ETV Bharat / state

ପାଖେଇଲାଣି ନୂଆଁଖାଇ, ଚାଷୀ ମନରେ ନାହିଁ ଉତ୍ସାହ

author img

By ETV Bharat Odisha Team

Published : Sep 4, 2023, 6:54 PM IST

nuakhai 2023
ନୂଆଁଖାଇ ପର୍ବ

ଆଉ ଦିନ କେଇଟା ଗଲେ ପଶ୍ଚିମ ଓଡ଼ିଶା ପାଳିବ ନୂଆଁଖାଇ ପର୍ବ । ହେଲେ ଚଳିତ ମୌସୁମୀ ଚାଷୀ ମନକୁ ମଉଳାଇ ଦେଇଛି । ଭଲ ଅମଳ ହୋଇନଥିବାରୁ ପର୍ବ ପାଳନକୁ ନେଇ ଚାଷୀ ମନରେ ଉତ୍ସାହ ଦେଖିବାକୁ ମିଳିନାହିଁ । ଅଧିକ ପଢ଼ନ୍ତୁ

ନୂଆଁଖାଇ ପର୍ବ

ସୁବର୍ଣ୍ଣପୁର: ପାଖେଇ ଆସିଲାଣି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ହେଲେ ନୂଆଁଖାଇ ପାଇଁ ଚାଷୀ ମନରେ ଉତ୍ସାହ ନାହିଁ । ଚଳିତ ବର୍ଷ ବିଳମ୍ବିତ ମୌସୁମୀ ଓ ଅନିୟମିତ ବର୍ଷା ଯୋଗୁଁ ଖରିଫ ଚାଷରେ ଢେର ବିଳମ୍ବ ହୋଇଛି । ବିଳମ୍ବିତ ଚାଷ ଫଳରେ ଖରିଫ ଚାଷରେ ଉତ୍ପାଦନ ବି ବେଶ କମିବାର ସମ୍ଭାବନା ରହିଛି । ଏତେବେଳକୁ ସ୍ୱଳ୍ପ ମିଆଦି ଅମଳକ୍ଷମ ଧାନ ଗଛ ସବୁ କ୍ଷୀର ଭର୍ତ୍ତି ହୋଇ ଗର୍ଭଣୀ ଅବସ୍ଥା ପାର କରି ପୂର୍ଣାଙ୍ଗ କଞ୍ଚା ଚାଉଳ ହେବା କଥା । ହେଲେ ପାଣିର ଅଭାବରୁ ଚାଷ କାର୍ଯ୍ୟ ଆଗେଇ ପାରିନାହିଁ ।

ଚଳିତ ବର୍ଷ ଖରିଫ ଚାଷ ବେଶ ପ୍ରଭାବିତ ହୋଇଛି । ଏଯାଏଁ ଚାଷ କାର୍ଯ୍ୟ ବି ବାକି ରହିଛି । ବର୍ଷା ଅଭାବରୁ ଜିଲ୍ଲାର ଅଣଜଳସେଚିତ ଅଞ୍ଚଳରେ ଅନେକ ଆଟ ଓ ମାଳ କିସମର ଜମି ଚାଷ କରାଯାଇ ପାରି ନଥିବାରୁ ପଡିଆ ହୋଇ ପଡ଼ିଛି । ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥି ବେଳକୁ ଚାଷ ଜମିରେ ନବାନ୍ନା ପାଇଁ ନୂତନ ଧାନ (ଶସ୍ୟ) ଉତ୍ପାଦନ ହେବାର ଆଶା ବି ବେଶ କମ ରହିଛି । ନୂଆଁଖାଇ ପାଇଁ ବ୍ୟବହୃତ ହେଉଥିବା ସରିଆଁ ଧାନର ଉତ୍ପାଦନ ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଆଟ ଓ ମାଳ ଆଦି କିସମ ଜମିରେ ଉତ୍ପାଦିତ ହେଉଥିବା ସରିଆଁ ଧାନର ଅଭାବ ହେବାର ସମ୍ଭାବନା ରହିଛି । ତେବେ ଚଳିତ ବର୍ଷ ସରିଆଁ ଧାନର ଅଭାବ, ବିଳମ୍ବିତ ଚାଷ ଏବଂ ମହଙ୍ଗା ମାଡ଼ ନେଇ ଚାଷୀ ଚିନ୍ତିତ ହୋଇ ପଡ଼ିଛି । ଫଳରେ ନୂଆଁଖାଇ ପାଳନ ପାଇଁ ଚାଷୀ ମନରୁ ହରଷ ଉଭେଇ ଯାଇଛି । ହେଲେ ଗଣପର୍ବ ନୂଆଁଖାଇ ପାଇଁ ଚାଷୀ ନିଜକୁ ପ୍ରସ୍ତୁତ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: ଗଣପର୍ବ ନୂଆଁଖାଇ ପାଇଁ ପ୍ରସ୍ତୁତି ଆରମ୍ଭ, 'ନବାର୍ଣ୍ଣ' ପାଇଁ ପତ୍ରର ବ୍ୟବହାର ବିଭିନ୍ନତା ଭିତରେ ଏକତାର ପ୍ରତୀକ

ପରମ୍ପରା କ୍ରମେ ଭାଦ୍ରବ ଶୁକ୍ଲ ପଞ୍ଚମୀ ତିଥିରେ ସାରା ପଶ୍ଚିମ ଓଡ଼ିଶାବାସୀ ନବାନ୍ନ ପାଳନ କରିବେ । ଚାଷବାସର ଅବସ୍ଥା ଯାହା ହେଉ ନା କାହିଁକି ଚାଷୀ ମାଟି ମା' ଓ ଲଷ୍ମୀ ଦେବୀଙ୍କୁ ସ୍ମରଣ କରି ବର୍ଷର ଉତ୍ପାଦିତ ପହିଲି ଶସ୍ଯରେ ନବାର୍ଣ୍ଣ ପ୍ରସ୍ତୁତ କରି ନିଜ ଇଷ୍ଟ ଦେବା ଦେବୀଙ୍କ ପାଖରେ ସମର୍ପଣ କରିବ । ତେବେ ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଲାଗି ପାଇଁ ଲଗ୍ନ ନିର୍ଦ୍ଧାରଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ସୋନପୁର ଗଡଜାତ ଓ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳ ପାଇଁ ସୋନପୁର ଗଡଜାତର ଶ୍ରୀ ବଡଜଗନ୍ନାଥଙ୍କ ମଣ୍ଡପରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଦ୍ଧାରଣ କରିବେ । ସହରର ଇଷ୍ଟ ଦେବୀ ମା' ସୁରେଶ୍ବରୀଙ୍କ ନାଁରେ ସୋନପୁର ଗଡଜାତରେ ଲଗ୍ନ ନିର୍ଣ୍ଣୟ କରିବାର ପରମ୍ପରା ରହିଛି । ପରମ୍ପରା କ୍ରମେ ଆଗାମୀ ନନ୍ଦୋତ୍ସବ ତିଥିରେ ନୂଆଁଖାଇ ଲଗ୍ନ ନିର୍ଣ୍ଣୟ କରିବା ପାଇଁ ଦେବୋତ୍ତର ବିଭାଗ ଓ ସଦର ପୌର ପରିଷଦ ପ୍ରସ୍ତୁତି କରିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.