ETV Bharat / state

ସୁନ୍ଦରଗଡରେ ବିଭିନ୍ନ ପ୍ରକଳ୍ପର ହେବ ସଫଳ ରୂପାୟନ, ଓମ୍ବାଡିସି ପାଣ୍ଠି ବିନିଯୋଗ ନେଇ ସ୍ବତନ୍ତ୍ର କର୍ମଶାଳା

author img

By

Published : May 5, 2023, 7:55 AM IST

special workshop sundargarh
special workshop sundargarh

ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡିସି ପାଣ୍ଠି ବିନିଯୋଗରେ ବିଭିନ୍ନ ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ଓ ସଫଳ କାର୍ଯ୍ୟ ରୂପାୟନ ପାଇଁ ସ୍ୱତନ୍ତ୍ର କର୍ମଶାଳା। ଅଧିକ ପଢନ୍ତୁ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ପକ୍ଷରୁ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଗତକାଲି(ଗୁରୁବାର) ସ୍ଥାନୀୟ ସଦଭାବନା ଭବନ ଠାରେ ଏହି କର୍ମଶାଳା କରାଯାଇଥିଲା । ତେବେ ଏଥିରେ ଓମ୍ବାଡିସି ପାଣ୍ଠି ସହାୟତାରେ ଜିଲ୍ଲାରେ ହେଉଥିବା ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ରାସ୍ତା ସଂଯୋଗୀକରଣ, ଜୀବିକା ଓ ପରିବେଶ ସୁରକ୍ଷା ଭଳି ପ୍ରମୁଖ ପ୍ରକଳ୍ପ ଗୁଡ଼ିକର ଯୋଜନା ଓ ଦକ୍ଷ କାର୍ଯ୍ୟାନ୍ବୟନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଏହି କର୍ମଶାଳାରେ ଜିଲ୍ଲାର ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ମହାଜନ ଯୋଗ ଦେଇ ଜିଲ୍ଲାର ବିକାଶ କାର୍ଯ୍ୟକ୍ରମରେ ଓମ୍ବାଡିସି ପାଣ୍ଠିର ବିନିଯୋଗ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ବିଭାଗ, ବିଶେଷ କରି କ୍ଷେତ୍ର ସ୍ତରୀୟ ଅଧିକାରୀ ଏବଂ ପ୍ରକଳ୍ପ ରୂପାୟନ ସହ ସଂପୃକ୍ତ ସହଯୋଗୀ ସଂସ୍ଥାମାନଙ୍କ ସମନ୍ବୟକ୍ରମେ ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଏଥିସହ ଓମ୍ବାଡିସିର ଜେନେରାଲ ମ୍ୟାନେଜର ଜୟନ୍ତ କୁମାର ଦାସ ଏବଂ ଫାଇନାନ୍ସର ଜେନେରାଲ ମ୍ୟାନେଜର ଭବାନୀ ପ୍ରସାଦ ଦାସ ଏଥିରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଯୋଜନା ବେଳେ ଆବଶ୍ୟକ ରିପୋର୍ଟ ପ୍ରସ୍ତୁତିରେ କେଉଁ କେଉଁ ବିଷୟରେ ଧ୍ୟାନ ଦିଆଯିବା ଦରକାର ସେ ସମ୍ପର୍କରେ କହିଥିଲେ । ସେହିପରି ଟିମ୍ ଲିଡର ଅମ୍ବୁଜ ପ୍ରସାଦ ଓମ୍ବାଡିସି ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ ।

ଏହି ବିଶେଷ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ, ବରିଷ୍ଠ କ୍ଷେତ୍ର ଅଧିକାରୀ ତଥା ବିଭିନ୍ନ ପ୍ରକଳ୍ପ ସହ ଜଡ଼ିତ ସହଯୋଗୀ ସଂସ୍ଥାର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଓମ୍ବାଡିସି ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଏବଂ ଏମଆଇଏସ୍ ବିଶେଷଜ୍ଞ ଉପସ୍ଥିତ ଥିଲେ । ତେବେ ଓମ୍ବାଡସି ପାଣ୍ଠିର ଆର୍ଥିକ ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାରେ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଉଥିବା ବେଳେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସହିତ ଶିକ୍ଷା ଭିତ୍ତିମୂମିକୁ ସୁଦୃଢ଼ କରିବା ଲାଗି ପଦକ୍ଷେପ ନିଆଯାଉଛି ।

ଚାଷୀଙ୍କ ଦୀର୍ଘସ୍ଥାୟୀ ଜୀବିକା ବିକାଶ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି । ତା’ଛଡ଼ା ପରିବେଶ ସୁରକ୍ଷା ସହିତ ଜଳ ଓ ମୃତ୍ତିକା ସଂରକ୍ଷଣ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ସେହିପରି ଏହି ପାଣ୍ଠି ସହଯୋଗରେ ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ସୁଗମ କରିବା ଲାଗି ରାସ୍ତା ସଂଯୋଗୀକରଣ, ପିଲାମାନଙ୍କ ପାଇଁ ଅତ୍ୟାଧୁନିକ ଅଙ୍ଗନବାଡ଼ି କେନ୍ଦ୍ର, ଦୁର୍ଗମ ଅଞ୍ଚଳ ପାଇଁ ବାଇକ ଆମ୍ବୁଲାନ୍ସ ଏବଂ ମହିଳା ଓ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଜୀବିକା ବିକାଶ କାର୍ଯ୍ୟକ୍ରମ ଉପରେ ପ୍ରଶାସନ ପକ୍ଷରୁ ଅଗ୍ରାଧିକାର ଦିଆଯାଉଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.