ETV Bharat / state

ନୂଆଖାଇରେ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଧୁମଧାମରେ ପାଳନ କଲେ ରାଉରକେଲାବାସୀ

author img

By ETV Bharat Odisha Team

Published : Sep 20, 2023, 7:50 PM IST

ନୂଆଖାଇ
ନୂଆଖାଇ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଚଳଚଞ୍ଚଳ ହୋଇ ଉଠିଛି ରାଉରକେଲା ସହର । ଧୁମଧାମରେ ନୂଆଖାଇ ଉତ୍ସବ ପାଳନ କରିଛନ୍ତି ଅଞ୍ଚଳବାସୀ । ଅଧିକ ପଢ଼ନ୍ତୁ

ନୂଆଖାଇ

ରାଉରକେଲା: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ରାଉରକେଲା ସହର । ଧୁମଧାମରେ ନୂଆଖାଇ ଉତ୍ସବ ପାଳନ କରିଛନ୍ତି ଅଞ୍ଚଳବାସୀ । ଆଜିର ଦିନରେ ମା' ସମଲେଶ୍ବରୀ, ମା' ମାନିକେଶ୍ୱରୀ ଏବଂ ମା' ପାଟନେଶ୍ୱରୀଙ୍କ ନିକଟରେ ନବାନ୍ନ ଭୋଗ ଲଗି କରାଯାଇଛି । ନୂଆଖାଇ ପର୍ଵକୁ ଉତ୍ସାହର ସହ ପାଳନ କରନ୍ତି ପଶ୍ଚିମ ଓଡି଼ଶାର ଲୋକେ । ପଶ୍ଚିମ ଓଡି଼ଶାର ଅଧିଷ୍ଠାତ୍ରୀ ଦେବୀ ମା' ସମଳେଇଙ୍କ ପୂଜା ଅର୍ଚ୍ଚନା କରି ମା'ଙ୍କ ନିକଟରେ ନୂଆ ଚାଉଳରେ ଭୋଗ ଲଗାଯାଇଥାଏ । ଏହାସହ ନୂଆ ଡ୍ରେସ, ପିଠା ପଣା, ମିଠା ତିଆରି କରି ଘରେ ଉତ୍ସବକୁ ଧୁମଧାମରେ ପାଳନ କରନ୍ତି । ସପରିବାର ମିଶି ଏକାଠି ହୋଇ ନୂଆ ଭୋଗ ଲଗାଇ ମିଳି ମିଶି ଘରେ ଭୋଗ ଖାଇଥାନ୍ତି।

ତେବେ ଆଜି ରାଉରକେଲା ସମଲେଶ୍ବରୀ ମନ୍ଦିରରେ ଧୁମଧାମରେ ପାଳନ ହୋଇଛି ନୂଆଖାଇ ପର୍ବ। ଏହି ପର୍ବରେ ମା'ଙ୍କ ପାଖରେ ପୂଜା ଅର୍ଚ୍ଚନା କରି ରାଉରକେଲା ସହରର ବସବାସ କରୁଥିବା ସମସ୍ତ ପଶ୍ଚିମ ଓଡିଶା ଲୋକେ ଏକାଠି ହୋଇ ସପରିବାର ସହ ନୂଆଖାଇକୁ ପାଳିଛନ୍ତି । ମା"ଙ୍କ ଠାରେ ନବାନ୍ନ ଲାଗିଲା ସମୟରେ ଢୋଲ, ଘଣ୍ଟଘଣ୍ଟା ଧ୍ବନିରେ ପ୍ରକମ୍ପିତ ହୋଇଛି ରାଉରକେଲା ମା' ସମଲେଇ ମନ୍ଦିର ପରିସର । ସେହିପରି ପାଟଣାଗଡ଼ରେ ମା' ପାଟଣେଶ୍ବରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼ ଓ ରାଉରକେଲା ରେ ମା' ସମଲେଶ୍ବରୀ, ସୋନପୁରରେ ମା' ସୁରେଶ୍ବରୀଙ୍କ ଠାରେ ପୂର୍ବ ନିର୍ଧାରିତ ଲଗ୍ନ ଅନୁଯାୟୀ ନୂଆ ଚାଉଳରେ ପ୍ରସ୍ତୁତ ଭୋଗ ଲଗାଯାଇଛି । ସମସ୍ତ ସହର ଓ ଗାଁରେ ସେଠାକାର ଅଧିଷ୍ଠିତ ଦେବାଦେବୀଙ୍କୁ ପ୍ରଥମେ ନବାନ୍ନ ଭୋଗ ଲାଗି କରାଯାଇଛି । ଏହା ପରେ ପ୍ରତି ପରିବାରରେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ନୂଆ ଭୋଗ ଲଗାଇଛନ୍ତି । ଚାଷୀମାନେ ନିଜ କ୍ଷେତକୁ ଯାଇ ପୂଜା କରିବା ସହ ସପରିବାର ଏକାଠି ବସି ନୂଆଁ ଅନ୍ନ ଖାଇ ଏହି ପର୍ବକୁ ପାଳିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ...ଏକାଠି ବସି ନୂଆଖାଇ ପାଳିଲେ ବଲାଙ୍ଗୀର ରାଜ ପରିବାର

ଏହି ନୂଆଖାଇ ପର୍ବରେ ପରିବାର ସମସ୍ତେ ଏକାଠି ହୁଅନ୍ତି । ବାପା ମା, ଭାଇ ଭଉଣୀ, ଦାଦା ଖୁଡି, ଜେଜେବାପା ଜେଜେମା ସହ ସମ୍ପୂର୍ଣ୍ଣ ସପରିବାର ଏକାଠି ହୋଇ ଏହାକୁ ଧୁମଧାମରେ ପାଳନ କରନ୍ତି। ନୂଆଖାଇ ସରିବା ପରେ ନିଜଠୁ ବଡ଼ ଲୋକଙ୍କୁ ଜୁହାର୍‌ ବା ନମସ୍କାର ହୋଇ ନୂଆଖାଇ ଭେଟଘାଟ ହୋଇଥାନ୍ତି । ନମସ୍କାର ହୋଇ ଆଶୀର୍ବାଦ ନେବାର ଏକ ସ୍ବତନ୍ତ୍ର ଓ ନିଆରା ପରମ୍ପରା ରହିଛି । ଏହା ବେଶ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥାଏ । ନୂଆଖାଇ ସାରିବା ପରେ ଦେବାଦେବୀଙ୍କ ମନ୍ଦିର ଯାଇ ଦର୍ଶନ କରିବାର ପରମ୍ପରା ମଧ୍ୟ ରହିଛି । ସେପଟେ ଆଜି ସନ୍ଧ୍ୟାରେ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟ୍‌ଘାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଷ୍ଟିଲି ସିଟି ରାଉରକେଲା ସହରର ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.