ETV Bharat / state

ଏଥର ସମ୍ଭବ ଗଭୀର ଜଳରେ ଗବେଷଣା, ରୋବଟ ତିଆରି କଲେ NIT ରାଉରକେଲା ଛାତ୍ର

author img

By

Published : Feb 19, 2023, 5:20 PM IST

ଗଭୀର ଜଳ ମଧ୍ୟରେ ବ୍ରିଜ, ଡ୍ୟାମର ସ୍ଥିତି କିପରି ଅଛି ତାହା ସବୁବେଳେ ସମ୍ଭବ ହୁଏନାହିଁ । ଫଳରେ ଅସମୟରେ ବ୍ରିଜ ଡ୍ୟାମ ଆଦି କ୍ଷତିଗ୍ରସ୍ତ ହୁଏ । ଏଭଳି ସମସ୍ୟାର ସମାଧାନ ଲାଗି ଅଣ୍ଡର ୱାଟର ରୋବଟ ତିଆରି କରିଛନ୍ତି NIT ରାଉରକେଲା ଛାତ୍ର । ଅଧିକ ପଢନ୍ତୁ

Robot Jaldoot
Robot Jaldoot

ରୋବଟ ତିଆରି କଲେ NIT ରାଉରକେଲା ଛାତ୍ର

ରାଉରକେଲା: ଏଣିକି ସହଜରେ ଜାଣି ହେବ ଗଭୀର ଜଳ ମଧ୍ୟରେ କିପରି ରହିଛି ବ୍ରିଜ ଡ୍ୟାମର ସ୍ଥିତି । ଗଭୀର ଜଳରେ ଗବେଷଣା ପାଇଁ ରାଉରକେଲା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର କୋରାସିଆ ଟେକ୍ନୋଲୋଜି ଟିମ ତିଆରି କରିଛନ୍ତି ଅଣ୍ଡର ୱାଟର ରୋବଟ । ଏହି ରୋବଟ ସମୁଦ୍ର, ନଦୀ ଭଳି ଜଳାଶୟର ଗଭୀର ମଧ୍ୟକୁ ଯାଇ ବିଭିନ୍ନ ପ୍ରକାର ଗବେଷଣା କରିବାରେ ସକ୍ଷମ ହେବ । ଏହି ରୋବଟର ନାମ ଜଳଦୂତ ରଖାଯାଇଥିବା ବେଳେ ଭାରତୀୟ ନୌସେନା ସହ ଏହା ଅନୁବନ୍ଧିତ ହୋଇଛି । ଏହି ରୋବଟ ୧୫୦ମିଟରରୁ ୪୦୦ମିଟର ପର୍ଯ୍ୟନ୍ତ ଗଭୀର ଜଳ ମଧ୍ୟରେ ବ୍ରିଜ, ଡ୍ୟାମ ଆଦିର ସ୍ଥିତିକୁ ଯାଞ୍ଚ କରିବାରେ ସକ୍ଷମ ହେବ ।

ମଣିଷ ଗଭୀର ଜଳ ମଧ୍ୟରେ ନିର୍ଦ୍ଦିଷ୍ଟ ଦୂରତା ମଧ୍ୟକୁ ଯାଇପାରନ୍ତି । ବେଳେ ବେଳେ ଅଧିକ ଗଭୀରକୁ ଯାଇ ଯାଞ୍ଚ କରିବାର ଆବଶ୍ୟକ ରହିଥାଏ । ଏପରି ସ୍ଥିତିରେ ଏହି ରୋବଟଟି ସହାୟତା ଯୋଗାଇବ । ଗତ ବର୍ଷ ମଧ୍ୟରେ ବ୍ରିଜ, ଡ୍ୟାମ ଆଦି ଅସମୟରେ ଭାଙ୍ଗି ଯାଉଥିବା ଦେଖିବାକୁ ମିଳିଛି । ସମୟ ପୂର୍ବରୁ ବ୍ରିଜ, ଡ୍ୟାମ ଆଦିର ଯାଞ୍ଚ କରି ସଠିକ ସମୟରେ ମରାମତି କରାଯାଇପାରିବ । ଏହି ଲକ୍ଷ୍ୟରେ ରାଉରକେଲା NITର ପୂର୍ବତନ ଛାତ୍ର ତଥା ନୂତନ ଛାତ୍ରମାନଙ୍କ ଏକ ଟିମ କୋରାସିଆ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଷ୍ଟାର୍ଟ ଅପ କମ୍ପାନୀ ଏପରି ନିଆରା ରୋବଟ ତିଆରି କରିଛନ୍ତି ।

ନୂଆ ନୂଆ ଟେକ୍ନୋଲୋଜିକୁ ବ୍ୟବହାର କରି ଏପରି ଏପରି ଉତ୍ପାଦ ନିର୍ମାଣ କରି ଏହାକୁ ଦେଶ ସେବାରେ ଲଗାଇବା ଲାଗି ଛାତ୍ରମାନେ ନୂଆ ଷ୍ଟାର୍ଟଅପ ଆରମ୍ଭ କରିଛନ୍ତି । ଯାହା ପ୍ରଯୁକ୍ତିବିଦ୍ୟା ବିକାଶ କରିବା ସହ ବହୁ କାର୍ଯ୍ୟରେ ଲାଗିପାରିବ । ଏହି ଅଣ୍ଡର ୱାଟର ରୋବଟ ଯଥା ଜଳଦୂତ ବିଭିନ୍ନ ଡ୍ୟାମ, ବ୍ରିଜ, ବନ୍ଦର ଏବଂ ଇଣ୍ଡଷ୍ଟ୍ରିଆଲ କଣ୍ଟେନର ଭିତର ଓ ଅନ୍ୟାନ୍ୟ ଜଳ ପ୍ରକଳ୍ପ ପାଇଁ ଭିତ୍ତିଭୂମିର ବିକାଶରେ ସାହାଯ୍ୟ କରିବ । ଗଭୀର ଜଳ ଭିତରେ ଯାଇ ପାଣି ଭିତରେ ଡ୍ୟାମ, ବନ୍ଦର ଏବଂ ବିରାଟ ୱାଟର କଣ୍ଟେନରଗୁଡ଼ିକର ପାଣି ଭିତରେ ସ୍ଥିତି କିଭଳି ଅଛି ତାହାର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ସୂଚନା ଦେବ ।

ଜଳ ଭିତରେ ଯେଉଁ ଜାଗାକୁ ମଣିଷ କିମ୍ବା ଅନ୍ୟ କୌଣସି ଡିଭାଇସ ପହଞ୍ଚି ପାରୁ ନାହିଁ ସେଠାରେ ଏହି ଅଣ୍ଡର ୱାଟର ରୋବଟ ପହଞ୍ଚି ପାରିବ । ଏହି ରୋବଟରେ କ୍ୟାମେରା, ଥର୍ମାଲ ସେନ୍ସର, DVM ଓ ସୋନାର ଭଳି ଉନ୍ନତ ଧରଣର ସେନ୍ସର ଲାଗିଛି, ଯାହାକି ଗଭୀରରୁ ଅତି ଗଭୀରକୁ ଯାଇ ନିଜ କ୍ୟାମେରା ଓ ସେନ୍ସର ସାହାଯ୍ୟରେ ସଠିକ ତଥ୍ୟ ପ୍ରଦାନ କରିବାରେ ସହଯୋଗ କରିପାରିବ । ରୋବଟଟି ପାଣିରେ ଭାସିବା ସହ ଗଭୀର ଜଳ ଭିତର ଦୃଶ୍ୟ ମଧ୍ୟ ଦେଖାଇବ । ପ୍ରାୟ ୬ମାସ ମଧ୍ୟରେ ଏହି କୋରାସିଆ ଟେକ୍ନୋଲୋଜିର ଟିମ ଏହି ୱାଟର ରୋବଟକୁ ନିର୍ମାଣ କରିଛି ।

ଏହା ବି ପଢନ୍ତୁ-ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ବସ୍ତିରେ ଜଳ ସଙ୍କଟ, ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ

ତେବେ ବର୍ତ୍ତମାନ ସମୟରେ ଏହି କୋରାସିଆ ଟେକ୍ନୋଲୋଜି ରାଉରକେଲା ଇସ୍ପାତ କାରଖାନା SAIL ସହ ଏକ ସହବନ୍ଧିତ ଭାବେ ପ୍ରୋଜେକ୍ଟ ସମାପ୍ତ କରିଛନ୍ତି ଏବଂ ଏହି ପ୍ରୋଜେକ୍ଟ କିଭଳି ଆଗାମୀ ଦିନରେ ଅଧିକ ଆଦୃତ ଲାଭ କରିବ ସେ ନେଇ ପ୍ରୟାସ ମଧ୍ୟ ଚାଲିଛି । ତେବେ ଟାଟା ଷ୍ଟିଲ ଓ ହିଣ୍ଡାଲକୋ ଭଳି ଇଣ୍ଡଷ୍ଟ୍ରିଆଲ କମ୍ପାନୀ ସହ ଚୁକ୍ତି ହୋଇଛି ଏବଂ ସେମାନଙ୍କ ପାଇଁ ମଧ୍ୟ ସଫଳ ଭାବରେ କାର୍ଯ୍ୟ କରୁଛି ଏହି ଜଳଦୂତ । ବର୍ତ୍ତମାନ ଭାରତୀୟ ନୌସେନାରେ ଏହି ଜଳଦୂତ ରୋବଟ କାମ କରିବ ଯାହା ନେଇ ସଫଳ ଭାବରେ ଭାରତୀୟ ନେଭି ସହ ସହବନ୍ଧିତ ହୋଇ ଦେଶ ସୁରକ୍ଷାରେ କାମରେ ନିୟୋଜିତ କରାଯିବ ।

ଏହାକୁ ସମସ୍ତ ଇଣ୍ଡଷ୍ଟ୍ରିଆଲ ବ୍ୟବହାର ସହ ବିଭିନ୍ନ ସରକାରୀ ପ୍ରକଳ୍ପରେ କିପରି ବ୍ୟବହାର ହୋଇପାରିବ ସେ ନେଇ ରାଉରକେଲା NITର ଛାତ୍ରମାନେ ପ୍ରଚେଷ୍ଟା ଜାରି ରଖିଛନ୍ତି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଏଭଳି ନୂଆ ଷ୍ଟାର୍ଟଅପ ଆରମ୍ଭ କରି ଏହାର ଛାତ୍ରଛାତ୍ରୀମାନଙ୍କୁ ଏକ ନୂଆ ଅନୁଭବ ଦେଉଛି । ଏହି ରୋବଟଟି ସମ୍ପୂର୍ଣ୍ଣ ସଫଳତାର ସହିତ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିପାରୁଛି । ଫଳରେ କୋରାସିଆ ଟେକ୍ନୋଲୋଜିକୁ ଏନେଇ ଅନେକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.