ETV Bharat / state

ପେଟ୍ରୋଲ ପମ୍ପ ମାଲିକଙ୍କୁ ଛୁରାମାଡ଼, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

author img

By ETV Bharat Odisha Team

Published : Sep 25, 2023, 3:43 PM IST

miscreants stab petrol pump owner
ପେଟ୍ରୋଲ ପମ୍ପ ମାଲିକଙ୍କୁ ଛୁରାମାଡ଼

ପେଟ୍ରୋଲ ପମ୍ପ ମାଲିକଙ୍କୁ ଛୁରାମାଡ଼ କରି ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଲେ ଦୁବୃର୍ତ୍ତ । ପୋଲିସ ପହଞ୍ଚି ଗୁରୁତର ଦେବପ୍ରସାଦଙ୍କୁ ଉଦ୍ଧାର କରି ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣା ପଡ଼ିଛି । ଅଧିକ ପଢ଼ନ୍ତୁ

ପେଟ୍ରୋଲ ପମ୍ପ ମାଲିକଙ୍କୁ ଛୁରାମାଡ଼

ରାଉରକେଲା: ପେଟ୍ରୋଲ ପମ୍ପରେ ସଶସ୍ତ୍ର ଡକାୟତି। ମାଲିକଙ୍କୁ ଛୁରାମାଡ଼ କରି ମୋଟା ଅଙ୍କର ନଗଦ ଟଙ୍କା ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ । ସୁନ୍ଦରଗଡ଼ ଜିଲ୍ଲା ତଳସରାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ତେବେ ଦୁର୍ବୃତ୍ତମାନେ ସଶସ୍ତ୍ର ଡକାୟତି ଉଦ୍ଦେଶ୍ୟରେ ଆସିଥିବାବେଳେ ସେମାନଙ୍କର ଆକ୍ରମଣର ଶିକାର ହୋଇଥିଲେ ପେଟ୍ରୋଲ ପମ୍ପ ମାଲିକ । ଲୁଟ୍‌ ସମୟରେ ଛୁରାମାଡ଼ର ଶିକାର ହୋଇ ମାଲିକ ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବାବେଳେ ସମସ୍ତ ଟଙ୍କା ନେଇ ଲୁଟେରାମାନେ ଚମ୍ପଟ୍‌ ମାରିଛନ୍ତି ।

ସୂଚନା ଅନୁସାରେ, ତଳସରା ଥାନା ଅଧିନସ୍ଥ ତୁମୁଲିଆଠାରେ ଥିବା ଓମ ଶ୍ରୀ ମା' ସନ୍ତୋଷୀ ପେଟ୍ରୋଲ ପମ୍ପରେ ରବିବାର ଲୁଟ୍ ହୋଇଛି । ସନ୍ଧ୍ୟା 5ଟା ସମୟରେ ଏହି ଲୁଟ ହୋଇଥିବା ଜଣାପଡ଼ିଛି । ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ହଠାତ୍ ଆସି ମାଲିକଙ୍କୁ ଛୁରାମାଡ଼ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଗୁରୁତର ମାଲିକ ଦେବପ୍ରସାଦ ନନ୍ଦଙ୍କୁ ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଜି ଷ୍ଟାଫ କମ୍ ଆସିଥିବାରୁ ନିଜେ ମାଲିକ ଦେବପ୍ରସାଦ ପେଟ୍ରୋଲ ପମ୍ପରେ କାମ ମଧ୍ୟ କରୁଥିଲେ । ଆଜି କିଛି କର୍ମଚାରୀଙ୍କ ଛୁଟି ଥିବାରୁ ପେଟ୍ରୋଲ ଟାଙ୍କିରେ ସେ ଓ ତାଙ୍କ ପତ୍ନୀ ଥିଲେ । ଏହି ସମୟରେ ଦେବୀପ୍ରସାଦ ବସିଥିବା ରୁମ ଭିତରକୁ ଯାଇ ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ ଦୁବୃର୍ତ୍ତ ।

ଏହା ବି ପଢନ୍ତୁ...ମାଲଗୋଦାମ ଡକାୟତି ଘଟଣାରେ ୬ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ । ଏହାପରେ ଲୁଟେରା ଦଳ ବାକ୍ସରୁ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ତେବେ ଦେବପ୍ରସାଦଙ୍କ ଚିତ୍କାର ଶୁଣି ଭିତରେ ଥିବା ତାଙ୍କ ପତ୍ନୀ ଦୌଡ଼ି ଆସିଥିବାବେଳେ ତାଙ୍କୁ ମଧ୍ୟ ଦୁବୃର୍ତ୍ତମାନେ ଭୟଭୀତ କରିଥିଲେ । ସେମାନେ ଚାଲିଯିବା ପରେ ପୋଲିସକୁ ଖବର ଦେଇଥିଲେ ଦେବୀ ପ୍ରସାଦଙ୍କ ପତ୍ନୀ। ପୋଲିସ ପହଞ୍ଚି ଗୁରୁତର ଦେବପ୍ରସାଦଙ୍କୁ ଉଦ୍ଧାର କରି ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ଆକ୍ରମଣ ଯୋଗୁଁ ଦେବୀପ୍ରସାଦଙ୍କ ପେଟ ଓ ପିଠିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମରାରେ କଏଦ ହୋଇଥିବା ଫୁଟେଜ୍‌ ଆଧାରରେ ପୋଲିସ ଛାନଭିନ ଚଳାଇଛି । ବର୍ତ୍ତମାନ ସୁଦ୍ଧା 3 ଜଣ ଦୁର୍ବୃତ୍ତମାନଙ୍କ ପରିଚୟ ମିଳିପାରିନାହିଁ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.