ETV Bharat / state

ଲାଞ୍ଚ ନେଇ ଧରାପଡ଼ିଥିଲେ ସରକାରୀ ବାବୁ, ୧୦ ବର୍ଷ ପରେ ଜେଲଦଣ୍ଡ ଶୁଣାଇଲେ ଭିଜିଲାନ୍ସ କୋର୍ଟ

author img

By

Published : Jul 30, 2023, 3:34 PM IST

ତିନି ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ବୀରମିତ୍ରପୁର ତହସିଲ ଅବସରପ୍ରାପ୍ତ ଅଫିସ ପର୍ଯ୍ୟବେକ୍ଷକ । ଦୀର୍ଘ ୧୦ ବର୍ଷ ପରେ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଅଧିକ ପଢ଼ନ୍ତୁ

sundargarh Vigilance verdict in bribe case
ଲାଞ୍ଚ ନେବା ମାମଲାରେ ସରକାରୀ ବାବୁଙ୍କୁ ଦଣ୍ଡାଦେଶ

ରାଉରକେଲା: ଲାଞ୍ଚ ନେବା ମାମଲାରେ ସରକାରୀ ବାବୁଙ୍କୁ ଦଣ୍ଡାଦେଶ ଶୁଣାଇଲେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ତିନି ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ ଦୁଇ ଅଭିଯୁକ୍ତ । ଏକ ଜବତ ବାଲି ବୋଝେଇ ଟ୍ରକକୁ ଛାଡ଼ିଦେବାକୁ ୩ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବୀରମିତ୍ରପୁର ତହସିଲର ଅବସରପ୍ରାପ୍ତ ପରିଦର୍ଶକ ପର୍ଶୁରାମ ପାନ ଓ ରମେଶଚନ୍ଦ୍ର ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ । ପର୍ଶୁରାମ ପାନଙ୍କୁ ୨ ବର୍ଷ ଜେଲ ଓ ୨ ହଜାର ଟଙ୍କା ଜରିମାନା ଆଦେଶ ହୋଇଥିବା ବେଳେ ରମେଶ ଚନ୍ଦ୍ର ମଲ୍ଲିକଙ୍କୁ ୧ ବର୍ଷ ଜେଲ ଓ ୧ ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ମାମଲା ଅନୁସାରେ, ଗତ ୨୦୧୨ରେ ବୀରମିତ୍ରପୁର ତହସିଲ ଅଞ୍ଚଳର ରମେଶଚନ୍ଦ୍ର ଅମାତଙ୍କ ଏକ ବାଲି ବୋଝେଇ ଟ୍ରକକୁ ସମ୍ପୃକ୍ତ ତହସିଲ ଅଫିସର ରାଜସ୍ବ ପରିଦର୍ଶକ ପର୍ଶୁରାମ ପାନ ଜବତ କରିଥିଲେ । ପରବର୍ତ୍ତୀ ସମୟରେ ତାକୁ ଛାଡ଼ିବାକୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ପରେ ୩ ହଜାର ଟଙ୍କା ଦେବାକୁ ବୁଝାମଣା ହୋଇଥିଲା । ଦିନେ ଦୁଇଦିନ ମଧ୍ୟରେ ସେ ଟଙ୍କା ଦେବାକୁ କହିଥିଲେ । ଏଥିପାଇଁ ଅନ୍ଯ ଜଣେ ବ୍ୟକ୍ତି ରାମେଶ ଚନ୍ଦ୍ର ମଲ୍ଲିକ ମଧ୍ୟସ୍ଥତା କରିଥିଲେ । ତେବେ ଏହାପରେ ରମେଶ ଚନ୍ଦ୍ର ଅମାତ ସୁନ୍ଦରଗଡ଼ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ପର୍ଶୁରାମ ପାନ ଓ ରମେଶ ଚନ୍ଦ୍ର ମଲ୍ଲିକଙ୍କୁ ଧରିବାକୁ ଜାଲ ବିଛାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ଲାଞ୍ଚ ନେଇ ଫସିଲେ IIC ଓ ASI

ଯୋଜନା ମୁତାବକ ଅଭିଯୋଗକାରୀ ରମେଶ ଚନ୍ଦ୍ର ଅମାତ ରାସାୟନିକ ରଙ୍ଗବୋଳା ୩ ହଜାର ଟଙ୍କା ନେଇ ରମେଶ ଚନ୍ଦ୍ର ମଲ୍ଲିକ ଓ ପରିଦର୍ଶକ ପର୍ଶୁରାମ ପାନଙ୍କୁ ଦେଇଥିଲେ । ଠିକ୍ ଏହି ସମୟରେ ପୂର୍ବରୁ ସେଠାରେ ଛକିଥିବା ଭିଜିଲାନ୍ସ ୨ ଜଣଙ୍କୁ ମାଡ଼ି ବସିଥିଲା । ସେମାନଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇଥିଲା । ମାମଲାର ବିଚାର ଚାଲିଥିବା ବେଳେ ଜୁଲାଇ ୨୯ ତାରିଖରେ ଭିଜିଲାନ୍ସ କୋର୍ଟ ଶୁଣାଣି କରି ଦୁଇ ଜଣଙ୍କୁ ଦଣ୍ଡାଦେଶ ଦେଇଛନ୍ତି । ଦଣ୍ଡାଦେଶ ପରେ ଓଡ଼ିଶା ଭିଜିଲାନ୍ସ ପର୍ଶୁରାମଙ୍କୁ ପେନସନ ବନ୍ଦ କରିବାକୁ ରାଜସ୍ବ ବିଭାଗକୁ ଚିଠି ଲେଖିବ ବୋଲି ସୂଚନା ମିଳିଛି । ତେବେ ଦୀର୍ଘ ୧୦ ବର୍ଷ ପରେ ଏହି ମାମଲାର ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.