ରକ୍ରିୟାକୁ ନେଇ ପୂର୍ବ ସମୟରୁ କେତେକ ବିଶ୍ବାସ, ଅବିଶ୍ବାସ ଏବଂ ଅନ୍ଧବିଶ୍ବାସ ରହିଆସିଛି । ବିଂଶ ଶତାବ୍ଦିରେ ମଧ୍ୟ ଏହା ଏକ ଲାଜର କଥା ବୋଲି କିଛି ଲୋକ ଧରି ନେଉଛନ୍ତି ।

ଏହି କାରଣରୁ ଝିଅ କିମ୍ବା ମହିଳାଙ୍କୁ ସ୍ବାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଆସନ୍ତୁ ଜାଣିବା ବାସ୍ତବରେ ଋତୁସ୍ରାବ ନାରୀଟିଏ ପାଇଁ କେତେ ଆବଶ୍ୟକ ଏବଂ ଏହା ଲଜ୍ଜାକର ନୁହେଁ ବରଂ ପରିଚୟ, ସେଥିପାଇଁ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ଋତୁସ୍ରାବକୁ ନେଇ ଆଜି ବି କେତେକ ଦ୍ବନ୍ଦ୍ବ ରହିଛି । କିଛି ଲୋକ ଏହାକୁ ଅଶୁଦ୍ଧି ବୋଲି ଭାବନ୍ତି । ଏହି ସମୟରେ ରୋଷେଇ ଘରକୁ ନଯିବା, କିଛି ନିର୍ଦ୍ଦିଷ୍ଟ ଜିନିଷ ନଛୁଇଁବା, ମନ୍ଦିରକୁ ନ ଯିବା, ପୂଜା ନକରିବା, ବ୍ୟାୟାମ ନ କରିବା, ବିଛଣାରେ ନ ଶୋଇବା, କିଛି ପ୍ରକାରର ଖାଦ୍ୟ ନ ଖାଇବା ଇତ୍ୟାଦି । ଏହାକୁ ନେଇ ଡାକ୍ତର ଏବଂ ବିଶେଷଜ୍ଞଙ୍କ କୁହନ୍ତି ଯେ, ଋତୁସ୍ରାବ ବିଷୟରେ ଅଧିକାଂଶ ପ୍ରଚଳିତ ଧାରଣା ସତ୍ୟଠାରୁ ବହୁ ଦୂରରେ । ତେବେ ଦିଲ୍ଲୀର ସ୍ତ୍ରୀ ରୋଗ ବିଶେଷଜ୍ଞ କେୟାର କ୍ଲିନିକ୍ ଡାକ୍ତର ଅଞ୍ଜନା ସିଂ ଏନେଇ କଣ କହୁଛନ୍ତି, ଜାଣନ୍ତୁ ।

ସାଧାରଣ ଭୁଲ ଧାରଣା:

ଋତୁସ୍ରାବ ସମୟରେ ମହିଳାମାନେ ଅପରିଷ୍କାର ହୋଇଯାଆନ୍ତି, କାରଣ ଏହି ସମୟରେ ବାହାରୁଥିବା ରକ୍ତ ଅପରିଷ୍କାର । ସେଥିପାଇଁ ସେମାନେ ଏହି ସମୟ ମଧ୍ୟରେ କୌଣସି ଶୁଭ କାମ କରିବା ଉଚିତ୍ ନୁହେଁ । ଏହି ସମୟ ମଧ୍ୟରେ ରୋଷେଇ ଘର ଏବଂ ମନ୍ଦିରକୁ ଯିବା ଉଚିତ୍ ନୁହେଁ । ଏହି ସମୟରେ ଆଚାର ଛୁଇଁଲେ, ଏହା ନଷ୍ଟ ହୋଇଯାଏ । ଆଚାର କିମ୍ବା ଚଟ୍‌ପଟା ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଗରମ ପାଣିରେ ଗାଧୋଇବା ଓ କେଶ ସଫା କରିବା ଠିକ୍ ନୁହେଁ । ଅବଧି ସମୟରେ ବ୍ୟାୟାମ କରିବା ଉଚିତ୍ ନୁହେଁ । ବିଛଣାରେ ଶୋଇବା ଉଚିତ୍ ନୁହେଁ । ମାସିକ ଋତୁସ୍ରାବ ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନୁହେଁ ।

ଏହା ମଧ୍ୟ ପଢନ୍ତୁ:- ମାସିକ ଧର୍ମ ସମୟରେ ଏହି ସବୁ ସମସ୍ୟାକୁ ଆଦୌ ଅବହେଳା କରନ୍ତୁନି

ସତ୍ୟ:

ମାସିକ ଋତୁସ୍ରାବ ସହିତ ଜଡିତ ଏହି ଧାରଣା ଏବଂ ଅନ୍ୟ କେତେକ ବିଶ୍ବାସର ସତ୍ୟତା ସହିତ ଡକ୍ଟର ଅଞ୍ଜନା ସିଂ କହିଛନ୍ତି ଯେ, ଋତୁସ୍ରାବକୁ ଧାର୍ମିକ ବିଶ୍ୱାସ ସହିତ ଯୋଡିବା ଠିକ୍ ନୁହେଁ । ଋତୁସ୍ରାବ ହେଉଛି ମହିଳାମାନଙ୍କର ପ୍ରଜନନ ସ୍ବାସ୍ଥ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ, ତେଣୁ ଋତୁସ୍ରାବ ସମୟରେ ସେମାନଙ୍କୁ ଅଶୁଦ୍ଧ ବୋଲି କହିବା ଠିକ୍ ନୁହେଁ । ଏଥି ସହିତ, ଏହି ସମୟ ମଧ୍ୟରେ ବାହାରୁଥିବା ରକ୍ତ ଶରୀରର ଅପରିଷ୍କାର କିମ୍ବା ଦୂଷିତ ରକ୍ତ ନୁହେଁ ।

ବାସ୍ତବରେ, ପ୍ରତ୍ୟେକ ମାସରେ ହରମୋନ୍ କାରଣରୁ ମହିଳାଙ୍କ ଗର୍ଭାଶୟରେ ଏକ ସ୍ତର ସୃଷ୍ଟି ହୁଏ । ଯେପର୍ଯ୍ୟନ୍ତ ମହିଳା ଗର୍ଭଧାରଣ କରନ୍ତି ନାହିଁ, ଏହି ସ୍ତର ମାସିକ ଋତୁସ୍ରାବ ସମୟରେ ଭାଙ୍ଗିଯାଏ ଏବଂ ରକ୍ତସ୍ରାବ ଆକାରରେ ଶରୀରରୁ ବାହାରିଥାଏ । ଯେତେବେଳେ ମହିଳା ଗର୍ଭବତୀ ହୁଅନ୍ତି ଏହି ପ୍ରକ୍ରିୟା ବନ୍ଦ ହୋଇଯାଏ । ଏଭଳି ପରିସ୍ଥିତିରେ, ଋତୁସ୍ରାବ ସମୟରେ ମହିଳାଙ୍କୁ ଅଶୁଦ୍ଧ ବୋଲି କହିବା ଏବଂ ସେମାନଙ୍କୁ ମନ୍ଦିର କିମ୍ବା ରୋଷେଇ ଘରକୁ ଯିବାକୁ ବାରଣ କରିବା ଏକ ଭୁଲ୍ ପ୍ରଥା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଜଣେ ମହିଳା ନିୟମିତ ବ୍ୟାୟାମ କରନ୍ତି, ତେବେ ଋତୁସ୍ରାବ ସମୟରେ ସେ ଯନ୍ତ୍ରଣାରୁ ଅନେକ ଆରାମ ପାଇପାରିବେ । କାରଣ ଏହା କେବଳ ମାଂସପେଶୀକୁ ସୁସ୍ଥ ଏବଂ ସକ୍ରିୟ ରଖେ ନାହିଁ, ଶାରୀରିକ, ମାନସିକ ଏବଂ ହରମୋନାଲ ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖେ । ଏହି ସମୟ ମଧ୍ୟରେ ଗରମ ପାଣିରେ ଗାଧୋଇବା କିମ୍ବା ମୁଣ୍ଡ ଧୋଇବା ଉଚିତ୍ ନୁହେଁ ବୋଲି କହିବା ମଧ୍ୟ ଏକ ଭ୍ରମ ।

ସମୟ ସମୟରେ ଗରମ ପାଣି ସହିତ ସ୍ନାନ କରିବା ଦ୍ୱାରା ଶରୀରର ଅସ୍ୱାଭାବିକତା ଏବଂ ଯନ୍ତ୍ରଣାରେ ବହୁତ ଆରାମ ମିଳିଥାଏ । ଏଥିସହ, ଏହି ସମୟରେ ମୁଣ୍ଡ ଧୋଇବା ଉଚିତ କି ନୁହେଁ ତାହା ସମ୍ପୁର୍ଣ୍ଣ ଭାବରେ ମହିଳାଙ୍କ ଉପରେ ନିର୍ଭର କରେ । ଏଥିରେ ବାରଣ, ନିୟମ ରହିବାର କୌଣସି ବିଜ୍ଞାନ ଗତ ଆବଶ୍ୟକତା ନାହିଁ ।

ଡ. ଅଞ୍ଜନା କହିଛନ୍ତି ଯେ, ଏହି ସମୟ ମଧ୍ୟରେ ଖାଦ୍ୟ ବିଷୟରେ ଅନେକ କଥା ରହିଛି, ସବୁ ଭୁଲ୍ ନୁହେଁ । କୁହାଯାଏ ଋତୁସ୍ରାବ ସମୟରେ ଏକ ସରଳ ଖାଦ୍ୟ ଖାଇବା ଉଚିତ ଏବଂ ଏହି ସମୟ ମଧ୍ୟରେ ଥଣ୍ଡା ପାଣି ଏବଂ ଅନ୍ୟ ଥଣ୍ଡା ପାନୀୟ କିମ୍ବା ଥଣ୍ଡା ପ୍ରଭାବ ସହିତ ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ ।

ବାସ୍ତବରେ, ଏହି ସମୟରେ ହରମୋନ୍ କାର୍ଯ୍ୟକଳାପ ଆମର ହଜମ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥାଏ । ସେହିପରି ଗର୍ଭାଶୟ ୱାଲ୍‌ରେ ସଂକୋଚନ ହେତୁ ମହିଳାମାନେ ପେଟରେ ଯନ୍ତ୍ରଣା କିମ୍ବା କଷ୍ଟର ସମ୍ମୁଖୀନ ହୋଇଥା'ନ୍ତି । ତେଣୁ ହଜମ ପ୍ରକ୍ରିୟାରେ ବ୍ୟାହାତ ସୃଷ୍ଟି କରୁଥିବା ଖାଦ୍ୟରୁ ଦୂରେଇ ରହିବା ଉଚିତ୍ ।

ଏହା ବ୍ୟତୀତ ଆଉ ଏକ ବିଶ୍ବାସ ରହିଛି କି, ଋତୁସ୍ରାବ ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନୁହେଁ । ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ସମ୍ପୂର୍ଣ୍ଣ ପୁରୁଷ କିମ୍ବା ସ୍ତ୍ରୀର ଇଚ୍ଛା ଉପରେ ନିର୍ଭର କରେ । ଏହାର କୌଣସି ପ୍ରକାର ପ୍ରଭାବ ଶରୀର ଉପରେ ପଡେ ନାହିଁ, ବରଂ ଏହି ସମୟରେ ଶାରିରୀକ ସମ୍ପର୍କ ରଖିବା ଦ୍ବାରା ପେଟ ଯନ୍ତ୍ରଣା କିମ୍ବା ଅସହଜତାରୁ ମୁକ୍ତି ମିଳିପାରେ ।

ପ୍ରଗତି ପାଇଁ ଦ୍ୱନ୍ଦ୍ୱରୁ ବାହାରିବା ଆବଶ୍ୟକ

ଡ. ଅଞ୍ଜନାଙ୍କ କହିବା ଅନୁସାରେ, ଋତୁସ୍ରାବ ମହିଳାଙ୍କ ଜୀବନରେ ଏକ ଜରୁରୀ ଏବଂ ସାଧାରଣ ପ୍ରକ୍ରିୟା । ଏହି ସମୟ ମଧ୍ୟରେ ମହିଳାମାନେ ଅଧିକ କିମ୍ବା କମ ଯନ୍ତ୍ରଣାର ସମ୍ମୁଖୀନ ହୁଅନ୍ତି । ଏପରି ପରିସ୍ଥିତିରେ, ସେମାନଙ୍କୁ ଭେଦଭାବ କରିବା କିମ୍ବା ଋତୁସ୍ରାବ ନାମରେ କିଛି କାର୍ଯ୍ୟରେ ବାଧାଦେବା ଉଚିତ୍ ନୁହେଁ । ବର୍ତ୍ତମାନ ସମୟରେ, ମହିଳାମାନଙ୍କର ଦାୟିତ୍ବ କେବଳ ଘରେ ସୀମିତ ନୁହେଁ । ଅଧ୍ୟୟନ ଏବଂ ବୃତ୍ତି କାରଣରୁ ସେମାନଙ୍କୁ ପ୍ରତିଦିନ ଘରୁ ବାହାରିବାକୁ ପଡିଥାଏ । ତେଣୁ କୌଣସି ଭ୍ରାନ୍ତ ଧାରଣାକୁ ଆଧାର କରି ସେମାନଙ୍କ ପ୍ରଗତିକୁ ରୋକିବା ଉଚିତ୍ ନୁହେଁ, ବରଂ ପ୍ରତ୍ୟେକ ପରିସ୍ଥିତିରେ ସେମାନଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.