ETV Bharat / state

ମହାନଦୀରେ ପ୍ରସ୍ତାବିତ ଖଇରମାଳ ବ୍ୟାରେଜ ନିର୍ମାଣ ଦାବି

author img

By

Published : Mar 27, 2023, 2:11 PM IST

ଟ୍ରେଡ ୟୁନିୟନ ସମନ୍ବୟ ସମିତି ପକ୍ଷରୁ ମହାନଦୀରେ ପ୍ରସ୍ତାବିତ ଖାଇରମାଳ ବ୍ୟାରେଜ ନିର୍ମାଣକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା । ଅଧିକ ପଢନ୍ତୁ

trade union protest
trade union protest

trade union protest

ସୁବର୍ଣ୍ଣପୁର: ଟ୍ରେଡ ୟୁନିୟନ ସମନ୍ବୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା । ଟ୍ରେଡ ୟୁନିୟନ ନେତା ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ଟ୍ରେଡ ୟୁନିୟନ କାର୍ଯ୍ୟକର୍ତ୍ତା ଜିଲ୍ଲାର କୃଷି ଓ କୃଷକର ଦାବି ପୂରଣ ପାଇଁ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ବିଶେଷକରି ଚିରସ୍ରୋତା ମହାନଦୀରେ ଦିନକୁ ଦିନ ଜଳପ୍ରବାହ କମି କମି ଯାଉଥିବା ବେଳେ ମହାନଦୀର ଜଳଧାରଣ କ୍ଷମତା ବୃଦ୍ଧି କରିବାକୁ ଦାବି କରିଛନ୍ତି । ଗ୍ରୀଷ୍ମରେ ସୁବର୍ଣ୍ଣପୁର ସହର ପାର୍ଶ୍ବରେ ପ୍ରବାହିତ ମହାନଦୀରେ ଧାରେ ଦୁଇ ଧାର ଜଳପ୍ରବାହ ହେଉଛି । ତେବେ ଜଳଧାରଣ କ୍ଷମତା ବଢାଇବାକୁ ରାଜ୍ୟ ସରକାର ମହାନଦୀ ଗର୍ଭରେ ପ୍ରସ୍ତାବିତ ଖଇରମାଳ ବ୍ୟାରେଜ ତୁରନ୍ତ ନିର୍ମାଣ କରିବା ନେଇ ଦାବି ହୋଇଛି ।

ସେହିପରି ବିନା ବିସ୍ଥାପନରେ ଖଇରମାଳ ଠାରେ ବ୍ୟାରେଜ ନିର୍ମାଣ କରି ମହାନଦୀର ଜଳଧାରଣ କ୍ଷମତା ବଢାଇବା ସହିତ ବ୍ୟାରେଜ ନିକଟସ୍ଥ ମରୁଡିଗ୍ରସ୍ତ ଜମିକୁ ଜଳସେଚନ କରିବା ପାଇଁ ଦାବି ହୋଇଛି । ଏଥିସହ ସୁବର୍ଣ୍ଣପୁର ସହରର ପ୍ରାୟ 10ରୁ ଅଧିକ ମହାନଦୀର ଘାଟରେ ସହରର ବ୍ୟବହୃତ ଦୂଷିତ ଜଳ ପ୍ରବେଶ କରୁଛି । ଫଳରେ ମହାନଦୀ ଜଳକୁ ପାନୀୟ ଜଳ ଭାବେ ବ୍ୟବାହାର କରାଯାଇ ପାରୁନାହିଁ କି ସ୍ନାନ ଶୌଚ ମଧ୍ୟ କରାଯାଇ ପାରୁନାହିଁ । ପୂର୍ବର ମହାନଦୀରେ ଅମୃତ ସ୍ନାନ ଏବେକାର ବିଷାକ୍ତ ଜଳ ସ୍ନାନରେ ପରିଣତ ହୋଇଛି । ଲୋକେ ମହାନଦୀ ଜଳ ବ୍ୟବହାର କରି ବିଭିନ୍ନ ପ୍ରକାରର ରୋଗର ଶିକାର ହେଉଛନ୍ତି । ତେବେ ବ୍ୟବହୃତ ଦୂଷିତ ଜଳକୁ ସ୍ବରେଜ ମାଧ୍ୟମରେ ନିର୍ମଳ ଜଳରେ ପରିଣତ କରି ମହାନଦୀକୁ ଛାଡିବା ପାଇଁ ଦାବି ହୋଇଛି ।

ଅନ୍ୟପଟେ ମହାନଦୀ ଗର୍ଭରେ ଦୁର୍ବୃତ୍ତମାନେ ଅପ୍ରାକୃତିକ ଉପାୟରେ ବ୍ଳାଷ୍ଟିଂ ମାଧ୍ୟମରେ ମାଛ ମାରୁଛନ୍ତି । ବ୍ଳାଷ୍ଟିଂ ଫୁଟାଇବା ଦ୍ବାରା ମହାନଦୀର ପାଣି ଦୂଷିତ ହେବା ସହିତ ବ୍ୟାପକ ପରିମାଣରେ ମାଛ ତଥା ଅନ୍ୟାନ୍ୟ ଜଳଚରଜୀବଙ୍କ ବଂଶ ନଷ୍ଟ ହେଉଛି । ଏହାର କୁ ପ୍ରଭାବ ମତ୍ସ୍ୟଜୀବୀମାନଙ୍କ ଉପରେ ପଡୁଛି । ପାରମ୍ପାରିକ ଉପାୟରେ ମାଛ ମାରି ନିଜ ଜୀବନ ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜିବୀଙ୍କ ଆର୍ଥିକ ମେରୁଦଣ୍ଡ ଦିନକୁ ଦିନ ଦୁର୍ବଳ ହୋଇପଡୁଛି ।

ତେବେ ମହାନଦୀ ଉପରେ ଜଳସଂପଦ ବିଭା, ରାଜସ୍ବ ବିଭାଗ, ପୋଲିସ ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଦୃଷ୍ଟି ଦେଇ ଏହାର ସୁରକ୍ଷା କରିବା ନେଇ ଦାବି କରିଛନ୍ତି । ତେବେ ଦୀର୍ଘ ଦିନ ହେଲା ଜିଲ୍ଲାର ଚାଷୀମାନେ କୃଷି ବିଶ୍ବ ବିଦ୍ୟାଳୟ ଓ ଜିଲ୍ଲାର ପ୍ରତିଟି ବ୍ଳକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ପାଇଁ ଦାବି କରି ଆସୁଥିବା ବେଳେ କୃଷି ବହୁଳ ଏହି ଜିଲ୍ଲାରେ କୃଷି ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ଓ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ, କୃଷି ମନ୍ତ୍ରୀ ତଥା ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ ଅନେକ ସମୟରେ ପ୍ରତିଶୃତି ଦେଇଛନ୍ତି । ତେବେ ସେହି ପ୍ରତିଶୃତିକୁ ଶିଘ୍ର ପୂରଣ କରି ଜିଲ୍ଲାର କୃଷି ଓ କୃଷକର ଆର୍ଥିକ ଉନ୍ନତି ଦିଗରେ ପ୍ରୟାସ କରିବାକୁ ଜିଲ୍ଲା ଟ୍ରେଡ ୟୁନିୟନ ସମନ୍ବୟ ସମିତି ନିବେଦନ କରିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.