ETV Bharat / state

ଅଙ୍ଗନବାଡି କର୍ମୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ: ଉପଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ

author img

By ETV Bharat Odisha Team

Published : Aug 23, 2023, 2:06 PM IST

Etv Bharatଅଙ୍ଗନବାଡି କର୍ମୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ
ଅଙ୍ଗନବାଡି କର୍ମୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ

ଅଙ୍ଗନବାଡି କର୍ମୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବିରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ଅଙ୍ଗନବାଡି କର୍ମୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ

ସୁବର୍ଣ୍ଣପୁର: ଅଙ୍ଗନବାଡି କର୍ମୀଙ୍କ ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ସରକାରୀ ଅର୍ଥ ଆତ୍ମସାତ୍ କରିବା ସହ ପିଲାଙ୍କୁ ଅସ୍ବାସ୍ଥ୍ୟକର ଖାଦ୍ୟ ଦେଉଛନ୍ତି ଅଙ୍ଗନବାଡି ଦିଦି । ଏଭଳି ଅଭିଯୋଗ ଆଣି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ବ୍ରାହ୍ମଣୀ ପଞ୍ଚାୟତ ଅନ୍ତର୍ଗତ ରୁଗୁଡିପାଲି ଗାଁର ଲୋକେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗାଁର ଅଙ୍ଗନବାଡି କର୍ମୀ ମନମୁଖୀ କାର୍ଯ୍ୟ କରୁଛନ୍ତି । ନିଜ ମନଇଚ୍ଛା ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖୁଥିବାରୁ ପିଲା ନିରାଶ ହୋଇ ଘରକୁ ଫେରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସେମାନେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଅଙ୍ଗନବାଡି କେନ୍ଦ୍ରର ପରିଚାଳନା ପାଇଁ ଏହା ପରିଚାଳିକା ଓ ୱାର୍ଡ ମେମ୍ବରଙ୍କ ନାଁରେ ବ୍ୟାଙ୍କରେ ଜଏଣ୍ଟ ପାସ୍‌ବୁକ ରହିଛି । ହେଲେ ୱାର୍ଡ ମେମ୍ବରଙ୍କ ବିନା ଅନୁମତିରେ ପରିଚାଳିକା ତଥା ଅଙ୍ଗନବାଡି ଦିଦି ସରକାରୀ ଅନୁଦାନ ମନମୁଖୀ ଭାବେ ଉଠାଇ ଖର୍ଚ୍ଚ କରୁଛନ୍ତି । ସେହିପରି ଗାଁର ପ୍ରାକ ବିଦ୍ୟାଳୟ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଲେ ସେମାନେ ଅନୁପସ୍ଥିତ ରହିବାର କାରଣ ଖୋଜୁ ନାହାନ୍ତି କି ଅଭିଭାବକମାନଙ୍କ ସହିତ ପରାମର୍ଶ କରୁନାହାନ୍ତି । ସପ୍ତାହର ପ୍ରତିଟି ଶନିବାର ଅଙ୍ଗନବାଡି କେନ୍ଦ୍ର ଛୁଟି କରାଯାଉଛି ।

ଏହାମଧ୍ୟ ପଢନ୍ତୁ: ଏକୁଟିଆ ଚାମ୍ବରକୁ ଡାକୁଛନ୍ତି ବୋଲଗଡ଼ ବିଡିଓ ! ବ୍ଲକ ସାମ୍ନାରେ ମହିଳାଙ୍କ ହଲ୍ଲାବୋଲ

ଅଙ୍ଗନବାଡି ଦିଦି ନିଜ ଇଚ୍ଛା ଅନୁସାରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖୁଥିବାରୁ ଅନେକ ସମୟରେ ଛାତ୍ରଛାତ୍ରୀ ନିରାଶ ହୋଇ ଘରକୁ ଫେରୁଛନ୍ତି । ଏପରିକି ପିଲାଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଅତି ନିମ୍ନମାନର ଖାଦ୍ୟ ପ୍ରସ୍ତୁତ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି । ଅନେକ ସମୟରେ କୁନି କୁନି ପିଲା ଏହି ଖାଦ୍ୟ ଖାଇ ଅସୁସ୍ଥ ହେଉଛି । ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନିଆଯାଉ ନାହିଁ । ଏହାସହିତ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟ କରୁଥିବା ଗାଁର ଅଙ୍ଗନବାଡି ପରିଚାଳିକା ନକଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଇ ନିଯୁକ୍ତି ହାତେଇ ଥିବା ଗ୍ରାମବାସୀ ଗୁରୁତର ଅଭିଯୋଗ କରିଛନ୍ତି । ତେଣୁ ତାଙ୍କର ଶିକ୍ଷାଗତ ପ୍ରମାଣପତ୍ରର ସଠିକ୍ ଯାଞ୍ଚ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

ଏହାସହିତ ଅଙ୍ଗନବାଡି କେନ୍ଦ୍ରରେ ହେଉଥିବା ଆର୍ଥିକ ଅନିୟମିତତାର ତଦନ୍ତ ପାଇଁ ମଧ୍ୟ ଦାବି ହୋଇଛି । ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ତେବେ ଉପଜିଲ୍ଲାପାଳ ଏ ଦିଗରେ ଆବଶ୍ୟକ ତଦନ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.