ETV Bharat / state

ଚିଡିଆଖାନାରେ ସ୍ବତନ୍ତ୍ର ବ୍ୟବସ୍ଥା: ଖାଇବାରେ ଦିଆଯାଉଛି ତରଭୂଜ, ଥଣ୍ଡା ପାଇଁ ଲାଗିଛି କୁଲର

author img

By

Published : Jun 9, 2023, 8:52 AM IST

Sambalpur Zoo
Sambalpur Zoo

ଗରମ ଦିନରେ ସମ୍ବଲପୁର ଚିଡିଆଖାନାରେ ଜୀବ ଜନ୍ତୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ବାଘ ଓ ଭାଲୁଙ୍କ ପାଇଁ କରାଯାଇଛି କୁଲର ବ୍ୟବସ୍ଥା । ଅଧିକ ପଢନ୍ତୁ

Sambalpur Zoo

ସମ୍ବଲପୁର: ଜିଲ୍ଲାରେ ଜାରି ରହିଛି ଗ୍ରୀଷ୍ମର ପ୍ରବାହ । ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ତାପମାତ୍ରା 44 ଡିଗ୍ରୀ ଉପରେ ରହୁଥିବା ବେଳେ ଘର ବାହାରକୁ ଯିବାକୁ ଲୋକେ ଭୟ କରୁଛନ୍ତି । ଏପରି ସମୟରେ ଟିକେ ଜୀବ ଜନ୍ତୁଙ୍କ କଥା ଭାବନ୍ତୁତ, ସେମାନେ କିପରି ଡହ ଡହ ଖରାରେ ଜୀବନ ବିତାଉଥିବେ । ଆପଣ ଜାଣିଲେ ଖୁସି ହେବେ ଯେ, ସମ୍ବଲପୁରରେ ଥିବା ଚିଡିଆଖାନାରେ ଜୀବ ଜନ୍ତୁଙ୍କୁ ଗରମରୁ ମୁକ୍ତି ଦେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଠାରେ ବାଘ ଓ ଭାଲୁ ପାଇଁ କୁଲରର ବ୍ୟବସ୍ଥା କରାଯାଇଛି ।

ସମ୍ବଲପୁର ଚିଡିଆଖାନାରେ 300ରୁ ଉର୍ଦ୍ଧ୍ବ ଜୀବଜନ୍ତୁ ଅଛନ୍ତି । ପ୍ରଚଣ୍ଡ ଖରା ଓ ଗରମ ଯୋଗୁଁ ସେମାନଙ୍କ ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି l ଏହି ଚିଡିଆଖାନାରେ 2ଟି ଏନକ୍ଲୋଜର ଥିବା ବେଳେ ସବୁଠି ଗ୍ରୀନ ସେଡର ଛାଉଣୀ କରାଯାଇଛି । ଜୀବ ଜନ୍ତୁଙ୍କ ପାଇଁ 24 ଘଣ୍ଟିଆ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି l ସକାଳ 9 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଏନକ୍ଲୋଜର ଉପରେ ପାଣି ଛିଞ୍ଚନ କରାଯାଉଛି । ଏହା ଦ୍ୱାରା ଜୀବ ଜନ୍ତୁ ଗରମରୁ ଟିକେ ଆରାମ ପାଉଛନ୍ତି । ଗରମକୁ ଦୃଷ୍ଟି ରେ ରଖି ଏଠାରେ ଥିବା ଚିତା ବାଘର ଏନକ୍ଲୋଜରକୁ 250 ସ୍କୋୟାର ଫୁଟରୁ 500 ସ୍କୋୟାର ଫୁଟକୁ ବୃଦ୍ଧି କରାଯାଇଛି । ଏହା ସହ ଚିତା ପାଇଁ ଥିବା ରେଷ୍ଟ ରୁମକୁ ମଧ୍ୟ ବଡ଼ କରାଯାଇଛି l ଗରମରୁ ଆରାମ ଦେବା ପାଇଁ ଚିତା ବାଘ ଓ ଭାଲୁ ପାଇଁ ମଧ୍ୟ କୁଲରର ବ୍ୟବସ୍ଥା କରାଯାଇଛି ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି,''ସବୁ ଜୀବ ଜନ୍ତୁଙ୍କ ସେଡ ଉପରେ ନଡା ପକାଯାଇଛି । ପଶୁ ପକ୍ଷୀଙ୍କ ଖାଦ୍ୟପେୟରେ କିଛିଟା ପରିବର୍ତ୍ତନ କରାଯାଇଛି । କେତେକ ଜୀବଜନ୍ତୁ ଓ ପକ୍ଷୀଙ୍କୁ ତରଭୁଜ ଓ ଗ୍ଲୁକୋଜ ଦିଆଯାଉଛି । ଅନ୍ୟପଟେ ସମ୍ବଲପୁର ଚିଡ଼ିଆଖାନା ପାଇଁ ଜଣେ ସ୍ୱତନ୍ତ୍ର ପଶୁ ଡାକ୍ତର ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକ ଦିନ ସବୁ ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି । ଏହାସହ ଚିଡ଼ିଆଖାନା ଭିତରେ ଗୋଟିଏ ରେସକ୍ୟୁ ସେଣ୍ଟର, ହସ୍ପିଟାଲ ଓ ଅତ୍ୟାଧୁନିକ ଯନ୍ତ୍ରପାତି ଥିବା ଏକ ଅପରେସନ ଥିଏଟରର ବ୍ୟବସ୍ଥା ମଧ୍ୟ କରାଯାଇଛି । ବର୍ତ୍ତମାନ ଏହି ଚିଡ଼ିଆଖାନାକୁ ବୁଲିବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ବେଳେ ସେମାନଙ୍କ ପାଇଁ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା ଓ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ''

ଗତବର୍ଷ ଏହି ଚିଡିଆଖାନାକୁ ଦେଢ଼ ଲକ୍ଷ ପର୍ଯ୍ୟଟକ ଆସିଥିବା ବେଳେ ଏଥର ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି । ଏହା ସହ ଏହି ଚିଡ଼ିଆଖାନାରେ ଏବେ ଏକ ବଟନିକାଲ ଗାର୍ଡେନ କରାଯାଇଛି ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.