ETV Bharat / state

ସମ୍ବଲପୁରରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ସ୍ଥଗିତ

author img

By

Published : Mar 18, 2023, 7:28 AM IST

ସମ୍ବଲପୁରରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ସ୍ଥଗିତ
ସମ୍ବଲପୁରରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ସ୍ଥଗିତ

ତିନି ଦିନ ପରେ ସମ୍ବଲପୁରରେ ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତ । ସରକାରଙ୍କ ପ୍ରତିଶ୍ରୁତି ପରେ ୩ ମାସ ପାଇଁ ଆନ୍ଦୋଳନ ସ୍ଥଗିତ ରହିଛି । ଅଧିକ ପଢନ୍ତୁ

ସମ୍ବଲପୁରରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ସ୍ଥଗିତ

ସମ୍ବଲପୁର: ସାରା ରାଜ୍ୟରେ ଡ୍ରାଇଭରଙ୍କ ୧୦ ଦଫା ଦାବି ନେଇ ୩ ଦିନ ଧରି ଚାଲିଥିବା ଆନ୍ଦୋଳନ ସ୍ଥଗିତ ରହିଛି । ଶୁକ୍ରବାର ଅପରାହ୍ନରେ ଆନ୍ଦୋଳନକୁ ୩ ମାସ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିବା ଡ୍ରାଇଭର ସଂଘର ସମ୍ବଲପୁର ଶାଖା ପକ୍ଷରୁ ସୂଚନା ଦିଆଯାଇଛି । ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଶାସନ ଥାନାରେ ଡ୍ରାଇଭର ସଂଘ ଜିଲ୍ଲା ସଭାପତି ଏନେଇ ସୂଚନା ଦେଇଛନ୍ତି । ରାଜ୍ୟ ନେତୃତ୍ୱର ନିଷ୍ପତ୍ତିକ୍ରମେ ଏହି ସୂଚନା ଦିଆଯାଇଥିବା କୁହାଯାଇଛି । ଡ୍ରାଇଭରମାନେ ଆନ୍ଦୋଳନକୁ ସ୍ଥଗିତ ରଖିବା ପରେ ରାଜ୍ୟରେ ପରିବହନ ବ୍ୟବସ୍ଥା କ୍ରମଶଃ ସ୍ବାଭାବିକ ହେଉଛି ।

ଗତ ୧୫ ତାରିଖରୁ ୧୦ ଦଫା ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘର ସମ୍ବଲପୁର ଶାଖା ପକ୍ଷରୁ ଜିଲ୍ଲାରେ ଆନ୍ଦୋଳନ ଜାରି ରହିଥିଲା । ଏହାର ପ୍ରଭାବରେ ସମ୍ବଲପୁର ସହରର ଅଇଁଠାପାଲି ଛକ ସମେତ ବିଭିନ୍ନ ସ୍ଥାନରେ ଶହ ଶହ ମାଲବାହୀ ଟ୍ରକ ଅଟକି ରହିଥିଲା । ଏହି ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ଜିଲ୍ଲା ଡ୍ରାଇଭର ସଂଘର ଏକ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲା । ଜିଲ୍ଲାପାଳ ଅନନ୍ୟା ଦାସ, ଏସପି ବତୁଲା ଗଙ୍ଗାଧରଙ୍କ ଉପସ୍ଥିତିରେ ଡ୍ରାଇଭର ସଂଘର ସଦସ୍ୟମାନେ ଆଲୋଚନା କରିଥିଲେ । ଏହି ବୈଠକରେ ସଂଘର ସଦସ୍ୟମାନଙ୍କୁ ଅନ୍ତତଃ ଅତ୍ୟାବଶ୍ୟକ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଥିବା ଟ୍ରକ ଗୁଡିକୁ ଛାଡି ଦେବାକୁ ଅନୁରୋଧ କରିଥିଲା ଜିଲ୍ଲା ପ୍ରଶାସନ । ଏଥିରେ ଡ୍ରାଇଭର ସଂଘ ରାଜି ହୋଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିଲେ ।

ଗତ ଗୁରୁବାର ରାତିରେ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଭିତରେ ସମ୍ବଲପୁର ଅଇଁଠାପାଲି ଛକ ସମେତ ବିଭିନ୍ନ ସ୍ଥାନରେ ଅଟକ ଥିବା ଟ୍ରକ ଗୁଡିକୁ ଛାଡିଥିଲା । ଏହାପରେ ମଧ୍ୟ ଡ୍ରାଇଭର ସଂଘର ସଦସ୍ୟମାନେ ରାତି ତମାମ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶୁକ୍ରବାର ସକାଳୁ ଜୟନ୍ତପୁର ଛକରେ ଜିଲ୍ଲାର ୯ଗୋଟି ବ୍ଲକର ଡ୍ରାଇଭର ସଂଘର ସଦସ୍ୟ ଶାନ୍ତିପୂର୍ଣ୍ଣ ଭାବରେ ବସିଥିବା ବେଳେ ସେଠାରୁ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଶାସନ ଥାନା ସମ୍ମୁଖରେ ଶହ ଶହ ଡ୍ରାଇଭର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଥାନା ଘେରାଉ କରିଥିଲେ ।

ସଂଘର କର୍ମକର୍ତ୍ତାମାନେ ଅଭିଯୋଗ କରିଥିଲେ ଯେ, ସମ୍ବଲପୁର-କୋଲକାତା ୫୩ ଜାତୀୟ ରାଜପଥରେ ଜୟନ୍ତପୁର ଛକଠାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିଥିଲା । ହେଲେ ପୋଲିସ ବିନା କାରଣରେ ୧୭୦ ଜଣ ଡ୍ରାଇଭରଙ୍କୁ ଥାନାକୁ ଉଠାଇ ନେଇଥିଲା । ଗତ ରାତିରେ ମଧ୍ୟ କେତେକ ଲୋକ ଷଡଯନ୍ତ୍ର କରି ପଥର ମାଡ କରି ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ ବୋଲି ସଂଘ ଅଭିଯୋଗ କରିଛି । ଅନ୍ୟପଟେ ସମ୍ବଲପୁର ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଡ୍ରାଇଭର ସଂଘ ରାଜରାସ୍ତା ଅବରୋଧ କରିବାର ଯୋଜନା କରୁଥିବାର ସୂଚନା ପାଇ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା । ତେବେ ଡ୍ରାଇଭରମାନଙ୍କୁ ବ୍ୟକ୍ତିଗତ ମୁଚଲିକାରେ ଛଡାଯାଇଛି ବୋଲି ଅତିରିକ୍ତ ଏସପି ତପନ ମହାନ୍ତି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଡ୍ରାଇଭର ସଂଘ ପକ୍ଷରୁ କୁହାଯାଇଛି ସରକାରଙ୍କ ପ୍ରତିଶ୍ରୁତି ପରେ ସଂଘର ରାଜ୍ୟ ନେତୃତ୍ୱ ଏହି ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ଘୋଷଣା କରିବା ପରେ ସମ୍ବଲପୁରରେ ଏହି ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ମୁଖ୍ୟତଃ ଡ୍ରାଇଭରଙ୍କ ପାଇଁ ବୀମା, ଡ୍ରାଇଭର ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବା, ଆବାସ ଯୋଜନା, ସେମାନଙ୍କ ପିଲାଙ୍କ ପାଇଁ ସରକାରୀ ସ୍କୁଲରେ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ୧୦ ଦଫା ଦାବି ନେଇ ଆନ୍ଦୋଳନ କରାଯାଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.