ETV Bharat / state

DurgaPuja Special: ସମଲେଶ୍ବରୀ ପୀଠକୁ କେମିତି ଆସିଲେ ମା’ ପାଟଣେଶ୍ବରୀ ?

author img

By ETV Bharat Odisha Team

Published : Oct 18, 2023, 4:57 PM IST

ସମ୍ବଲପୁର ସହରର ଅନ୍ୟତମ ଶକ୍ତି ପୀଠ ଭାବେ ପରିଗଣିତ ହୋଇଥାଏ ସମ୍ବଲପୁରର ମାଆ ପାଟଣେଶ୍ୱରୀ ମନ୍ଦିର l ଶାରଦୀୟ ଦୁର୍ଗାପୂଜାରେ ସ୍ବତନ୍ତ୍ର ରୀତିନୀତିରେ ପୂଜା ପାଇଥାନ୍ତି ମାଆ । ଜାଣନ୍ତୁ ସମଲେଶ୍ବରୀ ପୀଠକୁ କେମିତି ଆସିଲେ ପାଟଣେଶ୍ବରୀ ।

ଶାରଦୀୟ ଦୁର୍ଗାପୂଜାରେ ସ୍ବତନ୍ତ୍ର ରୀତିନୀତିରେ ପୂଜା ପାଇଥାନ୍ତି ମାଆ ପାଟଣେଶ୍ବରୀ
ଶାରଦୀୟ ଦୁର୍ଗାପୂଜାରେ ସ୍ବତନ୍ତ୍ର ରୀତିନୀତିରେ ପୂଜା ପାଇଥାନ୍ତି ମାଆ ପାଟଣେଶ୍ବରୀ

ମାଆ ପାଟଣେଶ୍ବରୀ

ସମ୍ବଲପୁର: ସମ୍ବଲପୁର ସହରର ଅନ୍ୟତମ ଶକ୍ତି ପୀଠ ଭାବେ ପରିଗଣିତ ହୋଇଥାଏ ସମ୍ବଲପୁରର ମାଆ ପାଟଣେଶ୍ୱରୀ ମନ୍ଦିର l ସମ୍ବଲପୁର ସହରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ମନ୍ଦିର ପାଖରେ ହିଁ ରହିଛି ମା’ ପାଟଣେଶ୍ୱରୀ ମନ୍ଦିର l ସମଲେଶ୍ୱରୀ ଓ ମାଆ ପାଟଣେଶ୍ୱରୀ 2 ଭଉଣୀ ବୋଲି ମାନ୍ୟତା ରହିଛି l ତେବେ ପାଟଣେଶ୍ୱରୀଙ୍କୁ ଦକ୍ଷିଣ କାଳୀଙ୍କ ସ୍ୱରୂପ ବୋଲି ମଧ୍ୟ କୁହାଯାଏ l ପ୍ରତ୍ୟେକ ବର୍ଷ ଦଶହରା ସମୟରେ ଏହି ପୀଠରେ ଅତି ନିଷ୍ଠାର ସହ ହୋଇଥାଏ ମାଆଙ୍କ ନବରାତ୍ର ପୂଜା l ମାଆଙ୍କ ଦର୍ଶନ କଲେ ମାନସିକ ପୂରଣ ହୋଇଥାଏ ବୋଲି ରହିଛି ମାନ୍ୟତା ତେଣୁ ବର୍ଷ ତମାମ ଏଠାରେ ଭକ୍ତଙ୍କ ଆଗମନ ହେଉଥିବା ବେଳେ ଶାରଦୀୟ ଦୁର୍ଗା ପୂଜା ସମୟରେ ଏଠାରେ ପ୍ରବଳ ଗହଳି ହୋଇଥାଏ l

ଏହାମଧ୍ୟ ପଢନ୍ତୁ..ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ବରଗଡ, ଚନ୍ଦ୍ରଘଣ୍ଟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ସମଲେଶ୍ଵରୀ

ମହାନଦୀ କୂଳରେ ରହିଛି ଅବସ୍ଥିତ ମାଆ ପାଟଣେଶ୍ବରୀଙ୍କ ମନ୍ଦିର । ପ୍ରତ୍ୟେକ ବର୍ଷ ଏଠାରେ ଶାରଦୀୟ ଦୁର୍ଗା ପୂଜା ସମୟରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହୋଇଥାଏ l ପ୍ରତ୍ୟେକ ବର୍ଷ ମହାଳୟା ତିଥିରେ ମାଆ ଏଠାରେ ଧବଳମୁଖୀ ବେଶରେ ଦର୍ଶନ ଦିଅନ୍ତି l ପ୍ରତିପଦା ଦିନ ଠାରୁ ମାଆ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଶ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟିନୀ, କାଳରାତ୍ରି, ମହାଗୌରୀ ଆଦି ବେଶରେ ପୂଜା ପାଆନ୍ତି l ଦଶହରା ଦିନ ଅପରାଜିତା ପୂଜା ହୋଇଥାଏ ଓ କୁମାର ପୂର୍ଣ୍ଣିମା ଦିନ ମାଆଙ୍କ ମନ୍ଦିରରେ ନୂତନ ଧ୍ୱଜ ଆରୋହଣ ହୋଇଥାଏ l

ଏଠାରେ ବ୍ରାହ୍ମଣମାନେ ଅତି ନିଷ୍ଠାର ସହ ତାନ୍ତ୍ରିକ ପଦ୍ଧତିରେ ମାଆଙ୍କ ପୂଜାର୍ଚ୍ଚନା କରିଥାନ୍ତି l ଦଶହରା ସମୟରେ ଭୋର 4 ଟାରେ ମନ୍ଦିରର ମୁଖ୍ୟଦ୍ୱାରା ଖୋଲା ଯାଇଥାଏ l ଏହା ପରେ 5 ଟାରେ ଆଳତୀ ହେବା ପରେ ସାଢେ 5 ଟାରେ ମାଆ ଭକ୍ତଙ୍କୁ ଦର୍ଶନ ଦିଅନ୍ତି l ଏହା ପରେ ଦିନ 12 ଟାରେ ଅନ୍ନଭୋଗ ହୋଇଥାଏ l ପରେ ସନ୍ଧ୍ୟା 7ଟାରେ ଆଳତୀ ହୋଇଥାଏ l ପରେ ପୁଣି ରାତି 8 ଟାରେ ମାଆଙ୍କୁ ସେହି ଦିନରେ ବେଶରେ ସଜ୍ଜିତ କରାଯାଇ ଆଳତୀ କରାଯାଏ l ଏହି ସମୟରେ ମାଆଙ୍କ ବେଶ ଅନୁସାରେ ଭିନ୍ନ ଭିନ୍ନ ଦିନରେ ଭିନ୍ନ ଭିନ୍ନ ଭୋଗ ଲାଗିଥାଏ l ରାତି 10 ଟାରେ ମାଙ୍କ ମନ୍ଦିରରେ ପହଡ ପଡିଥାଏ l

ଏହାମଧ୍ୟ ପଢନ୍ତୁ..ହରଚଣ୍ଡୀ ବେଶରେ ଦର୍ଶନ ଦେଲେ ମା’ କଟକ ଚଣ୍ଡୀ, ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ତେବେ ଐତିହାସିକ ତଥ୍ୟ ଅନୁଯାୟୀ, ଏହି ମନ୍ଦିରକୁ 1590 ମସିହାରେ ଚୌହାନ ବଂଶୀୟ ରାଜା ହୃଦୟ ନାରାୟଣ ଦେବ ନିର୍ମାଣ କରିଥିଲେ l ଐତିହାସିକଙ୍କ ମତରେ ହୃଦୟ ନାରାୟଣ ଦେବ, ରାଜା ବଳରାମ ଦେବଙ୍କ ପୁତ୍ର ଥିଲେ l ପାଟଣାଗଡ ରାଜ୍ୟର ରାଜା ଥିବା ବେଳେ ହୃଦୟ ନାରାୟଣ ଦେବ ପାଟଣେଶ୍ବରୀ ମାଆଙ୍କ ପୂଜା କରୁଥିଲେ । ପରବର୍ତ୍ତୀ ସମୟରେ ଯେତେବେଳେ ସମ୍ବଲପୁରର ରାଜା ହେଲେ ମାଆଙ୍କ ପୂଜାର୍ଚ୍ଚନା କରିବା ପାଇଁ ସମ୍ୱଲପୁରରେ ପ୍ରତିଷ୍ଠା କରିଥିଲେ ପାଟଣେଶ୍ବରୀ ଦେବୀ ମନ୍ଦିର । ସେହିଦିନଠାରୁ ଏଠାରେ ମାଆ ପାଟଣେଶ୍ବରୀ ପୂଜା ପାଇଆସୁଛନ୍ତି ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.