ETV Bharat / state

ମହାନଦୀ ଟ୍ରିବୁନାଲର ଅପମୃତ୍ୟୁ ହୋଇଛି, ଅସନ୍ତୋଷ ଝାଡ଼ିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ

author img

By

Published : Mar 21, 2023, 12:11 PM IST

ମହାନଦୀ ପରି ମହାନଦୀ ଟ୍ରିବୁନାଲର ଅପମୃତ୍ୟୁ ହୋଇଛି । ସାମ୍ବାଦିକ ସମ୍ମିଳନୀ କରି ଏପରି ଅସନ୍ତୋଷ ପ୍ରକାଶ କଲା ମହାନଦୀ ବଞ୍ଚାଅ ଆନ୍ଦୋଳନ । ଅଧିକ ପଢନ୍ତୁ

ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରେସମିଟ୍
ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରେସମିଟ୍

ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରେସମିଟ୍

ସମ୍ବଲପୁର: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ମହାନଦୀ ଟ୍ରିବ୍ୟୁନାଲ ନେଇ ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଗଠନର ଆବାହକ ସୁଦର୍ଶନ ଦାସ କହିଛନ୍ତି ଯେ, ମହାନଦୀର ଯେପରି ଅପମୃତ୍ୟୁ ହୋଇଛି ଠିକ୍‌ ସେହିପରି ମହାନଦୀ ଟ୍ରିବୁନାଲର ମଧ୍ୟ ଅପମୃତ୍ୟୁ ହୋଇଛି । ଓଡି଼ଶା ଓ ଛତିଶଗଡ଼ ମଧ୍ୟରେ ଯେତେବେଳେ ମହାନଦୀ ନେଇ ବିବାଦ ସୃଷ୍ଟି ହୋଇଥିଲା ସେତେବେଳେ ମହାନଦୀ ଟ୍ରିବୁନାଲ ଗଠନ ହୋଇଥିଲା ଓ ଏହି ଟ୍ରିବ୍ୟୁନାଲ ମହାନଦୀକୁ ରକ୍ଷା କରିବ ବୋଲି ଓଡିଶାବାସୀ ଆଶା କରିଥିଲେ । ହେଲେ ବର୍ତ୍ତମାନ ସେହି ଟ୍ରିବ୍ୟୁନାଲର ମଧ୍ୟ ଅପମୃତ୍ୟୁ ହୋଇଛି । ମହାନଦୀ ଓ ମହାନଦୀ ଟ୍ରିବ୍ୟୁନାଲର ଏଭଳି ଦୂରାବସ୍ଥା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ବୋଲି ଅଭିଯୋଗ କରିଛନ୍ତି ସୁଦର୍ଶନ ଦାସ ।

ସେ କହିଛନ୍ତି ଯେ, ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ରେ ଅନେକ ପ୍ରକଳ୍ପ କରି ନଦୀର ପ୍ରବାହକୁ ଅଟକାଇବାର ଚେଷ୍ଟା କରିବା ପରେ ଏହି ବିବାଦ ସମାଧନ ପାଇଁ 2018 ମସିହା ମାର୍ଚ୍ଚ 12 ତାରିଖରେ ମହାନଦୀ ଟ୍ରିବୁନାଲ ଗଠନ ହୋଇଥିଲା । ଅନ୍ତଃର୍ରାଜ୍ୟ ନଦୀ ଜଳ ବିବାଦ ଆଇନ 1956 ଅନୁଯାୟୀ ଏହି ଟ୍ରିବୁନାଲ ଗଠିତ ହୋଇଥିଲା । 2019 ମସିହାରେ ଏହି ଆଇନରେ ସଂଶୋଧନ ହୋଇଥିଲା ଯେଉଁଥିରେ 3 ବର୍ଷ ଭିତରେ ବିବାଦର ରାୟ ଶୁଣାଇବାର ନିର୍ଦ୍ଦେଶ ରହିଥିଲା । ଯଦି 3 ବର୍ଷ ଭିତରେ ବିବାଦର ଶୁଣାଣି ନହୁଏ ତେବେ ଆହୁରି 2 ବର୍ଷ ମଧ୍ୟରେ ଏହି ବିବାଦର ରାୟ ଶୁଣାଇବା ବାଧ୍ୟତାମୂଳକ ଥିଲା । ମାତ୍ର ମହାନଦୀ କ୍ଷେତ୍ରରେ ଏହା ହୋଇପାରିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ସୁଦର୍ଶନ ଦାସ ।

ଗତ କିଛି ବର୍ଷ ଭିତରେ ଟ୍ରିବ୍ୟୁନାଲର 35ଟି ଅଧିବେଶନ ବସିଲା ହେଲେ ମାମଲାର ଶୁଣାଣି ହୋଇପାରିଲା ନାହିଁ । ଗତ ମାର୍ଚ୍ଚ 11 ତାରିଖରେ ମହାନଦୀ ଟ୍ରିବୁନାଲର କାର୍ଯ୍ୟକାଳ ସରିଗଲା କିନ୍ତୁ କେନ୍ଦ୍ର ସରକାର ଏହାର କାର୍ଯ୍ୟକାଳ ବୃଦ୍ଧି କଲେନାହିଁ । ଫଳରେ ଏହି ଟ୍ରିବୁନାଲର ଭାଗ୍ୟ ବର୍ତ୍ତମାନ ତ୍ରିଶଙ୍କୁ ଅବସ୍ଥାରେ ରହିଛି । ହୀରାକୁଦ ଡ୍ୟାମରେ ଗତବର୍ଷ ଆଜିର ଦିନରେ ଯେତିକି ଫୁଟ ଜଳସ୍ତର ଥିଲା ବର୍ତ୍ତମାନ ଏହାଠାରୁ 5 ଫୁଟ କମ ଜଳସ୍ତର ରହିଛି ।

ଖରା ଦିନର ଆରମ୍ଭରୁ ଯଦି ଏପରି ଅବସ୍ଥା ରହିଛି ତେବେ ଆଗକୁ ପରିସ୍ଥିତି କେତେ ଭୟାବହ ହେବ ତାହା ସହଜରେ ଅନୁମେୟ । ମହାନଦୀର ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କ ଟିକେ ବି ଦରଦ ନାହିଁ ବୋଲି ଅଭିଯୋଗ କରିଛନ୍ତି ସୁଦର୍ଶନ । ମହାନଦୀରେ 7ଟି ବ୍ୟାରେଜ ନିର୍ମାଣ, ସବୁଜ ମହାନଦୀ ମିଶନର ପ୍ରତିଶ୍ରୁତି ପାଣିର ଗାର ପାଲଟିଛି ବୋଲି ଅଭିଯୋଗ ହୋଇଛି । ମହାନଦୀ ସଙ୍କଟ ଓ ମହାନଦୀ ଟ୍ରିବୁନାଲର ତ୍ରିଶଙ୍କୁ ଅବସ୍ଥା ନେଇ ଆଲୋଚନା କରିବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା 28 ତାରିଖରେ ଭୁବନେଶ୍ୱରଠାରେ ଏକ ଆଲୋଚନା ସଭା ଆୟୋଜନ କରାଯିବ ।ଏଥିରେ ଯୋଗ ଦେବା ପାଇଁ ଓଡ଼ିଶାର ସମସ୍ତ ରାଜନୈତିକ ଦଳ, ପ୍ରମୁଖ ସାମାଜିକ ଅନୁଷ୍ଠାନ ଓ ବିଶେଷଜ୍ଞମାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯିବ ବୋଲି ଆବାହକ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁରର ବରିଷ୍ଠ କଂଗ୍ରେସ ନେତା ଆସଫ୍‌ ଅଲି ଖାଁନ ମଧ୍ୟ ଯୋଗ ଦେଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.