ETV Bharat / state

Jugal Darshan Tonight: ସମ୍ପନ୍ନ ହେଲା ଦେବ ବିବାହ; ଆଜି ମହାଦେବ ଓ ମାତା ପାର୍ବତୀଙ୍କ ଯୁଗଳ ଦର୍ଶନ

author img

By

Published : May 25, 2023, 3:12 PM IST

ସମ୍ପନ୍ନ ହେଲା ଦେବ ବିବାହ
ସମ୍ପନ୍ନ ହେଲା ଦେବ ବିବାହ

ସରିଲା ଦେବ ବିବାହ । ଆଜି ଯୁଗଳ ଦର୍ଶନ ଦେବେ ଦେବ ଦମ୍ପତି । ଆସନ୍ତାକାଲ ସନ୍ଧ୍ୟାରେ ମହାଦେବ ଓ ମାତା ପାର୍ବତୀଙ୍କ ମନ୍ଦିର ପ୍ରବେଶ ହେବ l ଅଧିକ ପଢନ୍ତୁ

ଆଜି ଯୁଗଳ ଦର୍ଶନ ଦେବେ ଦେବ ଦମ୍ପତି

ସମ୍ବଲପୁର: ଶୀତଳ ଷଷ୍ଠୀ ଅବସରରେ ସମ୍ପନ୍ନ ହୋଇଛି ଦେବ ଦମ୍ପତିଙ୍କ ବିବାହ l ଆଜି ସକାଳୁ ସମ୍ବଲପୁରର ନନ୍ଦପଡା, ମୁଦୀପଡା, ଝାଡୁଆପଡା ସମେତ ସମସ୍ତ ଶୀତଳ ଷଷ୍ଠୀ ଯାତ୍ରା କମିଟିର ଦେବ ବିବାହ ବା ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଶୁଭ ପରିଣୟ ଅନୁଷ୍ଠିତ ହୋଇଯାଇଛି l ଆଜି କନ୍ୟା ପିତାମାତା ଦେବ ଦମ୍ପତିଙ୍କୁ ବିଦାୟ ଦେବାକୁ ଥିବାବେଳେ ବିଳମ୍ବିତ ରାତି 11ଟାରୁ ମନ୍ଦିରରୁ ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିବ । ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ଶୋଭାଯାତ୍ରା ଚାଲିବ ଓ ସନ୍ଧ୍ୟାରେ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ହେବ l

ଆଜି ଭୋର 5ଟାରୁ ଦେବ ଦମ୍ପତିଙ୍କ ବିବାହ ଆରମ୍ଭ ହୋଇ ସକାଳ 9ଟା ମଧ୍ୟରେ ସମସ୍ତ ଯାତ୍ରା କମିଟିର ଦେବ ବିବାହ ସମ୍ପନ୍ନ ହୋଇଛି l ଗତ ରାତି ପ୍ରାୟ 11ଟା ସମୟରେ ନନ୍ଦପଡାର ବମ ବରାଡ଼ ବାଲୁଙ୍କେଶ୍ବର ବାବା, ଝାଡୁଆ ପଡାର ଲୋକନାଥ ବାବା, ମୁଦୀପଡାର ଜାଗେଶ୍ବର ବାବା, ବଡ଼ ବଜାରର ଶୀତଳେଶ୍ବର ବାବା, ଠାକୁରପଡାର ଗୁପ୍ତେଶ୍ବର ବାବା, ଦୁର୍ଗାପାଲିର ଗୁଡ଼େଶ୍ବର ବାବାଙ୍କ ସମେତ ସମସ୍ତ ଯାତ୍ରା କମିଟିର ମହାଆଳତି ପରେ ବରଯାତ୍ରୀ ଶୋଭାଯାତ୍ରା ବାହାରିଥିଲା l ମହାଆଳତିରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଏସପି ବାତୁଳା ଗଙ୍ଗାଧରଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l ଏହାପରେ ରଙ୍ଗାରଙ୍ଗ ଆଲୋକ ମାଳାରେ ସୁସଜ୍ଜିତ ହୋଇ ବାହାରିଥିଲା ବରଯାତ୍ରୀ ଶୋଭାଯାତ୍ରା l ଭୋଳା ବାବାଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦେବ, ଦାନବ, ମାନବ, କିନ୍ନର ।

ଏଥିରେ ପାରମ୍ପରିକ ଲୋକ କଳାକାର ଓ ଆଧୁନିକ କଳାକାର ମଧ୍ୟ ସାମିଲ ହୋଇଥିଲେ l ପ୍ରାୟ 5 ହଜାର କଳାକାରଙ୍କ ସମାଗମ ହୋଇଥିଲା l ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ରୁଟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ 42 ପ୍ଲାଟୁନ ପୋଲିସ ସମ୍ବଲପୁର ସହରରେ ମୁତୟନ କରାଯାଇଛି l ଆଜି ଭୋର 4ଟା ପର୍ଯ୍ୟନ୍ତ ଏହି ବରଯାତ୍ରୀ ଶୋଭାଯାତ୍ରା ଚାଲିଥିଲା l ଶୋଭାଯାତ୍ରା କନ୍ୟାପକ୍ଷର ବାସଗୃହରେ ପହଞ୍ଚିବା ପରେ କନ୍ୟାପକ୍ଷ ପାରମ୍ପରିକ ରୀତିନୀତି ଅନୁସାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ l

ଏହାପରେ ବିବାହ ମଣ୍ଡପକୁ ମାତା ପାର୍ବତୀଙ୍କୁ ଅଣାଯାଇଥିଲା l ପୂଜକଙ୍କ ମନ୍ତ୍ର ଧ୍ବନି ଓ ଶ୍ଳୋକ ଉଚ୍ଚାରଣ ସହିତ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା l କେତେକ ସ୍ଥାନରେ ଅରଣ୍ୟକ ଓ ଉତ୍କଳୀୟ ପଦ୍ଧତିରେ ସମ୍ପୂର୍ଣ୍ଣ ଲୋକାଚାରରେ ବିବାହ ସମ୍ପନ୍ନ ହୋଇଛି l ଆଜି ହୋମ ହେବା ପରେ ସନ୍ଧ୍ୟା ପର୍ଯ୍ୟନ୍ତ କନ୍ୟା ପିତାମାତା ଘରେ ଯୁଗଳମୂର୍ତ୍ତି ବେଶରେ ଦର୍ଶନ ଦେବେ ମହାଦେବ ଓ ମାତା ପାର୍ବତୀ l ପରେ ରାତି 11ଟାରୁ ଯୁଗଳ ଦର୍ଶନ ଶୋଭାଯାତ୍ରା ମନ୍ଦିରରୁ ବାହାରି ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ଚାଲିବ ଓ ସନ୍ଧ୍ୟାରେ ମନ୍ଦିର ପ୍ରବେଶ ହେବ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.