ETV Bharat / state

ପାଖେଇ ଆସୁଛି ଶୀତଳ ଷଷ୍ଠୀ ଯାତ୍ରା, ତତ୍ପରତା ପ୍ରକାଶ କରୁନାହିଁ ଦେବୋତ୍ତର ବିଭାଗ

author img

By

Published : May 8, 2023, 2:25 PM IST

sital sasthi yatra in sonpur
sital sasthi yatra in sonpur

ଶୀତଳ ଷଷ୍ଠୀ ଯାତ୍ରାକୁ ତତ୍ପରତା ପ୍ରକାଶ କରୁନାହିଁ ଦେବୋତ୍ତର ବିଭାଗ । ଅସନ୍ତୋଷ ପ୍ରକାଶ କଲା ଦେବୋତ୍ତର କମିଟି । ଅଧିକ ପଢନ୍ତୁ

ପାଖେଇ ଆସୁଛି ଶୀତଳ ଷଷ୍ଠୀ ଯାତ୍ରା

ସୋନପୁର: ଆଗକୁ ଆସୁଛି ଶୀତଳଷଷ୍ଠୀ ଯାତ୍ରା । ସହରର ଇଷ୍ଟଦେଵ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖର ଓ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ପାଳନ କରାଯିବ । କିନ୍ତୁ ଏଯାଏଁ ଜିଲ୍ଲା ଦେବୋତ୍ତର ବିଭାଗ ବିବାହ ପର୍ବ ପାଇଁ କୌଣସି ପ୍ରସ୍ତୁତି କରି ନାହିଁ । ସେପଟେ ଶୀତଳଷଷ୍ଠୀ ଯାତ୍ରା କମିଟି, ଦେବୋତ୍ତର କମିଟି ଓ ମନ୍ଦିର କମିଟିଗୁଡିକ ନିଜନିଜ ପ୍ରସ୍ତୁତିରେ ଲାଗି ପଡିଛନ୍ତି।

ଦେବୋତ୍ତର ବିଭାଗର ଏପରି ଅବହେଳା ପାଇଁ ଦେବୋତ୍ତର କମିଟି ଅସନ୍ତୋଷ ପ୍ରକାଶ କରିଛି । ମାତ୍ର କେଇଟା ଦିନ ପରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ କରିବାକୁ ଥିବାବେଳେ ଦେବୋତ୍ତର ଅଧିକାରୀ ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ହେଉଛି । ବାବା ଚନ୍ଦ୍ରଶେଖର ମନ୍ଦିର ପ୍ରାଙ୍ଗଣରେ ପାରମ୍ପରିକ ଯାତ୍ରା ପାଳନ କରିବା ପାଇଁ ଶୀତଳଷଷ୍ଠୀ ଯାତ୍ରା କମିଟି ଯୋଜନା ପ୍ରସ୍ତୁତ କରୁଛି । ଦେବୋତ୍ତର ବିଭାଗର ବିନା ସହାୟତାରେ ବି କିଭଳି ପରମ୍ପରାକୁ ବଜାୟ ରଖି ପାରିବ ସେ ସମ୍ପର୍କରେ ଯୋଜନା କରାଯାଉଛି ।

ସେହିପରି ଦେବୋତ୍ତର କମିଟି ଦେବୋତ୍ତର ଅଧିକାରୀଙ୍କୁ ସାକ୍ଷାତ କରି ଦେବ ଦମ୍ପତିଙ୍କ ବିବାହ ଉତ୍ସବକୁ ବିନା ବାଧା ବିଘ୍ନରେ ପାଳନ କରିବାକୁ ଅନୁରୋଧ କରିଛନ୍ତି । ତେବେ ଆଗାମୀ ଦିନେ ଦୁଇ ଦିନ ଭିତରେ ଦେବୋତ୍ତର କମିଟି ବୈଠକରେ ସବୁ ନିଷ୍ପତ୍ତି ନେବା ପାଇଁ ଦେବୋତ୍ତର ଅଧିକାରୀ କମିଟି ସଭ୍ୟଙ୍କୁ କହିଥିବା ସୂଚନା ମିଳିଛି ।

ଶତାଧିକ ବର୍ଷ ପୂର୍ବରୁ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ସହରରେ ପାଳିତ ହୋଇ ଆସୁଛି । ସୋନପୁର ଗଡଜାତ ଶାସନରେ ରାଜା ବିରମିତ୍ରଦ୍ୱୟ ସିଂହଦେଵଙ୍କ ଅମଳରେ ଏହି ଯାତ୍ରା ତାର ପୃଷ୍ଠପୋଷକତା ପାଇଥିଲା । ମହାରାଜା ଏହି ଉତ୍ସବକୁ ଜାକଜକମରେ ପାଳନ କରିବାକୁ ବାବା ଚନ୍ଦ୍ରଶେଖରଙ୍କ ନାଗ ପ୍ରତିମାକୁ 108 ଭରି ସ୍ୱର୍ଣ୍ଣରେ ତିଆରି କରିଥିଲେ । ଯାହା ଜିଲ୍ଲା କୋଷାଗାରରେ ରଖାଯାଇଛି । ବର୍ଷକୁ ଥରେ ସ୍ୱର୍ଣ୍ଣ ନାଗ ଓ ଦେବଦେବୀଙ୍କ ସ୍ୱର୍ଣ୍ଣ ଆଭୂଷଣ ଏହି ପର୍ଵ ସମୟରେ ବାହାର କରାଯାଇଥାଏ। କଡା ପୋଲିସ ସୁରକ୍ଷା ଭିତରେ ବାବାଙ୍କ ସ୍ୱର୍ଣ୍ଣ ନାଗ ପ୍ରତିମା ଏହି ପର୍ବରେ ସାମିଲ କରାଯାଇଥାଏ ।

ସେହିପରି ମହଣ ମହଣ ରୂପାରେ ତିଆରି ବିମାନ, ଛତି, ଛତ୍ର ସମେତ ଅଷ୍ଟଶମ୍ଭୁ, ଅଷ୍ଟ ଵିଷ୍ଣୁଙ୍କ ସ୍ୱର୍ଣ୍ଣ ଓ ରୂପା ଆଭୂଷଣ ବି ବ୍ୟବହାର କରାଯାଇଥାଏ । ବାବା ଚନ୍ଦ୍ରଶେଖରଙ୍କ ବରଯାତ୍ରୀ ଦଳରେ ଅଷ୍ଟ ଶମ୍ଭୁ ଓ ଅଷ୍ଟ ଵିଷ୍ଣୁ ସାମିଲ ହେବା ସମୟରେ ଏହି ସବୁ ଅଳଙ୍କାର ବ୍ୟବହାର କରାଯାଇଥାଏ । ତେବେ ମହଣ ମହଣ ରୂପା ଓ କେଜି କେଜି ସୁନାରେ ତିଆରି ଆଭୂଷଣ ପରିଧାନ କରିଥାନ୍ତି ଦେବ ଦମ୍ପତି । ଶହଶହ ଶ୍ରଦ୍ଧାଳୁ ଶୀତଳଷଷ୍ଠୀରେ ସାମିଲ ହୋଇଥାଆନ୍ତି ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.