ETV Bharat / state

ମୋବାଇଲ ନଦେବାରୁ ଚରମ ନିଷ୍ପତ୍ତି, ଜୀବନ ହାରିଲେ ପଞ୍ଚମ ଶ୍ରେଣୀ ଛାତ୍ରୀ

author img

By

Published : Mar 21, 2023, 7:16 AM IST

ମୋବାଇଲ ପାଇଁ ଜିଦ କଲେ ପଞ୍ଚମ ଶ୍ରେଣୀ ନାବାଳିକା ଛାତ୍ରୀ । ଘରେ ବାରଣ କରିବାରୁ ନେଲେ ଚରମ ନିଷ୍ପତ୍ତି । ଅଧିକ ପଢ଼ନ୍ତୁ

minor girl dies by suicide in rourkela
ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ

ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ

ରାଉରକେଲା: ମୋବାଇଲ ସାଜିଲା କାଳ, ଘରେ ମୋବାଇଲ ନଦେବାରୁ ଜୀବନ ହାରିଲେ ନାବାଳିକା ଛାତ୍ରୀ । ରାଉରକେଲା ସହର ଛେଣ୍ଡ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପରିବାର ଲୋକେ ମୋବାଇଲ ଫୋନ ପାଇଁ ବାରଣ କରିବାରୁ ଛାତ୍ରୀ ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଘରୁ ଝୁଲନ୍ତା ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ରାଉରକେଲା ସହର ଛେଣ୍ଡ ଅଞ୍ଚଳର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ମୋବାଇଲ ଚଲାଇବା ପାଇଁ ଘରେ ଜିଦ କରିଥିଲେ । କିନ୍ତୁ ପରିବାର ଲୋକେ ଫୋନ ଦେବାକୁ ବାରଣ କରିଥିଲେ । ଯାହାକୁ ନେଇ ଘରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ରବିବାର ନାବାଳିକାଙ୍କ ବାପା ତାଙ୍କ ମାମୁ ଘରେ ଛାଡ଼ି ଆସିଥିଲେ । ସେଠାରେ ତାଙ୍କୁ ବୁଝାସୁଝା କରି ବାପା ଘରକୁ ଫେରି ଆସିଥିଲେ । କିନ୍ତୁ ଏହାର କିଛି ଘଣ୍ଟା ବିତିବା ପରେ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଦେଖିବାକୁ ପାଇଥିଲେ ମାମୁ ଘର ଲୋକେ । ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ସାମାନ୍ୟ ମୋବାଇଲ ପାଇଁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ଏଭଳି ଚରମ ନିଷ୍ପତ୍ତି ବର୍ତ୍ତମାନ ରାଉରକେଲା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଏ ସମ୍ପର୍କରେ ଚିନ୍ତା ପ୍ରକଟ କରିଛନ୍ତି ଶିଶୁ କଲ୍ୟାଣ ବିଶେଷଜ୍ଞ । ଏନେଇ ସେ କହିଛନ୍ତି, ବର୍ତ୍ତମାନ ସମୟରେ ଶିଶୁମାନେ ମୋବାଇଲ ପ୍ରତି ଅଧିକ ଆକୃଷ୍ଟ ହୋଉଛନ୍ତି। ବାପା,ମାଆ ଏହା ପ୍ରତି ଅଧିକ ଯତ୍ନବାନ ହେବା ଜରୁରୀ । କୋରୋନା ସମୟଠାରୁ ପିଲାମାନେ ମୋବାଇଲ ପ୍ରତି ଆକୃଷ୍ଟ ହେଲେ । ମାତ୍ର ଏଥିପ୍ରତି ଅଭିଭାବକ ଯତ୍ନବାନ ହେବାର ଆବଶ୍ୟକତା ରହିଛି । ପିଲାଙ୍କୁ ଘରେ ବାନ୍ଧି ନରଖି ଅନ୍ୟ କାମରେ ବ୍ୟସ୍ତ ରଖିବା ଉଚିତ । ଏଥି ପ୍ରତି ସାବଧାନ ହେବା ସହ ପିଲାଙ୍କ ନଜରରୁ କିଭଳି ମୋବାଇଲକୁ ଦୂରେଇ ରଖାଯିବ ସେନେଇ ଚେଷ୍ଟା କରିବା କଥା । ବର୍ତ୍ତମାନ ଯୁଗରେ ମୋବାଇଲ ବିନା କିଛି କାମ କରିବା ଅସମ୍ଭବ । ମୋବାଇଲ ଫୋନ ମଣିଷର ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ପରିଗଣିତ ହୋଇଛି ।" ତେଣୁ ଏଥି ପ୍ରତି ଉଭୟ ପିଲା ଓ ଅଭିଭାବକ ସତର୍କ ରହିବାର ଆବଶ୍ୟକତା ଅଛି ବୋଲି ଶିଶୁ କଲ୍ୟାଣ ବିଶେଷଜ୍ଞ କହିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.