ETV Bharat / sukhibhava

ଏଡସ୍‌କୁ ମାତ୍ ଦେଉଛି ଷ୍ଟେମ୍-ସେଲ୍ ଥେରାପୀ, ବିଶ୍ବର ତୃତୀୟ ବ୍ୟକ୍ତି ରୋଗମୁକ୍ତ

author img

By

Published : Feb 22, 2023, 11:22 AM IST

HIV
HIV

ବିଶ୍ବର ତୃତୀୟ ବ୍ୟକ୍ତି ଭାବରେ ଜର୍ମାନୀର ଜଣେ HIV ରୋଗୀ ହେଲେ ରୋଗ ମୁକ୍ତ । ଚିକିତ୍ସା କ୍ଷେତ୍ରରେ ଷ୍ଟେମ୍-ସେଲ୍ ଥେରାପୀକୁ ମିଳିଲା ସଫଳତା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସବୁଠୁ ଘାତକ କୁହାଯାଉଥିବା ଏଚଆଇଭି ଏଡସ୍ ଚିକିତ୍ସା କ୍ଷେତ୍ରକୁ ମିଳିଲା ସଫଳତା । ଦୂରାରୋଗ୍ୟ କୁହାଯାଉଥିବା ଏହି ରୋଗର ଦୂରୀକରଣ ପାଇଁ ଷ୍ଟେମ୍-ସେଲ୍ ଧୀରେ ଧୀରେ ପ୍ରଭାବୀ ସାବ୍ୟସ୍ତ ହେଉଛି । ବିଶ୍ବର ତୃତୀୟ ବ୍ୟକ୍ତି ଭାବେ ଜର୍ମାନୀର ଜଣେ 53 ବର୍ଷୀୟ ବ୍ୟକ୍ତି ଏହି ଥେରାପି ଜରିଆରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଛନ୍ତି । ଏହି ବ୍ୟକ୍ତିଙ୍କର ଷ୍ଟେମ-ସେଲ୍ ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସା କରାଯିବା ପରେ ବର୍ତ୍ତମାନ ତାଙ୍କୁ ସମ୍ପୂର୍ଣ୍ଣ ଭୂତାଣୁମୁକ୍ତ ଘୋଷିତ କରିଛନ୍ତି ଡାକ୍ତର ।

ଏହି ଅନୁସନ୍ଧାନର ଫଳାଫଳ ନେଚର୍ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, 2018ରୁ ତାଙ୍କର ଷ୍ଟେମ-ସେଲ୍ ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସା କରାଗଲାଣି । 4 ବର୍ଷ ତାଙ୍କୁ ଅବଜର୍‌ଭେସନରେ ରଖାଯିବା ପରେ, ଯେତେବେଳେ ସେ ସମ୍ପୂର୍ଣ୍ଣ ଭୂତାଣୁମୁକ୍ତ ହୋଇଛନ୍ତି ଗବେଷକମାନେ ଏନେଇ ଘୋଷଣା କରିଛନ୍ତି । ରୋଗୀଙ୍କ ପରିଚୟ ଗୋପନ ରଖି ଡାକ୍ତରମାନେ ତାଙ୍କ ଛଦ୍ମନାମ 'ଡସେଲଡର୍ଫ ପେସେଣ୍ଟ' ରଖିଛନ୍ତି ।

ଜର୍ମାନର 'ଡସେଲଡର୍ଫ ପେସେଣ୍ଟ' 2008ରେ, ଏଚ୍.ଆଇ.ଭି ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାର ତିନି ବର୍ଷ ପରେ ସେ ଏକ୍ୟୁଟ୍ ମାଇଲୋଏଡ୍ ଲ୍ୟୁକେମିଆ ରୋଗରେ ଆକ୍ରାନ୍ତ ହୋଇଥିଲେ, ଯାହା ରକ୍ତ କର୍କଟ ରୋଗର ଏବଂ ଜୀବନ ପ୍ରତି ବିପଦ ସୃଷ୍ଟି କରେ । ଅଧ୍ୟୟନ ଅନୁଯାୟୀ, 'ଡସେଲଡର୍ଫ ପେସେଣ୍ଟ' ଭାବରେ ଜଣାଶୁଣା ଏହି ବ୍ୟକ୍ତିଙ୍କର ଜଣେ ମହିଳା ଡୋନର୍‌ଙ୍କ ଷ୍ଟେମ୍-ସେଲ୍ ବ୍ୟବହାର କରି CCR5 ଜିନରେ ଏକ ବିରଳ ପରିବର୍ତ୍ତନ ସହିତ ଏକ ଅସ୍ଥି ମଜ୍ଜା ପ୍ରତିରୋପଣ କରାଯାଇଥିଲା । ବର୍ତ୍ତମାନ ତାଙ୍କ ଶରୀରରେ HIV ଭୂତାଣୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ILSର ବଡ ଉପଲବ୍ଧି: ବାହାରିଲା ବ୍ରେନ ମ୍ୟାଲେରିଆ ଔଷଧ, ଖୁବଶୀଘ୍ର ହେବ ମାନବ ପରୀକ୍ଷଣ

ତେବେ କହି ରଖୁଛୁ ଯେ, ଏହି ଘଟଣା ପ୍ରଥମ ନୁହେଁ । ଏହାପୂର୍ବରୁ, ବର୍ଲିନ୍ ଏବଂ ଲଣ୍ଡନରେ ଉଭୟ ଏଚ୍.ଆଇ.ଭି ଏବଂ କର୍କଟ ରୋଗରେ ଆକ୍ରାନ୍ତ ଅନ୍ୟ ଦୁଇ ରୋଗୀ ଏହିପରି ଉଚ୍ଚ ବିପଦପୂର୍ଣ୍ଣ ପଦ୍ଧତି ମାଧ୍ୟମରେ ସୁସ୍ଥ ହୋଇଥିବା ନେଚର୍ ପତ୍ରିକାରେ ପ୍ରକାଶ ପାଇଛି । ଏହି ଚିକିତ୍ସା ଏକ ବିପଦପୂର୍ଣ୍ଣ ପ୍ରକ୍ରିୟା ଏବଂ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ଥିବା ଗବେଷକମାନେ କହିଛନ୍ତି । ତଥାପି ଷ୍ଟେମ୍‌-ସେଲ୍ ପଦ୍ଧତି ଧୀରେ ଧୀରେ ପ୍ରଭାବୀ ହେଉଥିବାରୁ HIV ଦୂରୀକରଣ କ୍ଷେତ୍ରରେ ଆଶା ସଞ୍ଚାର ହୋଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍(ମାନବ ଇମ୍ମ୍ୟୁନଅଭାବ ଭୁତାଣୁ, HIV and AIDS) ସଂକ୍ରମଣରେ ଏହି ରୋଗ ହୋଇଥାଏ । ବିଶେଷ କରି ଅସୁରକ୍ଷିତ ଶାରୀରିକ ସମ୍ପର୍କ ଏହି ରୋଗର ମୁଖ୍ୟ କାରଣ । ରୋଗ ଆରମ୍ଭ ସମୟରେ ଆଦୌ ଲକ୍ଷଣ ଜଣାପଡେନାହିଁ । ପ୍ରାରମ୍ଭରେ ସାମାନ୍ୟ ଇନଫ୍ଲୁଏଞ୍ଜା ରୋଗ ଭଳି ଲକ୍ଷଣ ଦେଖାଯାଏ । ସମୟକ୍ରମେ ଇମ୍ମ୍ୟୁନିଟି ବିଭାଗକୁ ଦୁର୍ବଳ କରିଦିଏ, ଫଳରେ ଯକ୍ଷ୍ମା ତ‌ଥା ଅନ୍ୟାନ୍ୟ ସଂକ୍ରମଣ ହୁଏ ।

ଏହି ରୋଗ ହେଲେ ଅଚାନକ ଓଜନ ହ୍ରାସ ପାଏ । ରୋଗୀଠାରୁ ରୋଗୀକୁ ସିଧା ବ୍ୟାପି ନଥିଲେ ମଧ୍ୟ ବ୍ଲେଡ ଟ୍ରାନ୍ସଫ୍ୟୁଜନ ଅର୍ଥାତ୍ ସଂକ୍ରମିତ ରୋଗୀଙ୍କ ଠାରୁ ରକ୍ତ ନେବା, ଇଞ୍ଜେକସନ ଛୁଞ୍ଚି, ଗର୍ଭାବସ୍ଥାରେ, ପ୍ରସବ କାଳରେ ଓ ସ୍ତନ୍ୟପାନ ଦ୍ୱାରା କିମ୍ବା ସମ୍ପୃକ୍ତ ରୋଗୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ ମାଧ୍ୟମରେ ଏହି ରୋଗ ବ୍ୟାପିଥାଏ । ମନେ ରଖନ୍ତୁ ଶରୀର ନିର୍ଗତ ଲୁହ ଓ ଲାଳଦ୍ୱାରା ସଂକ୍ରମଣ ହୁଏ ନାହିଁ । ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ କିନ୍ତୁ ସଚେତନତା ନିଶ୍ଚିତ ରୂପେ ରୋଗକୁ ମାତ୍ ଦେଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.