ETV Bharat / state

ବୀରମହାରାଜପୁରରେ ଚାଷୀ ସମସ୍ୟା, ଜଳସେଚନ ପ୍ରକଳ୍ପ ନିର୍ମାଣ ଦାବି

author img

By

Published : Apr 9, 2023, 1:54 PM IST

farmer facing problem in subarnapur
ଚାଷୀ ସମସ୍ୟା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଚାଷୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦାବି କରିଛନ୍ତି ଚାଷୀ । ଅଧିକ ପଢନ୍ତୁ

ଚାଷୀ ସମସ୍ୟା

ସୁବର୍ଣ୍ଣପୁର: ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ସୁରୁବାଲି ଜୋର ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ପୁଣି କୃଷକ ସଙ୍ଗଠନ ଗୁଡିକ ପକ୍ଷରୁ ଦାବି ହେଉଛି । ଚିର ମରୁଡି ପ୍ରପୀଡ଼ିତ ଏହି ଅଞ୍ଚଳରେ ଜଳସେଚନ ଅଭାବରୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡିଛି । ତେବେ ଜଳସେଚନ ପାଇଁ ବିନା ବିସ୍ଥାପନରେ ପ୍ରସ୍ତାବିତ ସୁରୁବାଲି ଜୋର ପ୍ରକଳ୍ପ ପାଇଁ ରାଜ୍ୟ ଜଳସେଚନ ବିଭାଗ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଚାଷୀ ଦାବି କରିଛନ୍ତି ।

ସୁରୁବାଲି ଯୋର ପ୍ରକଳ୍ପ ନିର୍ମାଣ ହେଲେ 4ଟି ପଞ୍ଚାୟତରେ ପ୍ରାୟ ସାତ ହଜାର ଆଠ ଶହ ହେକ୍ଟର ଚାଷଜମିକୁ ଜଳସେଚନ କରାଯାଇ ପାରିବ । ତେବେ ଅଣଜଳସେଚିତ ଏହି ଅଞ୍ଚଳରେ ଚାଷୀମାନେ ବର୍ଷ ତମାମ ଗୋଟିଏ ଫସଲ ବି ଠିକ ଭାବେ ଉତ୍ପାଦନ କରି ପାରୁ ନାହାନ୍ତି । ଖରିଫ ଋତୁରେ ବି ଚାଷ ଜମି ମରୁଡିର ସମ୍ମୁଖୀନ ହେଉଛନ୍ତି । ସୁବଳୟା ,ପିତାମହୁଲ ,କମିରା ଓ ଜଟେସିଂହା ପଞ୍ଚାୟତରେ ଚାଷୀମାନେ ବାରମ୍ବାର ଏହି ପ୍ରକଳ୍ପ ନିର୍ମାଣ ପାଇଁ ଦାବି କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ଅନେକ ନେତା ମନ୍ତ୍ରୀ ଏହି ପ୍ରକଳ୍ପ ନିର୍ମାଣ ପାଇଁ ବାରମ୍ବାର ପ୍ରତିଶୃତି ବି ଦେଉଛନ୍ତି ।ହେଲେ ପ୍ରକଳ୍ପ ନିର୍ମାଣ କରାଯାଉ ନ ଥିବାରୁ ଚାଷୀମାନଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି ।

ଏହି ଅଞ୍ଚଳରେ ବୁଟୁଖମନ, ଡୁଲେଶ୍ବର, ଆମ୍ବଶରଭଟା, ଧଉରାଖମନ, ବୁରୋମାଲ ଆଦି ଗାଁ ଗୁଡିକର ଚାଷୀମାନେ ନିଜ ସାଧ୍ୟ ମତେ ଡିଜେଲ ପାଣିପମ୍ପ ଲଗାଇ ଚାଷ ଜମିକୁ ଜଳସେଚିତ କରୁଛନ୍ତି । ଫଳରେ ଉତ୍ପାଦନ ଅପେକ୍ଷା ଚାଷକାର୍ଯ୍ୟରେ ଖର୍ଚ୍ଚ ବଢି ଯାଉଛି । କେନାଲ ସାହାଯ୍ୟରେ ଜଳସେଚନ କରାଗଲେ ଚାଷୀଙ୍କ ନିଶ୍ଚିତ ଭାବେ ଅର୍ଥନୈତିକ ବିକାଶ ହେବ । ତେବେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗ ତୁରନ୍ତ ସୁରୁବାଲି ଯୋର ପ୍ରକଳ୍ପ ନିର୍ମାଣ କରିବା ପାଇଁ ପଦକ୍ଷେପ ନେବାକୁ ଚାଷୀ ମାନେ ଦାବି କରିଛନ୍ତି ।

ଏହି ପ୍ରକଳ୍ପ ନିର୍ମାଣ କରାଗଲେ ଚାଷୀଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବା ସହିତ ଅଣଧାନ ଫସଲ ଉତ୍ପାଦନ ବି ବୃଦ୍ଧି ପାଇବ। ସେହିପରି ପନିପରିବା ଠାରୁ ଆରମ୍ଭ କରି ଡାଲି ଜାତୀୟ ଓ ତୈଳବୀଜ ଜାତୀୟ ଚାଷରେ ବୃଦ୍ଧି ଘଟିବା ସହିତ ଜିଲ୍ଲା କୃଷି ଉତ୍ପାଦନରେ ଚାଷୀ ଆତ୍ମନିର୍ଭରଶୀଳ ହୋଇ ପାରିବେ । ତେବେ ଚାଷୀଙ୍କ ଏହି ସମସ୍ୟାର ସମାଧାନ ପାଇଁ ଜଳସେଚନ ପ୍ରକଳ୍ପ ନିର୍ମାଣ ଦାବି କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.