ETV Bharat / state

ସୁବର୍ଣ୍ଣପୁରରେ ଜଳସେଚନ ସମସ୍ୟା; ଜମିକୁ ମାଡୁନି ପାଣି, ଚାଷୀ ହନ୍ତସନ୍ତ

author img

By

Published : May 2, 2023, 12:39 PM IST

ସୁବର୍ଣ୍ଣପୁରରେ ଜଳସେଚନ ସମସ୍ୟା
ସୁବର୍ଣ୍ଣପୁରରେ ଜଳସେଚନ ସମସ୍ୟା

ସୁବର୍ଣ୍ଣପୁର ଜିଲ୍ଲାର ଚୀର ମରୁଡି ପ୍ରପୀଡିତ ଅଞ୍ଚଳରେ ନାହିଁ ଜଳସେଚନ ବ୍ୟବସ୍ଥା । ଅସନ୍ତୋଷ ଜାହିର କଲେ ଚାଷୀ । ଅଧିକ ପଢନ୍ତୁ

ସୁବର୍ଣ୍ଣପୁରରେ ଜଳସେଚନ ସମସ୍ୟା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ କୃଷି ଓ କୃଷକର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ଅବା ରାଜ୍ୟ ସରକାର ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି । ବିଶେଷକରି ଚିର ମରୁଡି ପ୍ରପୀଡିତ ଅଞ୍ଚଳରେ ଜଳସେଚନର ବ୍ୟବସ୍ଥା କରାଯାଇ ପାରୁନାହିଁ । ଜିଲ୍ଲାର ଡୁଙ୍ଗୁରିପାଲି ଓ ବିନିକା ବ୍ଳକର ଅଧିକାଂଶ ଚାଷଜମି ହୀରାକୁଦ ଜଳଭଣ୍ଡାରର ଆୟକଟ ଅଞ୍ଚଳ ଭିତରେ ରହିଛି । ବିନିକା ବ୍ଳକର ତଳିମୁଣ୍ଡକୁ ପାଣି ପହଞ୍ଚି ପାରୁନାହିଁ । ସେହିପରି ରାମପୁର ମାଇନର କେନାଲ ତଳିମୁଣ୍ଡରେ ଥିବା ଅରିଗାଁ, ସିନ୍ଦୁରପୁର, ମଣିଗାଁ ଆଦି ଗ୍ରାମଗୁଡିକର ଚାଷଜମିକୁ ପାଣି ମାଡି ପାରୁନାହିଁ । ଏହାକୁ ବାଦ୍ ଦେଲେ ବୀରମହାରାଜପୁର ବ୍ଳକର କିଛି ଚାଷଜମି ହରିହରଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ଆୟକଟ ଏରିଆ ଭିତରେ ରହିଛି । ହେଲେ ଏଠାରେ ବି କେନାଲର ତଳି ମୁଣ୍ଡକୁ ପାଣି ପହଞ୍ଚି ପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ବାକି ତିନୋଟି ବ୍ଳକ ତରଭା, ସଦର ସୋନପୁର ଓ ଉଲୁଣ୍ଡା ବ୍ଳକର ଚାଷୀମାନଙ୍କ ପାଇଁ ସେତେଟା ଜଳସେଚନର ବ୍ୟବସ୍ଥା କରାଯାଇ ପାରିନାହିଁ । ସଦର ସୋନପୁର ବ୍ଳକର ମୟୁରଉଡାନ, ବିଶିମୁଣ୍ଡା ଆଦି ଗ୍ରାମ ପଞ୍ଚାୟତର କିଛି ଗାଁକୁ ଅଂଗ ଜଳସେଚନ ପ୍ରକଳ୍ପର କେନାଲ ଆସିଛି । ହେଲେ ଏହି ଅଞ୍ଚଳରେ ରବି ଚାଷ ତ ସ୍ବପ୍ନ ହୋଇଛି, ଖରିଫ ଚାଷକୁ ମରୁଡିରୁ ରକ୍ଷା କରିବାକୁ କେନାଲରେ ଆବଶ୍ୟକ ପାଣି ଆସୁନଥିବା ମଧ୍ୟ ଅଭିଯୋଗ ହେଉଛି । ତେବେ ୬ଟି ବ୍ଳକ ଭିତରୁ ଦୁଇଟି ବ୍ଳକର ଅଧିକାଂଶ ଚାଷଜମିକୁ ପାଣି ମାଡୁଥିବା ବେଳେ ଚାରୋଟି ବ୍ଳକର ଅନେକ ଚାଷଜମିକୁ ଜଳସେଚନର ବ୍ୟବସ୍ଥା କରାଯାଇ ପାରିନାହିଁ । ଗଭୀର ନଳକୂଅ ଅବା ଅନ୍ୟାନ୍ୟ ଜଳଉତ୍ସରୁ ଚାଷୀମାନେ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ କିଛି ଚାଷ କରୁଥିବା ଦେଖିବାକୁ ମିଳୁଛି ।

ବୀରମହାରାଜପୁର ବ୍ଳକରେ ଆଂଶିକ ଚାଷ ଜମି ହରିହରଯୋର ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଜଳସେଚିତ ହୋଇଥିବା ବେଳେ ଚାରୋଟି ବ୍ଳକର ଚାଷୀ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରୁଛନ୍ତି । ତେବେ ଚାରୋଟି ବ୍ଳକର ଚାଷୀ ବର୍ଷ ତମାମ କେବଳ ଖରିଫ ଚାଷ ଉପରେ ନିର୍ଭର କରି ଚଳୁଛନ୍ତି । ରାଜ୍ୟ ସରକାର ଜିଲ୍ଲାରେ ପ୍ରାୟ ୩୫ ପ୍ରତିଶତରୁ ଅଧିକ ଚାଷଜମିକୁ ଜଳସେଚନର ବ୍ଯବସ୍ଥା କରାଯାଇଥିବା କହୁଛନ୍ତି । ହେଲେ ଚାଷୀ ରାଜ୍ୟ ସରକାରଙ୍କ ଜଳସେଚନର ରିପୋର୍ଟକୁ ଖଣ୍ଡନ କରିଛି । ଚିର ମରୁଡ଼ି ପ୍ରପୀଡିତ ଉଲୁଣ୍ଡା, ସଦର ସୋନପୁର, ତରଭା ଓ ବୀରମହାରାଜପୁର ବ୍ଳକର ୧୦ରୁ ୧୮ ପ୍ରତିଶତ ଜମିକୁ ଖରିଫ ଋତୁ ଚାଷ ପାଇଁ ଜଳସେଚନ କରାଯାଇଥିବା ଚାଷୀଙ୍କ ପକ୍ଷରୁ କୁହାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ଅର୍ଥନୀତୀ ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଥିବା ବେଳେ ଜିଲ୍ଲାରେ ଅଧିକରୁ ଅଧିକ ଚାଷଜମିକୁ ଜଳସେଚିତ କରିବା ଉପରେ ରାଜ୍ୟ ସରକାର ଧ୍ୟାନ ଦେବା ପାଇଁ ଚାଷୀ ଦାବି କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.