ETV Bharat / state

ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ, ପୋଖରୀରୁ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Sep 21, 2023, 4:48 PM IST

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତଦେହ ପାର୍କ ଭିତର ପୋଖରୀରୁ ଉଦ୍ଧାର ହୋଇଛି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ(ADM)ଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଥିବାବେଳେ ଜମିଜମା ବିଭାଗ ଦାୟିତ୍ବ ତୁଲାଉଥିଲେ । ଅଧିକ ପଢନ୍ତୁ

administrative officers death suspense
ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ

ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ

ରାଉରକେଲା: ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ । ରାଉରକେଲା ADM ଅଫିସରେ କାର୍ଯ୍ୟ କରୁଥିବା ସହକାରୀ ଜିଲ୍ଲାପାଳଙ୍କ ମୃତଦେହ ପାର୍କ ଭିତର ପୋଖରୀରୁ ଉଦ୍ଧାର ହୋଇଛି । ଟ୍ରାଫିକ୍‌ ଗେଟ୍‌ ନିକଟସ୍ଥ ସେନ୍‌ସରୀ ପାର୍କ ପରିସରରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ପ୍ଲାଣ୍ଟସାଇଟ୍‌ ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ ।

ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ରାମାବାହାଲ ପୋଖରୀଟୋଲିର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ(ADM)ଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଥିବାବେଳେ ଜମିଜମା ବିଭାଗ ଦାୟିତ୍ବ ତୁଲାଉଥିଲେ । ମିଳିଥିବା ସୂଚନା ମୁତାବକ, ସୁସ୍ମିତାଙ୍କ ପାରିବାରିକ ସମସ୍ୟା ଥିବାରୁ ସେ ମାନସିକ ଦୁଃଶ୍ଚିନ୍ତାରେ ରହିଥିଲେ । ଗତ ଶୁକ୍ରବାର ଠାରୁ ଘରକୁ ‌ନ ଫେରିବାରୁ ସୁସ୍ମିତାଙ୍କ ଭାଇ ଗତ ରବିବାର ସୌଦିତନଗର ଥାନାରେ ଭଉଣୀ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ପରଦିନ ଅର୍ଥାତ୍‌ ସୋମବାର ସୁସ୍ମିତାଙ୍କୁ ଷ୍ଟେସନ ନିକଟସ୍ଥ ଏକ ହୋଟେଲରେ ଥିବା ସୂଚନା ମିଳିଥିଲା ।

ଏହା ବି ପଢନ୍ତୁ...ଫାଇନାନ୍ସ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଆଣିଲା ହତ୍ୟା ଅଭିଯୋଗ

ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଘରକୁ ଯିବାକୁ ଅନୁରୋଧ କରିଥିଲେ ମଧ୍ୟ ସେ ଘରକୁ ଯିବାକୁ ମନା କରିଦେଇଥିଲେ । ସେ କହିଥିଲେ, "ଘରକୁ ଗଲେ ଘରେ ଅଶାନ୍ତି ରହୁଛି । ଘରକୁ ଯିବାକୁ ଇଚ୍ଛା ନାହିଁ, ମୁଁ ଘରକୁ ଯିବାକୁ ଚାହୁଁ ନାହିଁ ।" ତେବେ ପୋଲିସର ଅନୁରୋଧ ନମାନିବା ଯୋଗୁ ପୋଲିସ ଫେରିଯାଇଥିବାବେଳେ ସୁସ୍ମିତାଙ୍କ ପରିବାରଲୋକଙ୍କୁ ଖବର ଦେଇଥିଲେ । ଏହାରି ମଧ୍ୟରେ ଗୋଟିଏ ଦିନ ବିତିବା ପରେ ମଙ୍ଗଳବାର ରାତିରେ ତାଙ୍କ ମୃତଦେହ ସେନ୍ସରି ପାର୍କର ପୋଖରୀରୁ ଉଦ୍ଧାର ହେଲା । ସେପଟେ ପରିବାର ଲୋକେ ରାଉରକେଲା ADM ଅଫିସ ଏବଂ କଲେକ୍ଟର ଅଫିସ ଉପରେ ଦୋଷାରୋପ କରୁଥିବା ଜଣାପଡିଛି ।

ଏନେଇ ସୁସ୍ମିତାଙ୍କ ମା' ସେଲେସେନା ମିଞ୍ଜ କହିଛନ୍ତି, "ସୁସ୍ମିତାର ମାନସିକ ସ୍ଥିତି ଭଲ ନଥିଲା ଏବଂ ସେ ଡିପ୍ରେସନ ଆଡକୁ ଗତି କରୁଥିଲା । ତେବେ ଅଫିସରେ କୌଣସି କାରଣ ଯୋଗୁଁ ସେ ଡିପ୍ରେସନରେ ଜୀବନ ହାରିଛନ୍ତି ।" ପୋଲିସ ଯଥା ଶୀଘ୍ର ତଦନ୍ତ କରି ଘଟଣାର ସତ୍ୟାସତ୍ୟ ସାମନାକୁ ଆଣିବାକୁ ପରିବାରଲୋକେ ଦାବି କରୁଛନ୍ତି । ତେବେ ସସ୍ମିତାଙ୍କୁ ହତ୍ୟା କରାଯାଇଛି ନା ସେ ମାନସିକ ଚାପର ବଶବର୍ତ୍ତୀ ହୋଇ ଜୀବନ ହାରିଛନ୍ତି ସେନେଇ ପୋଲିସ ତଦନ୍ତ ଚଳାଇଥିବା କହିଛନ୍ତି ଡିଏସପି ।


ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.