ETV Bharat / state

ଶୀତଳ ଷଷ୍ଠୀ ଯାତ୍ରା; ବାଲୁକାକଳାରେ ହରପାର୍ବତୀଙ୍କ ବିବାହ, ମୁଗ୍ଧ ଦର୍ଶକ

author img

By

Published : May 24, 2023, 4:46 PM IST

ହରପାର୍ବତୀଙ୍କ ବିବାହର ବାଲୁକା କଳା ଦେଖି ମୁଗ୍ଧ ଦର୍ଶକ
ହରପାର୍ବତୀଙ୍କ ବିବାହର ବାଲୁକା କଳା ଦେଖି ମୁଗ୍ଧ ଦର୍ଶକ

ପ୍ରଥମଥର ପାଇଁ ଶୀତଳ ଷଷ୍ଠୀ ଅବସରରେ ସମ୍ବଲପୁରରେ ଅନୁଷ୍ଠିତ ହୋଇଛି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା । ହରପାର୍ବତୀଙ୍କ ବିବାହର ବାଲୁକା କଳା ଦେଖି ମୁଗ୍ଧ ଦର୍ଶକ । ଅଧିକ ପଢ଼ନ୍ତୁ

ହରପାର୍ବତୀଙ୍କ ବିବାହର ବାଲୁକା କଳା ଦେଖି ମୁଗ୍ଧ ଦର୍ଶକ

ସମ୍ବଲପୁର: ବାଲୁକାକଳାରେ ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରା । ଆଜି ହରପାର୍ବତୀଙ୍କ ବିବାହ ଉତ୍ସବ ଅବସରରେ ଏହାକୁ ଉଦଘାଟନ କରାଯାଇଛି । ପ୍ରଥମଥର ପାଇଁ ଶୀତଳ ଷଷ୍ଠୀ ଅବସରରେ ସମ୍ବଲପୁରରେ ଅନୁଷ୍ଠିତ ହୋଇଛି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା । ଶୀତଳ ଷଷ୍ଠୀ ଯାତ୍ରାର ଆହୁରି ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଅନୁଷ୍ଠିତ ହୋଇଛି । ସମ୍ବଲପୁର କଚେରୀ ଛକ ଜେଲ ଛକ ସଂଲଗ୍ନ ରାସ୍ତାରେ ଏହି ବାଲୁକା କଳା ପ୍ରଦର୍ଶନ କରାଯାଇଛି ।

ସମ୍ବଲପୁରରେ ଶୀତଳ ଷଷ୍ଠୀ ଯାତ୍ରା ଚାଲିଥିବା ବେଳେ ଏହି ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଜରିଆରେ ଏକ ବାଲୁକା କଳା ପ୍ରଦର୍ଶିତ ହୋଇଛି । ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗୋଟିଏ ଦିନ ଭିତରେ ଏହାକୁ ନିର୍ମାଣ କରିଛନ୍ତି । ଶିଳ୍ପକଳାରେ ସମୁଦ୍ରକୂଳରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ପ୍ରଦର୍ଶିତ ହୋଇଛି । ଶିଳ୍ପକଳାଟି ଶୀତଳ ଷଷ୍ଠୀ ପାଇଁ ପ୍ରସଙ୍ଗ ଭିତ୍ତିକ ହୋଇଥିବା ବେଳେ ବେଶ ଆକର୍ଷଣୀୟ ହୋଇଛି । ଆଜି ସକାଳ 8 ଟା ସମୟରେ ଉତ୍ତରାଞ୍ଚଳ RDC ସୁରେଶ ଚନ୍ଦ୍ର ଦଳେଇ ଏହାର ଶୁଭ ଉଦଘାଟନ କରିଥିଲେ ।

ବାଲୁକାଶଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ‘‘ମା ସମଲେଶ୍ବରୀଙ୍କ ମାଟିରେ ଏହି ପବିତ୍ର ପର୍ବ ସମୟରେ ବାଲୁକା କଳା ପ୍ରଦର୍ଶନ କରିବା ନିଶ୍ଚିତ ଭାବେ ଏକ ଆଶୀର୍ବାଦ । ଏହି ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଏହି ବାଲୁକା କଳାକୁ ନିଶ୍ଚିତ ଭାବେ ଉପଭୋଗ କରିବେ ବୋଲି ମୋ ଆଶା ।’’ ସମ୍ବଲପୁର ଜିଲ୍ଲାପାଳ ଅନାନ୍ୟା ଦାସ କହିଛନ୍ତି, ‘‘ଶୀତଳ ଷଷ୍ଠୀ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରଫିକ୍ ନିୟନ୍ତ୍ରଣ, ଶୃଙ୍ଖଳତ ଦର୍ଶନ, ପାନୀୟ ଜଳ, ପାଣି ଛିଞ୍ଚନର ବ୍ୟବସ୍ଥା କରାଯାଇଛି ।’’

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ଅନାନ୍ୟା ଦାସ, ଏସପି ବତୁଲା ଗଙ୍ଗାଧର, ଏସ ଏମ ସି କମିଶନର ପ୍ରଦୀପ କୁମାର ସାହୁ, ଏନ୍ଫୋର୍ଶମେଣ୍ଟ ଅଫିସର ଶୁଭଙ୍କର ମହାନ୍ତି, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ବିଭିନ୍ନ ଶୀତଳ ଷଷ୍ଠୀ ଯାତ୍ରା କମିଟିର ସଦସ୍ୟଙ୍କ ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ଏହି ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଶୀତଳ ଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ସୁଦର୍ଶନ ପଟ୍ଟନାୟକଙ୍କୁ ସମର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ବାଲୁକା କଳା ପ୍ରଦର୍ଶନୀ 3 ଦିନ ଧରି ଚାଲିବ । ଏହା ଦ୍ବାରା ଶୀତଳ ଷଷ୍ଠୀ ଯାତ୍ରାର ଆହୁରି ପ୍ରଚାର ପ୍ରସାର ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଶା ରଖାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.