ETV Bharat / state

ମାଆ କାଳୀଙ୍କ ପୂଜା ଆରାଧନା ପାଇଁ ଉତ୍ସବ ମୁଖର ସୋନପୁର

author img

By ETV Bharat Odisha Team

Published : Nov 13, 2023, 10:58 PM IST

ମାଆ କାଳୀଙ୍କ ପୂଜା ଆରାଧନା ପାଇଁ  ଉତ୍ସବ ମୁଖର ସୋନପୁର
ମାଆ କାଳୀଙ୍କ ପୂଜା ଆରାଧନା ପାଇଁ ଉତ୍ସବ ମୁଖର ସୋନପୁର

ମାଆ କାଳୀଙ୍କ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ସୋନପୁର ଜିଲ୍ଲା । ବିଭିନ୍ନ ସ୍ଥାନରେ ଦେବୀମାଆଙ୍କ ପୂଜା ଆରାଧନା ଜାରି ରହିଛି । ତେବେ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ମାଆ କାଳୀଙ୍କ ପୂଜା ଆରାଧନା ପାଇଁ ଉତ୍ସବ ମୁଖର ସୋନପୁର

ସୁବର୍ଣ୍ଣପୁର: ଦେବୀ ମାଆ କାଳୀଙ୍କ ପୂଜା ଆରଧନାରେ ଉତ୍ସବ ମୁଖର ହୋଇ ଉଠିଛି ସୋନପୁର ଗଡଜାତ ସହର । କାର୍ତ୍ତିକ ଅମାବାସ୍ୟା ତିଥିରେ ଦେବୀ ମାଆ କାଳୀଙ୍କ ପୂଜା ଆରାଧନା ଆରମ୍ଭ ହୋଇଛି । ଦୀପାବଳୀର ସଂଧ୍ୟାରେ ଦେବୀ ମାଆ କାଳୀଙ୍କ ପୂଜା ଆରଧନାର ଅଧିବାସ ପର୍ବ ପାଳନ କରାଯାଇଥିଲା । ତେବେ ଆଜି ସକାଳୁ ମାଆ କାଳୀଙ୍କ ଦର୍ଶନ ନିମନ୍ତେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା ।

ଲଗ୍ନ ଅନୁଯାୟୀ ମାଆଙ୍କୁ ଅମାବାସ୍ୟାର ନିଶାର୍ଦ୍ଧରେ ଚକ୍ଷୁଦାନ କରାଯାଇ ଆବାହନ କରାଯାଇଥିଲା । ସହରର ବିଭିନ୍ନ ସ୍ଥାନରେ ତିନି ଦିନାତ୍ମକ ଓ ପଞ୍ଚ ଦିନାତ୍ମକ ପୂଜା ଆରାଧନା କରାଯାଉଛି । କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ କଳସ ସ୍ଥାପନ ସହିତ ଅଧିବାସ ପର୍ବ ଆରମ୍ଭ ହୋଇଥିଲା । ସେହିପରି ମାଆଙ୍କ ଚକ୍ଷୁଦାନ ପରେ ଆବାହନ କରାଯାଇ ଷୋଡଷ ଉପଚାର ପୂଜା ବିଧି ଆରମ୍ଭ ହୋଇଛି । ଏହା ସହିତ ଦେବୀ ମାଆଙ୍କ ନିକଟରେ ଚଣ୍ଡୀ ପାଠ ଓ ଚଣ୍ଡୀ ହବନ ବିଧି କରାଯାଉଛି । ତିନି ଦିନାତ୍ମକ କାଳୀ ପୂଜା ପାଇଁ କାର୍ତ୍ତିକ ଶୁକ୍ଲ ତୃତୀୟା ତିଥିରେ ମାଆଙ୍କ ମନ୍ତ୍ର ବିସର୍ଜନ ପର୍ବ ହେବାକୁ ଥିବା ବେଳେ ପଞ୍ଚଦିନାତ୍ମକ ପୂଜା ଆରାଧନାରେ କାର୍ତ୍ତିକ ଶୁକ୍ଲ ପଞ୍ଚମୀ ତିଥିରେ ମନ୍ତ୍ର ବିସର୍ଜନ ବିଧି ପାଳନ କରାଯିବ ।

ଏହାମଧ୍ୟ ପଢନ୍ତୁ..ଚଳଚଞ୍ଚଳ ସାକ୍ଷୀଗୋପାଳ, ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା' ଦକ୍ଷିଣ କାଳୀ

ତେବେ ଦେବୀ ମାଙ୍କ ପୂଜା ଆରାଧନା ପାଇଁ ପୂଜା ମଣ୍ଡପ ଗୁଡିକ ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇଛି । ଦେବୀ ମାଆଙ୍କ ମୃଣ୍ମୟୀ ପ୍ରତିମା ଦର୍ଶନ ତଥା ସଂଧ୍ୟା ଆରତୀରେ ସାମିଲ ହୋଇ ଦେବୀ କୃପା ଲାଭ କରିବା ପାଇଁ ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳୁଛି । ପୂଜା କମିଟି ଗୁଡିକ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସ୍ବେଛାସେବୀ ମାନଙ୍କ ପକ୍ଷରୁ ପାର୍କିଂ ଓ ଜୋତା ରଖିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । କମିଟି ଗୁଡିକର ସ୍ବେଚ୍ଛାସେବୀ ମାନେ ବାଳଭୋଗ ଯଜ୍ଞ ପାଇଁ ସୁବ୍ୟବସ୍ଥା କରିଛନ୍ତି ।

ଗତକାଲି ଠାରୁ ପୂଜା କମିଟି ଗୁଡିକ ପକ୍ଷରୁ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯାଉଛି । ଦେବୀ ମାଙ୍କ ମନ୍ତ୍ର ବିସର୍ଜନ ପରେ କିଛି ଦିନ ଦେବୀ ମାଆ ପୂଜା ମଣ୍ଡପରେ ଅବସ୍ଥାନ କରିବା ପରେ ଦେବୀଙ୍କ ମୃଣ୍ମୟୀ ପ୍ରତିମା ବିସର୍ଜନ ପାଇଁ ପୂଜା କମିଟି ଗୁଡିକ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ଶୃଙ୍ଖଳିତ ପୂଜା ପାଇଁ ପୂଜା କମିଟି ଓ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହରର ମଝିପଡା ରାମଧୂନ କ୍ଲବ ପକ୍ଷରୁ ଦେବୀ ମା କାଳୀଙ୍କ ଆକର୍ଷଣୀୟ ପୂଜା ଆରାଧନା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ମାର୍ଗଶୀର କୃଷ୍ଣ ପ୍ରତିପଦ ତିଥିରେ ଦେବୀଙ୍କ ମୃଣ୍ମୟୀ ପ୍ରତୀମା ବିସର୍ଜନ ପାଇଁ ନିଷ୍ପତ୍ତି ନିଆଯାଇଥିବା ପୂଜା କମିଟି ସୂଚନା ଦେଇଛି ।

ଇଟିଭି ଭାରତ ,ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.