ETV Bharat / state

ଭିସୁଟ ଛାତ୍ରୀ ନିଖୋଜ ଘଟଣା, ପାୱାର ଚ୍ୟାନେଲରୁ 12 ଘଣ୍ଟା ପରେ ମିଳିଲା ମୃତଦେହ

author img

By

Published : Mar 1, 2023, 9:20 AM IST

Updated : Mar 1, 2023, 12:22 PM IST

ପାୱାର ଚ୍ୟାନେଲ ବ୍ରିଜରୁ ଡେଇଁ ଭିସୁଟ ଛାତ୍ରୀ ନିଖୋଜ
ପାୱାର ଚ୍ୟାନେଲ ବ୍ରିଜରୁ ଡେଇଁ ଭିସୁଟ ଛାତ୍ରୀ ନିଖୋଜ

ପାୱାର ଚ୍ୟାନେଲ ବ୍ରିଜରୁ ଡେଇଁ ବୁର୍ଲା ଭିସୁଟ ଛାତ୍ରୀ ନିଖୋଜ ଘଟଣା । ୧୨ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ । ଅଧିକ ପଢନ୍ତୁ

ଭିସୁଟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ପାୱାର ଚ୍ୟାନେଲକୁ ଡେଇଁ ବୁର୍ଲା ଭିସୁଟ ଛାତ୍ରୀ ନିଖୋଜ ଘଟଣା । ୧୨ ଘଣ୍ଟା ପରେ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ । ଅଗ୍ନିଶମ ବାହିନୀ ଦ୍ବାରା ବୁର୍ଲା ପାୱାର ଚ୍ୟାନେଲ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ବୁର୍ଲା SDPO, ଥାନା ଅଧିକାରୀ, ଭିସୁଟ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକ ହେଉଛନ୍ତି ଭିସଟ୍‌ର ଆଇଟି ପାସ୍‌ଆଉଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ । ଗତକାଲି(ମଙ୍ଗଳବାର) ସେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ । ରାତି ପ୍ରାୟ ୯ଟା ସମୟରେ ନିଜର ଜଣେ ବନ୍ଧୁଙ୍କ ସହ ବାଇକରେ ପାୱାର ଚ୍ୟାନେଲ ଆଡକୁ ବୁଲିବାକୁ ଯାଇଥିବା ବେଳେ ଅଚାନକ ବ୍ରିଜରୁ ଡେଇଁ ପଡିଥିଲେ । ଏନେଇ ତାଙ୍କର ବନ୍ଧୁ ଭିସୁଟ୍ କର୍ତ୍ତୃପକ୍ଷ, ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ।

ଏହାପରେ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ । ତେବେ ଛାତ୍ରୀଙ୍କ କୌଣସି ଖୋଜଖବର ମିଳିନଥିଲା । ବିଳମ୍ବିତ ରାତି ଯାଏଁ ଖୋଜାଖୋଜି ଜାରି ରହିଥିଲା । ଆଜି ସକାଳୁ ମଧ୍ୟ ପୁଣିଥରେ ଖୋଜାଖୋଜି ଚାଲିଥିବା ବେଳେ ମୃତଦେହ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁସାରେ, ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ କଳାହାଣ୍ଡି ଜିଲ୍ଲା ରାମପୁର ମଦନପୁର ଗାଁ ନିବାସୀ । ସେ ଭିସୁଟ ଆଇଟି ବିଭାଗରେ ସ୍ନାତକତ୍ତୋର ପାସ କରିଥିଲେ । ଗତକାଲି ଭିସୁଟର ସମାବର୍ତ୍ତନ ଉତ୍ସବ ଥିବାବେଳେ ସେ ସାର୍ଟିଫିକେଟ ନେବା ପାଇଁ ଆସିଥିଲେ ।

ଚିନ୍ମୟୀ ଗତକାଲି ରାତିରେ ତାଙ୍କର ମନ ଭଲ ନଥିବା କହି ନିଜର ବନ୍ଧୁ ତଥା ସହପାଠୀ ଭୁବନେଶ୍ୱର ବିଜେବି ନଗରର ପ୍ରୀତିମାନ ଦେଙ୍କ ସହ ପାୱାର ଚ୍ୟାନେଲ ଆଡକୁ ବୁଲିବାକୁ ଆସିଥିଲେ । ତେବେ କିଛି ସମୟ କଥା ହେବା ପରେ ସେ ଅଚାନକ ପାୱାର ଚ୍ୟାନେଲ ଗଭୀର ପାଣିକୁ ଡେଇଁ ପଡ଼ିଥିଲେ ବୋଲି ଅଭିଯୋଗ ହୋଇଛି । ତେବେ କେଉଁ କାରଣ ଯୋଗୁଁ ତାଙ୍କର ମାନସିକ ସ୍ଥିତି ଖରାପ ଥିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ । ତେବେ ଏହା ପାରିବାରିକ ଅଶାନ୍ତି, ପାଠ ଜନିତ ସମସ୍ୟା ନା ପ୍ରେମ ବ୍ୟାପାର କାରଣରୁ ହୋଇଛି ତାହା ପୋଲିସର ତଦନ୍ତ ହେଲା ପରେ ଜଣାପଡିବ । ବର୍ତ୍ତମାନ ବୁର୍ଲା ପୋଲିସ ଚିନ୍ମୟୀଙ୍କ ସହପାଠୀ ତଥା ବନ୍ଧୁ ପ୍ରୀତିମାନ ଦେଙ୍କୁ ପଚରାଉଚରା ଜାରି ରଖିଛି ।

ଏହାସହ ଆଜି ପୋଲିସ ଚିନ୍ମୟୀଙ୍କ ଅନ୍ୟ କେତେକ ସହପାଠୀଙ୍କୁ ମଧ୍ୟ ପଚରାଉଚରା କରିବ ବୋଲି ଜଣାପଡିଛି । ସମ୍ବଲପୁର ବୁର୍ଲା ଭିସୁଟର ଶିକ୍ଷା ଉଚ୍ଚମାନର ହୋଇଥିବା ବେଳେ ଏଠାରେ ପାଠ ପଢିବା ଏକ ଗୌରବର ବିଷୟ ବୋଲି କୁହାଯାଏ । ସେଥିପାଇଁ ଏଠାରେ ପାଠ ପଢିବା ପାଇଁ ଦୂର ଦୂରାନ୍ତର ଛାତ୍ରଛାତ୍ରୀ ପ୍ରାଥମିକତା ଦିଅନ୍ତି । ଏଠାରେ ପାସ୍ ଆଉଟ ଛାତ୍ରଛାତ୍ରୀ ବହୁ ବଡ଼ ବଡ଼ ଅନୁଷ୍ଠାନରେ ଚାକିରି କରୁଛନ୍ତି । ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ମଧ୍ୟ ଏହି ଶିକ୍ଷା ଅନୁଷ୍ଠାନର ଛାତ୍ରୀଛାତ୍ର ଅନେକ ନାଁ କରିଛନ୍ତି ।

ରାଗିଂ ପାଇଁ ଏହି ଶିକ୍ଷା ଅନୁଷ୍ଠାନ ବେଳେବେଳେ ବିବାଦକୁ ଆସୁଥିବାର ନଜିର ଥିବାବେଳେ ବର୍ତ୍ତମାନ ଏହିଭଳି ଏକ ଘଟଣା ଏହି ଶିକ୍ଷା ଅନୁଷ୍ଠାନକୁ ବିବାଦକୁ ଟାଣିଛି । ତେବେ ଏହି ଘଟଣାର ବିଭିନ୍ନ ଦିଗକୁ ନେଇ ବୁର୍ଲା ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଘଟଣା ସ୍ଥଳର ପାରିପାର୍ଶ୍ଵିକ ପରିସ୍ଥିତି, ପ୍ରମାଣ ଖୋଜୁଛି ପୋଲିସ । କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ବ୍ରିଜ ଉପରୁ ପଡିଥାଇ ପାରନ୍ତି ? ଏହା ଏକ ଦୁର୍ଘଟଣା କି ଆତ୍ମହତ୍ୟା ନା ହତ୍ୟା ଏ ସବୁ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ସମ୍ବଲପୁର

Last Updated :Mar 1, 2023, 12:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.