ETV Bharat / state

ସମ୍ବଲପୁରରେ ବିଜେଡି ଦୁଇ ଫାଳ ! ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଗସ୍ତ ସମୟରେ ପୋଷ୍ଟର ୱାର

author img

By

Published : Jul 3, 2023, 10:57 PM IST

ସମ୍ବଲପୁରରେ ବିଜେଡି ଦୁଇ ଫାଳ !
ସମ୍ବଲପୁରରେ ବିଜେଡି ଦୁଇ ଫାଳ !

ଗତ ରବିବାର ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଗସ୍ତରେ ଆସିଥିଲେ । ଏହି ସମୟରେ ଜିଲ୍ଲା ବିଜେଡି ନେତାଙ୍କ ମଧ୍ୟରେ ଥିବା କନ୍ଦଳ ପଦାରେ ପଡ଼ିଥିଲା । ଭିନ୍ନଭିନ୍ନ ସ୍ଥାନରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ସ୍ବାଗତ କରିଥିଲେ ଭିନ୍ନ ଭିନ୍ନ ନେତା । ଅଧିକ ପଢ଼ନ୍ତୁ

ସମ୍ବଲପୁରରେ ବିଜେଡି ଦୁଇ ଫାଳ !

ସମ୍ବଲପୁର: ପାଖେଇ ଆସୁଛି ସାଧରଣ ନିର୍ବାଚନ । ଏଥିପାଇଁ ରାଜ୍ୟ ରାଜନୀତି ଏବେଠୁ ସରଗରମ ହୋଇଥିବା ବେଳେ ବିଭିନ୍ନ ଜିଲ୍ଲାକୁ ନେତା ମନ୍ତ୍ରୀଙ୍କର ଘନଘନ ଗସ୍ତ ଆରମ୍ଭ ହୋଇଛି । ଏହି ଦୃଷ୍ଟିରୁ ଶାସକ ବିଜେଡି ପଛରେ ନାହିଁ । ତେବେ ଏହି ସବୁ ରାଜନୈତିକ ପ୍ରକରଣ ଭିତରେ ସମ୍ବଲପୁର ଜିଲ୍ଲା ବିଜେଡିର ସଂଗଠନ ଉପରେ ଉଠିଛି ପ୍ରଶ୍ନ । କାରଣ ଗତ ରବିବାର ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଜିଲ୍ଲା ବିଜେଡିର ସାଙ୍ଗଠନିକ ଦୁର୍ବଳତା ପଦାରେ ପଡିଛି ।

ଯେତିକି ନେତାଙ୍କୁ ସେତିକି ପୋଷ୍ଟର । ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କୁ ସ୍ବାଗତ କରିବାକୁ ସମ୍ବଲପୁର ଜିଲ୍ଲାର ନେତାଙ୍କ ମଧ୍ୟରେ ଏମିତି ପୋଷ୍ଟର ୱାର୍‌ ଦେଖିବାକୁ ମିଳିଥିଲା । ସମସ୍ତେ ନିଜ ନିଜର ପତିଆରା ଜାହିର କରିବାକୁ ଭିନ୍ନ ଭିନ୍ନ ସ୍ଥାନରେ ନିଜ ନିଜର ସମର୍ଥକଙ୍କୁ ଧରି ପ୍ରଣବଙ୍କୁ ସ୍ବାଗତ କରିଥିଲେ ଓ ପର୍ଯ୍ୟବେକ୍ଷକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ । ତେବେ ଏହାଦ୍ବାରା ସାଧାରଣ ଲୋକଙ୍କ ମଧ୍ୟରେ ବିଜେଡିର ସଂଗଠନକୁ ନେଇ ଏକ ନକାରାତ୍ମକ ସନ୍ଦେଶ ଗଲା ବୋଲି ରାଜନୈତିକ ବିଶ୍ଳେଷକ କହିଛନ୍ତି ।

ରାଜ୍ୟର ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ଏକାଧିକ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ଯାହା ସାଧାରଣ ନିର୍ବାଚନ ପୂର୍ବରୁ ଦଳର ମୁଣ୍ଡବିନ୍ଧାର କାରଣ ପାଲଟିଛି । ବର୍ତ୍ତମାନ ସମ୍ବଲପୁର ବିଧାନସଭା ଆସନ ପାଇଁ ଆଶାୟୀ ପ୍ରାର୍ଥୀ ଭାବେ ସମ୍ବଲପୁରର ପୂର୍ବତନ ନଗରପାଳ ତଥା ବ୍ୟବସାୟୀ ଓ ସମାଜସେବୀ ସିଦ୍ଧାର୍ଥ ଶାହା, ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ, ଯୁବନେତା ସଞ୍ଜିତ ମହାନ୍ତି, ଶୈଳେଶ ଦାନୀ, ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସଙ୍କ ସହ ଜଣେ ସମାଜସେବୀ ମଧ୍ୟ ରହିଥିବା ଚର୍ଚ୍ଚା ହେଉଛି । ତେବେ ଏହି ବିଜେଡି ନେତାମାନେ ରବିବାର ଦିନ ପ୍ରଣବ ପ୍ରକାଶ ଦାସଙ୍କ ସମ୍ବଲପୁର ଗସ୍ତ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ନିଜ ନିଜର ସମର୍ଥକଙ୍କୁ ନେଇ ସ୍ବାଗତ କରିଥିଲେ । ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନ ପୂର୍ବରୁ ନୂତନ ଜିଲ୍ଲା ପର୍ଯ୍ୟବେକ୍ଷକ ସଂଗଠନକୁ ଏକଜୁଟ ନକଲେ ୨୦୧୯ ପରି ସମ୍ବଲପୁର ଜିଲ୍ଲାରେ ବିଜେଡିର ସ୍ଥିତି ବିପର୍ଯ୍ୟସ୍ତ ହୋଇପାରେ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି ।

୨୦୧୯ ନିର୍ବାଚନ ପୂର୍ବରୁ ଜିଲ୍ଲା ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ ଓ ଜିଲ୍ଲା ସଭାପତି ଦଳକୁ ସଂଗଠିତ କରି ନପାରିବାରୁ ବର୍ତ୍ତମାନ ଜିଲ୍ଲା ବିଜେଡିରେ ଜଣେ ସର୍ବମାନ୍ୟ ନେତା ନାହାନ୍ତି । ଅନ୍ୟପଟେ ସମ୍ବଲପୁର ବିଜେପିରେ ଜୟନାରାୟଣ ମିଶ୍ରଙ୍କ ପରି ଜଣେ ସର୍ବମାନ୍ୟ ନେତା ଥିବାବେଳେ ବିଜେପି ଦଳର ସଂଗଠନ ମଧ୍ୟ ବିଜେଡି ତୁଳନାରେ ଭଲ ରହିଛି । ତେଣୁ ଆଗାମୀ ନିର୍ବାଚନ ପୂର୍ବରୁ ବିଜେଡି ସଂଗଠିତ ନହେଲେ ଏହା ଦଳ ପାଇଁ ଅଡୁଆ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.