ETV Bharat / state

ହନୁମାନ ଜୟନ୍ତୀ ବାଇକ ରାଲିରେ ଗୋଷ୍ଠୀ ସଂଘର୍ଷ; 15ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ଆହତ, ୧୪୪ ଧାରା ଜାରି

author img

By

Published : Apr 12, 2023, 9:44 PM IST

ନୁମାନ ଜୟନ୍ତୀ ବାଇକ ରାଲି ସମୟରେ ଗୋଷ୍ଠୀ ସଂଘର୍ଷ
ନୁମାନ ଜୟନ୍ତୀ ବାଇକ ରାଲି ସମୟରେ ଗୋଷ୍ଠୀ ସଂଘର୍ଷ

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସା । ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାତ ସଙ୍ଘର୍ଷ ସହ ପଥର ମାଡ଼ । ଏଥିରେ ଅନେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା । ହିଂସା ପରେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ସହରର ସମସ୍ତ ୬ଟି ଥାନାରେ ୧୪୪ ଧାରା ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

ନୁମାନ ଜୟନ୍ତୀ ବାଇକ ରାଲି ସମୟରେ ଗୋଷ୍ଠୀ ସଂଘର୍ଷ

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ । ଆସନ୍ତା ୧୪ ତାରିଖରେ ହନୁମାନ ଜୟନ୍ତୀ ଥିବା ବେଳେ ଆଜି ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ସମ୍ବଲପୁରରେ ପୂର୍ବ ନିର୍ଦ୍ଧାରିତ ବାଇକ ଶୋଭାଯାତ୍ରା ହେଉଥିଲା । ଏହି ସମୟରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ପଥର ମାଡ଼ ହୋଇଛି । ତେବେ ସେଠାରେ ସୁରକ୍ଷା ଦାୟିତ୍ବରେ ପୋଲିସ କର୍ମଚାରୀ ମାନଙ୍କ ଉପରେ ପଥର ମାଡ଼ ହେବାରୁ ୧୫ରୁ ଊର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ଟାଉନ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ଓ ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନ ମଧ୍ୟ ଆହତ ହୋଇଛନ୍ତି ।

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ଧନୁପାଲି ଛକରୁ ଆଜି ସନ୍ଧ୍ୟା ସମୟରେ ବାଇକ ରାଲି ଯାଉଥିବା ବେଳେ ଏହି ଗୋଷ୍ଠୀ ସଙ୍ଘର୍ଷ ଓ ପଥର ମାଡ଼ ହୋଇଛି । ତେବେ ପଥର ମାଡ଼ରେ ଉଭୟ ଗୋଷ୍ଠୀର କେତେ ଜଣ ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ଅନ୍ୟପଟେ କେଉଁ ପରିସ୍ଥିତିରେ ହିଂସା ଆରମ୍ଭ ହେଲା, ତାହା ମଧ୍ୟ ଜଣା ପଡିନି । ହିଂସାରେ ସମ୍ବଲପୁରର ଭୁତାପଡା, ସୁନାପାଲି, ମୋତି ଝରଣ ଓ ଜିଲ୍ଲା ସ୍କୁଲ ଛକ ଅଞ୍ଚଳରେ କେତୋଟି ବାଇକ ଓ କାର ଭଙ୍ଗାରୁଜା କରାଯାଇଥିବା ବେଳେ କେତେକ ସ୍ଥାନରେ ବାଇକ ପୋଡା ଯାଇଥିବା ମଧ୍ୟ ଖବର ମିଳିଛି ।

ତେବେ ଏଭଳି ହିଂସା ପରେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସହରର ଉତ୍ତେଜନା ପ୍ରବଣ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ସମ୍ବଲପୁର ସହର ଟାଉନ, ଧନୁପାଲି, ଅଇଁଠାପାଲି, କ୍ଷେତରାଜପୁର, ସଦର, ବାରେଇପାଲି ଥାନା ଆଞ୍ଚଳରେ ୧୪୪ ଧାରା ଜାରି ହୋଇଛି । ଏହିସବୁ ଅଞ୍ଚଳରେ ଦୁଇରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ ବୋଲି ସମ୍ବଲପୁର ଉପଜିଲ୍ଲାପାଳ ପ୍ରବେଶ ଚନ୍ଦ୍ର ଦଣ୍ଡସେନା ନିର୍ଦ୍ଦେଶନାମା ଜାରି କରିଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଏହା ଲାଗୁ ରହିବ ବୋଲି ଜଣାପଡ଼ିଛି ।

ଏନେଇ ସମ୍ବଲପୁର ଅତିରିକ୍ତ ଏସପି ତପନ ମହାନ୍ତି କହିଛନ୍ତି, "ହିଂସାର କାରଣ ଜଣାପଡ଼ିନି । ଏଥିରେ ବହୁ ପୋଲିସ କର୍ମୀ ଆହତ ହୋଇଛନ୍ତି । ଦୁଇ ଗୋଷ୍ଠୀରୁ ମଧ୍ୟ ଅନେକ ଆହତ ହୋଇଛନ୍ତି । ଏନେଇ ସମ୍ବଲପୁର ଟାଉନର ସମସ୍ତ ୬ଟି ଥାନାରେ ୧୪୪ ଧାରା ଜାରି କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ ଅଞ୍ଚଳରେ ଅନେକ ସଂଖ୍ୟାରେ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି । ଆଜି (ବୁଧବାର) ସନ୍ଧ୍ୟା ୭ଟାରୁ ଏହି ୧୪୪ ଧାରା ଜାରି ହୋଇଥିବା ବେଳେ ଏହା ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.