ସ୍ଥାୟୀ ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟ ଠିକା କର୍ମଚାରୀଙ୍କ ବିକ୍ଷୋଭ

author img

By

Published : Nov 14, 2022, 6:04 PM IST

ସ୍ୱାସ୍ଥ୍ୟ ଠିକା କର୍ମଚାରୀଙ୍କ ବିକ୍ଷୋଭ, ଦାବିପୂରଣ ନହେଲେ ଆନ୍ଦୋଳନ ଧମକ

ସ୍ୱାସ୍ଥ୍ୟ ଠିକା କର୍ମଚାରୀଙ୍କ ବିକ୍ଷୋଭ । ଦାବିପୂରଣ ନହେଲେ ହେବ ଆନ୍ଦୋଳନ । ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ବିଭିନ୍ନ ବିଭାଗର ସ୍ୱାସ୍ଥ୍ୟ କର୍ମୀ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ବିଭିନ୍ନ ବିଭାଗର ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକାରୀ ହେବା ଦିନ ଠାରୁ ଆନ୍ଦୋଳନରତ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ କର୍ମଚାରୀ ଠିକା ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଛନ୍ତି । ତେବେ ଏମାନେ ନିୟମିତ ଭାବେ କାର୍ଯ୍ୟ କରି ଆସୁଥିଲେ ବି ଏମାନଙ୍କୁ ନିୟମିତ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ କର୍ମଚାରୀ ଭାବେ ସରକାର ଆଜି ଯାଏଁ ମାନ୍ୟତା ପ୍ରଦାନ କରିନାହାଁନ୍ତି ।

ସ୍ୱାସ୍ଥ୍ୟ ଠିକା କର୍ମଚାରୀଙ୍କ ବିକ୍ଷୋଭ, ଦାବିପୂରଣ ନହେଲେ ଆନ୍ଦୋଳନ ଧମକ

ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ କର୍ମୀ । ଉଭୟ କର୍ମଚାରୀ ଜନସାଧାରଣଙ୍କୁ ଅନେକ ସମୟରେ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେଇଆସିଛନ୍ତି । ତଥାପି ସରକାର ନିୟମିତ କର୍ମଚାରୀ ଭାବେ ଗ୍ରହଣ କରିବା ପାଇଁ କୌଣସି ପଦକ୍ଷେପ ନେଉନାହାଁନ୍ତି । ଏନେଇ ଏକ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟ କର୍ମୀ । ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ । ଏନେଇ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏକମାତ୍ର ଦାବି ସ୍ଥାୟୀ ନିଯୁକ୍ତି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏହାମଧ୍ୟ ପଢ଼ନ୍ତୁ. ସ୍ଥାୟୀ ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟ ବିଭାଗର ଠିକା କର୍ମଚାରୀ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସୂଚନାନୁସାରେ, ଦୀର୍ଘ ବର୍ଷ ହେବ ଏମାନେ ବେସରକାରୀ ଭାବେ ଚାକିରି କଲେଣି । ହେଲେ ହୋଇପାରିନାହିଁ ସ୍ଥାୟୀ । ବନ୍ୟା, ବାତ୍ୟା ଏଭଳିକି କୋଭିଡ ମହାମାରୀ ସମୟରେ ଜୀବନକୁ ବାଜିରେ ଲଗାଇ ରୋଗୀ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ସ୍ୱାସ୍ଥ୍ୟ ଠିକା କର୍ମଚାରୀ । କିନ୍ତୁ ଏମାନଙ୍କୁ ରାଜ୍ୟସରକାର ଅଣଦେଖା କରୁଛନ୍ତି ।

ଏପରିକି ରାଜ୍ୟସରକାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିଛନ୍ତି । ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ନିଯୁକ୍ତ ଆୟୁଷ ଡାକ୍ତରମାନଙ୍କୁ ଅଣଦେଖା କରାଯାଉଛି । ଏହାକୁ ଭିତ୍ତିକରି ଓଡ଼ିଶା ଠିକା କର୍ମଚାରୀ ମହାସଂଘ ନିୟମିତ ଚାକିରି ଦାବିରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ନଦିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.