ETV Bharat / state

ସଫେଇ କର୍ମଚାରୀ ସଂଘର ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ ପାଳନ, ଯାନବାହନ ଚଳାଚଳ ଠପ

author img

By

Published : Feb 23, 2023, 9:55 AM IST

subarnapur bandh
subarnapur bandh

ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ସଦର ପୌର ପରିଷଦର ସଫେଇ କର୍ମଚାରୀ ସଂଘ । ସୁବର୍ଣ୍ଣପୁର ସହରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଅଧିକ ପଢନ୍ତୁ

subarnapur bandh

ସୁବର୍ଣ୍ଣପୁର: ସୋନପୁର ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ସଦର ପୌର ପରିଷଦର ସଫେଇ କର୍ମଚାରୀ ସଂଘ ପକ୍ଷରୁ ଆଜି ସହରରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କିଛି ସଫେଇ କର୍ମୀମାନଙ୍କୁ କାର୍ଯ୍ୟରୁ ଅନ୍ତର କରି ଦିଆଯାଇଥିବା ଅଭିଯୋଗ କରି ଏହି ବନ୍ଦ ପାଳନ କରାଯାଉଥିବା ସୂଚନା ରହିଛି । ଗତକାଲି(ବୁଧବାର) ସଫେଇ କର୍ମଚାରୀ ସଂଘ ପକ୍ଷରୁ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଥିଲା ।

ବନ୍ଦ ପାଳନ ଫଳରେ ସହରର ଦୋକାନ ବଜାର, ସ୍କୁଲ କଲେଜ ଏବଂ ବ୍ୟବସାୟୀକ ପ୍ରତିଷ୍ଠାନ ଆଦି ବନ୍ଦ ହେବା ସହିତ ଗାଡି ମୋଟର ଚଳାଚଳ ବି ବନ୍ଦ ରହିଛି । ସଫେଇ କର୍ମଚାରୀମାନେ ସହରର ନଳିନୀ ଛକ ଓ ବ୍ଳକ ଛକ ପ୍ରବେଶ ପଥରେ ରାସ୍ତା ଅବରୋଧ କରି ଏହି ବନ୍ଦ ପାଳନ କରୁଛନ୍ତି । ବୁଧବାର ସଫେଇ କର୍ମଚାରୀ ସଂଘ ପକ୍ଷରୁ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଥିବା ବେଳେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବନ୍ଦ ପାଳନକୁ ସମର୍ଥନ କରିବା ପାଇଁ ସହରବାସୀଙ୍କୁ ସଫେଇ କର୍ମଚାରୀ ସଂଘ ଅନୁରୋଧ କରିଥିଲେ । ତେବେ ସଫେଇ କର୍ମଚାରୀଙ୍କ ସହିତ ପୌର ପରିଷଦ କର୍ତ୍ତୃପକ୍ଷଙ୍କ ଆଲୋଚନା ବିଫଳ ହେବା ପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଖବରଅନୁସାରେ, ପୌର ପରିଷଦ ପକ୍ଷରୁ ସହରର ପରିଷ୍କାର ପରିଛନ୍ନତା ପାଇଁ ଏକ ଘରୋଇ କମ୍ପାନୀକୁ ଠିକା ପ୍ରଦାନ କରାଯାଇଥିଲା । କମ୍ପାନୀ ପାଖରେ ପ୍ରାୟ 120 ଜଣ ସଫେଇ କର୍ମଚାରୀ କାର୍ଯ୍ୟ କରୁଥିଲେ । ତେବେ ଗତ ଡିସେମ୍ବର ମାସରେ କମ୍ପାନୀର କାର୍ଯ୍ୟ ଅବଧି ଶେଷ ହେବା ପରେ ପୌର ପରିଷଦ ସଫେଇ କାର୍ଯ୍ୟ ନିଜ ହାତକୁ ନେଇଥିଲା । ତେବେ କମ୍ପାନୀରେ କାର୍ଯ୍ୟ କରୁଥିବା କିଛି ସଫେଇ କର୍ମଚାରୀଙ୍କୁ ପୌର ପରିଷଦ ପୁନଃ ନିଯୁକ୍ତି ନଦେବାରୁ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି ।

ସଂଘ ପକ୍ଷରୁ ଉଭୟ ପୌର ପରିଷଦ ଓ ଠିକା ସଂସ୍ଥା ପାଖରେ କର୍ମଚାରୀମାନଙ୍କ ଦରମା ବୃଦ୍ଧି, ଇପିଏଫ ପ୍ରଦାନ, ମାସିକ ଅବକାଶ, ସଫେଇ ପୋଷାକ, ସଫେଇ ଉପକରଣ ଆଦି ପାଇଁ ଦାବି କରାଯାଇ ଆସୁଥିଲା । କିନ୍ତୁ ସେମାନଙ୍କ ଦାବିକୁ ଠିକା ସଂସ୍ଥା କିମ୍ବା ପୌର ପରିଷଦ କର୍ଣ୍ଣପାତ କରୁନଥିଲେ । ଠିକା ସଂସ୍ଥାର ଅବଧି ଶେଷ ହେବାପରେ ପୌର ପରିଷଦର 26 ଜଣ ନିୟମିତ ସଫେଇ କର୍ମଚାରୀଙ୍କ ସହିତ ଠିକା ସଂସ୍ଥାର ପ୍ରାୟ 100 ଜଣ କର୍ମଚାରୀ ଏବେ ସଫେଇ ଦାୟୀତ୍ବ ନିର୍ବାହ କରୁଛନ୍ତି ।

ତେବେ ଠିକା ସଂସ୍ଥା ପକ୍ଷରୁ ସଫେଇ କର୍ମଚାରୀଙ୍କ ସଂପୂର୍ଣ୍ଣ ଦରମା ପ୍ରଦାନ କରାଯାଇ ନଥିବା ବେଳେ ସଦର ପୌର ପରିଷଧ ପ୍ରାୟ 20ରୁ ଅଧିକ ସଫେଇ କର୍ମଚାରୀଙ୍କୁ କାର୍ଯ୍ୟ ଯୋଗାଇ ଦେଇ ନ ଥିବା ଅଭିଯୋଗ କରି ଏହି ଆନ୍ଦୋଳନ କରାଯାଉଛି । ଆଜି ଜିଲ୍ଲା ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ପୋଲିସ ପକ୍ଷରୁ ଆନ୍ଦୋଳନର ନେତୃତ୍ବ ନେଉଥିବା ପ୍ରାୟ 10 ଜଣ ସଫେଇ କର୍ମଚାରୀଙ୍କୁ ନେଇ ଥାନାରେ ଅଟକ ରଖାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.