ETV Bharat / state

ସୁନ୍ଦରଗଡରେ ୫ଟି ସଚିବ: ସ୍କୁଲ-ମନ୍ଦିର-କାଫେ ବୁଲିଲେ ପାଣ୍ଡିଆନ, କଲେ ମାରାଥନ ସମୀକ୍ଷା

author img

By

Published : Mar 13, 2023, 7:56 AM IST

5T Secretary Visits Sundargarh
5T Secretary Visits Sundargarh

ସୁନ୍ଦରଗଡ ଗସ୍ତର ଦ୍ବିତୀୟ ଦିନରେ ୫ଟି ସଚିବ ଭିକେ ପାଣ୍ଡିଆନ ୪ଟି ବ୍ଲକ ବୁଲିଲେ । ସ୍କୁଲ, କଲେଜ, ମନ୍ଦିର, ମିଶନ କାଫେ ବୁଲି ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା । ଅଧିକ ପଢନ୍ତୁ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାକୁ ୫ଟି ସଚିବଙ୍କ ମାରାଥନ ଗସ୍ତ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ସୁନ୍ଦରଗଡ ଗସ୍ତର ଦ୍ବିତୀୟ ଦିନରେ ସବ ଡିଭିଜନର ବିଭିନ୍ନ ବ୍ଲକ ତଥା ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ରାଜଗାଙ୍ଗପୁର ସ୍ଥିତ ଘୋଘର ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିର ପୂଜକ ତଥା ମନ୍ଦିର କମିଟି ସହ ମନ୍ଦିରର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ।

ପିଲାଙ୍କ ସହ ମିଶି ଖାଇଲେ ୫ଟି ସଚିବ
ପିଲାଙ୍କ ସହ ମିଶି ଖାଇଲେ ୫ଟି ସଚିବ

ମନ୍ଦିର ପରିସର ଉନ୍ନତିକରଣ ତଥା ପାର୍କିଂ ବ୍ୟବସ୍ଥା, ମନ୍ଦିରରେ ବାର୍ଷିକ ମେଳା ନିମନ୍ତେ ଆନୁସାଙ୍ଗୀକ ବ୍ୟବସ୍ଥା କରିବା ସହିତ ଅଞ୍ଚଳବାସୀଙ୍କର ଥିବା ରହିଥିବା ଦାବିକୁ ନେଇ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ଆମ ହସ୍ପିଟାଲ ଯୋଜନା ଅନ୍ତର୍ଗତରେ ରୂପାନ୍ତରଣ ହେବାକୁ ଥିବା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହାସହ ଡାକ୍ତର, କର୍ମଚାରୀ ଏବଂ ରୋଗୀଙ୍କ ସହ ଆଲୋଚନା କରିଥିଲେ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଥିବା ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ପରିଦର୍ଶନ କରିଥିଲେ । ଜାରି ରହିଥିବା କାର୍ଯ୍ୟକୁ ତ୍ବରାନ୍ବିତ କରି ଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ମନ୍ଦିର ବୁଲିଲେ ପାଣ୍ଡିଆନ
ମନ୍ଦିର ବୁଲିଲେ ପାଣ୍ଡିଆନ

ସେହିପରି ରାଜଗାଙ୍ଗପୁର ରେଲୱେ ଓଭର ବ୍ରିଜ କାର୍ଯ୍ୟ ପରିଦର୍ଶନ କରିବା ସହ ସମସ୍ତ ହିତାଧିକାରୀମାନଙ୍କ ସହ ଉପଯୁକ୍ତ ସମନ୍ଵୟ ରକ୍ଷା କରି ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ 5T ସଚିବ ଟାଙ୍ଗରପାଲି ବ୍ଲକ ସ୍ଥିତ ବେଲସରା ଶିବ ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ନବୀକରଣ, ଶିଶୁମାନଙ୍କ ନିମନ୍ତେ ପାର୍କ, ପାଚେରୀ ନିର୍ମାଣ, ଗେଟୱେ, ପାହାଚ, 5ଟି ପୋଖରୀକୁ ମିଶାଇ ଏକ ଜଳ ଭଣ୍ଡାର, ନୌକା ବିହାର ବ୍ୟବସ୍ଥା, ଦୁଇଟି ପାହାଡ଼ରେ ରୋପୱେ ବ୍ୟବସ୍ଥା ଆଦି ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ହେମଗିର ବ୍ଲକ ପରିଦର୍ଶନ ସମୟରେ 5T ସଚିବ ମିଶନ ଶକ୍ତି କାଫେକୁ ଯାଇଥିଲେ ଏବଂ ମିଶନ ଶକ୍ତିର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସେ ହେମଗିର ସ୍ଥିତ ପଞ୍ଚାୟତ ସମିତି କନିଷ୍ଠ ମହାବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ ଏବଂ ଅଧ୍ୟକ୍ଷ, ଅଧ୍ୟାପକଙ୍କ ସହ ଆଲୋଚନା କରିଥିଲେ । ସେହି ସମୟରେ ନୂତନ କଲେଜ ବିଲଡ଼ିଂ, ବାଳକ ଓ ବାଳିକାଙ୍କ ନିମନ୍ତେ ଛାତ୍ରାବାସ ବ୍ୟବସ୍ଥା, 2 ସ୍ତରରେ ବିଜ୍ଞାନ ଓ ବାଣିଜ୍ୟ ଷ୍ଟ୍ରିମ୍, ଡିଗ୍ରୀ କଲେଜ, ଖେଳ ପଡିଆର ବିକାଶ, ସ୍ମାର୍ଟ କ୍ଲାସ ରୁମ, ଅଡିଟୋରିଆମ, ଲାଇବ୍ରେରୀ ଆଦିକୁ ନେଇ ଏକ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପରେ ପରେ କନିକା କଟା ଟ୍ୟାଙ୍କର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିରୀକ୍ଷଣ କରିଥିଲେ ଏବଂ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହ ରୁରାଲ ପାର୍କର ବିକାଶ, ଜଳାଶୟର ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ, ବୃକ୍ଷ ରୋପଣ ଆଦି ପାଇଁ ନିର୍ଦ୍ଦେଶ ଦେଇଥିଲେ । ବଲିଶଙ୍କରା ବ୍ଲକ ଅନ୍ତର୍ଗତ ଦେଓଭୁବନପୁର ସ୍ଥିତ କୁକୁଡ଼ା ନାଲା ଡ୍ୟାମ୍ ପରିଦର୍ଶନ କରିଥିଲେ ଏବଂ ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ତିଲେଇକାଣୀଏସ୍.ଏସ୍. ଡି. ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ/ ଶିକ୍ଷୟତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ ।

ପରେ ପରେ 5T ସଚିବ ସୁନ୍ଦରଗଡ଼ ସହର ସ୍ଥିତ ସମଲେଇ ମନ୍ଦିର ପରିଦର୍ଶନ କରି ମନ୍ଦିର ପୂଜକ ତଥା ଅନ୍ୟାନ୍ୟ ହିତାଧିକାରୀମାନଙ୍କ ସହ ମନ୍ଦିରର ବିଭିନ୍ନ ଉନ୍ନୟନ ଦିଗରେ ଆଲୋଚନା କରିଥିଲେ ଏବଂ ମନ୍ଦିରର ବିକାଶ ଓ ନଦୀ କୂଳର ବିକାଶ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସରକାରୀ ମହିଳା ମହାବିଦ୍ୟାଳୟ ପରିଦର୍ଶନରେ ଯାଇ ଅଧ୍ୟକ୍ଷ, ଅଧ୍ୟାପକ, ଷ୍ଟାଫ ଓ ଛାତ୍ରୀମାନେମାନଙ୍କ ସହ ଆଲୋଚନା କରିଥିଲେ ଏବଂ 5T ଶୈଳୀରେ ତୁରନ୍ତ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଲାବୋରଟୋରୀ ଆଦି ବ୍ୟବସ୍ଥା କରିବାକୁ କହିଥିଲେ । କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁରୁଲିଜୋର ନାଳ ପରିଦର୍ଶନରେ ଯାଇ ପ୍ରକଳ୍ପର ଉଦ୍ଦେଶ୍ୟ ଓ ଉପକାରିତା ସମ୍ପର୍କରେ ପଚାରିଲେ ବୁଝିଥିଲେ ଏବଂ ଉତ୍ତମ ଜଳସେଚନ ନିମନ୍ତେ ଶୀଘ୍ର କେନାଲ ଓ ଡ୍ୟାମର ମରାମତି, ନବୀକରଣ ତଥା ପୁନରୁଦ୍ଧାର ପାଇଁ ନିର୍ଦେଶ ଦେଇଥିଲେ ।

5T ସଚିବଙ୍କ ସୁନ୍ଦରଗଡ ଗସ୍ତ ସମୟରେ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଆର୍. ଭିନିଲ କ୍ରିଷ୍ଣା, ଜିଲ୍ଲାପାଳ ପରାଗ ଗାଭାଲି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଓ ରବି ନାରାୟଣ ସାହୁ, ସଦର ଉପ ଜିଲ୍ଲାପାଳ ଦାସରଥି ସରାବୁ, ସମ୍ପୃକ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବିଭାଗୀୟ ଅଧିକାରୀ ଆଦି ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.