ETV Bharat / state

ଉତ୍ତରାଞ୍ଚଳ ଆରଡିସି ସେକ୍ରେଟାରୀଙ୍କ ଗାଡ଼ି ଧକ୍କାରେ ଯୁବକ ମୃତ

author img

By

Published : Jan 21, 2023, 8:45 AM IST

Updated : Jan 21, 2023, 10:22 AM IST

road accident in sambalpur
ସମ୍ବଲପୁରରେ ସଡ଼କ ଦୁର୍ଘଟଣା

ବୋଲେରୋ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ । ସମ୍ବଲପୁର ଧନୁପାଲି ନିକଟରେ ଉତ୍ତରାଞ୍ଚଳ ଆରଡିସି ସେକ୍ରେଟାରୀଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ଉତ୍ତରାଞ୍ଚଳ ଆରଡିସିଙ୍କ ଗାଡ଼ି ଧକ୍କାରେ ଯୁବକ ମୃତ

ସମ୍ବଲପୁର: ଉତ୍ତରାଞ୍ଚଳ ଆରଡିସି ସେକ୍ରେଟାରୀଙ୍କ ଗାଡ଼ି ଧକ୍କାରେ ଯୁବକ ମୃତ । ସମ୍ବଲପୁର-କଟକ 53 ନମ୍ବର ଜାତୀୟ ରାଜପଥ ଧନୁପାଲି ମହାବୀରପଡା ନିକଟରେ ବୋଲେରୋ ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଯୁବକ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଭତରା ଅଞ୍ଚଳର ରଞ୍ଜିତ ମହାପାତ୍ର । ବୋଲେରୋ ଗାଡ଼ିଟି ଉତ୍ତରାଞ୍ଚଳ ଆରଡିସି ସେକ୍ରେଟାରୀଙ୍କ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: First Cabinet Meeting 2023: ଆଜି ବସିବ ବର୍ଷର ପ୍ରଥମ କ୍ୟାବିନେଟ ବୈଠକ

ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତି ପ୍ରାୟ 11ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ରଞ୍ଜିତ ନିଜ ବାଇକରେ ସମ୍ବଲପୁର ଧନୁପାଲି ଛକ ପଟୁ କଟକ ରାସ୍ତା ଆଡକୁ ଯାଉଥିଲେ । ତେବେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ଗାଡି ନିୟନ୍ତ୍ରଣ ହରାଇ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଏଥିସହ ଆଗରେ ଏକ ଜଳଖିଆ ଠେଲା ଗାଡିକୁ ମଧ୍ୟ ଧକ୍କା ଦେଇଥିଲା ଏବଂ ବୋଲେରୋ ଗାଡ଼ିଟି ରାସ୍ତା କଡ଼ ଡ୍ରେନରେ ପଡି ଯାଇଥିଲା ।

ଦୁର୍ଘଟଣା ଯୋଗୁଁ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ଧନୁପାଲି ପୋଲିସକୁ ସୂଚନା ଦେଇ ଆହତ ରଞ୍ଜିତଙ୍କୁ ସମ୍ବଲପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଯୁବକଙ୍କ ମୃତ୍ୟୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ହାଇକୋର୍ଟରେ ଓଟିଏମ ମାମଲା: 1002ଙ୍କୁ ମିଳିଛି ବକେୟା, 1026 ଜଣଙ୍କ ମିଳୁନି ଠିକଣା

ବୋଲେରୋ ଗାଡ଼ିଟି ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସି ସେକ୍ରେଟାରୀଙ୍କ ଉଦ୍ଦେଶ୍ୟରେ ଆରଡିସି ଅଫିସରେ ଭଡ଼ାରେ ଲାଗିଥିବା ସୂଚନା ମିଳିଛି । ଦୁର୍ଘଟଣା ସମୟରେ ଆରଡିସି କାର୍ଯ୍ୟାଳୟର କୌଣସି କର୍ମଚାରୀ ଅଥବା ସେକ୍ରେଟାରୀ ଥିଲେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ବିଳମ୍ବିତ ରାତିରେ ଉତ୍ତରାଞ୍ଚଳ ଆରଡିସି ସେକ୍ରେଟାରୀଙ୍କ ଗାଡ଼ି କିଏ ବ୍ୟବହାର କରୁଥିଲା ତାହା ଏବେ ବଡ଼ ପ୍ରଶ୍ନ । ଅନ୍ୟପଟେ ସମ୍ବଲପୁର ଧନୁପାଲି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ନିକଟରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପଣ୍ଡଲୋଇ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମାଆ ଝିଅଙ୍କ ମୃତ୍ୟୁ ଘଟିଥିଲା । ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଗାଁରୁ ଏକ ବାଇକ ଯୋଗେ ସ୍ବାମୀ, ସ୍ତ୍ରୀ ଓ ତାଙ୍କର 4 ବର୍ଷର ଝିଅ ସମ୍ବଲପୁର ଜିଲ୍ଲା ମାଝିପାଲୀ ଗ୍ରାମକୁ ଯାଇଥିଲେ । ପାଣ୍ଡଲୋଇ ଠାରେ ହଠାତ ଏକ ଟ୍ରକ ଆସି ବାଇକକୁ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ବାଇକ ଚାଳକ ଜଣକ ଗୁରୁତର ଆହତ ହୋଇଥିଲା । ଏହି ଘଟଣା ନେଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ସମ୍ବଲପୁର ରେଙ୍ଗାଲୀ 10 ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

Last Updated :Jan 21, 2023, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.