ETV Bharat / state

ନବ ଦାସ ହତ୍ୟାକାଣ୍ଡର ସତ୍ୟ ଉନ୍ମୋଚନ କରିବାରୁ ମୋତେ ହତ୍ୟା ଉଦ୍ୟମ କରାଯାଉଛି: ଜୟନାରାୟଣ

author img

By

Published : Feb 16, 2023, 8:04 PM IST

ବିଜେଡି ପକ୍ଷରୁ ହତ୍ୟା ଉଦ୍ୟମ ହେଉଥିବା ଅଭିଯୋଗ କଲେ ଜୟନାରାୟଣ
ବିଜେଡି ପକ୍ଷରୁ ହତ୍ୟା ଉଦ୍ୟମ ହେଉଥିବା ଅଭିଯୋଗ କଲେ ଜୟନାରାୟଣ

ଧନୁପାଲି IIC ଓ ବିରୋଧି ଦଳ ନେତାଙ୍କ ମଧ୍ୟରେ ଘଟିଥିବା ଧସ୍ତାଧସ୍ତି ଘଟଣାରେ ସମ୍ବଲପୁରରେ ଜୟନାରାୟଣ ରହୁଥିବା ସର୍କିଟ ହାଉସକୁ ବିଜେଡି କର୍ମୀ ଘେରାଓ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ତେବେ ନବ ଦାସ ହତ୍ୟାକାଣ୍ଡ ଘଟଣାର ସତ୍ୟ ଉନ୍ମୋଚନ କରିବାରୁ ଏମାନେ ମୋତେ ହତ୍ୟା କରିବାକୁ ଆସିଥିଲେ ବୋଲି ଅଭିଯୋଗ କରିଛନ୍ତି ଜୟନାରାୟଣ । ଅଧିକ ପଢ଼ନ୍ତୁ

ବିଜେଡି ପକ୍ଷରୁ ହତ୍ୟା ଉଦ୍ୟମ ହେଉଥିବା ଅଭିଯୋଗ କଲେ ଜୟନାରାୟଣ

ସମ୍ବଲପୁର: ଗତକାଲି ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଆନ୍ଦୋଳନ ଜାରି ରହିଥିବା ବେଳେ ଧନୁପାଲି IIC ଓ ବିରୋଧି ଦଳ ନେତାଙ୍କ ମଧ୍ୟରେ ଘଟିଥିବା ଧସ୍ତାଧସ୍ତି ଘଟଣାରେ ଉଗ୍ର ହେଉଛି ରାଜନୀତି । ଏହି ପ୍ରସଙ୍ଗରେ ଆଜି ସମ୍ବଲପୁରରେ ବିଧାୟକ ରହୁଥିବା ସର୍କିଟ ହାଉସକୁ ବିଜେଡି ପକ୍ଷରୁ ଘେରାଓ କରାଯିବା ସମୟରେ କେତେକ ବିଜେଡି କର୍ମୀ ସର୍କିଟ ହାଉସକୁ ଧସେଇ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ତାଙ୍କୁ ହତ୍ୟା କରିବା ପାଇଁ ବିଜେଡି କର୍ମୀମାନେ ଯାଇଥିବା ଅଭିଯୋଗ ଆଣିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ।

ଏନେଇ ସମ୍ବଲପୁର ବିଧାୟକ ତଥା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, "ଯଦି ବିଜେଡି ଦଳର କିଛି ଆପତ୍ତି ଅଭିଯୋଗ କିମ୍ବା ଦାବି ଥିଲା, ତାହେଲେ ସେମାନେ ଜିଲ୍ଲା ପୋଲିସ ପ୍ରଶାସନ ଆଗରେ ଦାବି କରିଥାନ୍ତେ । ଅଥବା ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥାନ୍ତେ । ସେମାନେ ମୋ ପାଖକୁ କଣ ପାଇଁ ଆସିଥିଲେ । ସର୍କିଟ ହାଉସରେ ବଳପୂର୍ବକ ପଶି ବିଜେଡି ଏହା ପ୍ରମାଣିତ କରିଛି ଯେ ସେମାନେ ମତେ ହତ୍ୟା କରିବାକୁ ଆସିଥିଲେ । ସୌଭାଗ୍ୟ ବଶତଃ ସେଠାରେ ମୁଁ ନଥିବାରୁ ବଞ୍ଚିଗଲି । ଏମିତି କରି ବିଜେଡି ଏହା ପ୍ରମାଣିତ କରିଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକନାହିଁ । ନବ ଦାସ ହତ୍ୟା ଘଟଣାର ଷଡଯନ୍ତ୍ରର ସତ୍ୟ ଉନ୍ମୋଚନ କରିଥିବାରୁ ମୋତେ ହତ୍ୟା କରିବାକୁ ଉଦ୍ୟମ ହେଉଛି ।" ସର୍କିଟ ହାଉସ ସରକାରୀ ସ୍ତରରେ ସବୁଠାରୁ ସୁରକ୍ଷିତ ସ୍ଥାନ ହୋଇଥିବାବେଳେ ବିଜେଡିର ଗୁଣ୍ଡାମାନେ ତା ଭିତରକୁ କେମିତି ପଶିଲେ ଓ ପୋଲିସ କାହିଁକି ସୁରକ୍ଷା ଦେଇପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ । ଅନ୍ୟପଟେ ନବ ଦାସ ହତ୍ୟାକାଣ୍ଡ ମାମଲାରେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ କାହିଁକି ଇସ୍ତଫା ଦେଇନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ ।

ଅନ୍ୟପଟେ ଗୁରୁବାର ସମ୍ବଲପୁର ଜିଲ୍ଲା ମହିଳା ପୋଲିସ ଅଧିକାରୀ, କର୍ମଚାରୀ ଓ ହାବିଲ୍‌ଦାର ଓ କନେଷ୍ଟବଳ ସଙ୍ଘ ପକ୍ଷରୁ ଏହି ପ୍ରସଙ୍ଗ ନେଇ ଉତ୍ତରାଞ୍ଚଳ ଆଇଜିଙ୍କ ଜରିଆରେ ରାଜ୍ୟ ପୋଲିସ ଡିଜିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ଅଧିକାରୀମାନେ ବାରମ୍ବାର ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଏହି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି । ତେଣୁ ଯଥାଶୀଘ୍ର ଏନେଇ ପଦକ୍ଷେପ ନେବାକୁ ଦାବି ହୋଇଛି । ଏନେଇ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର କହିଛନ୍ତି, "ଉଭୟ ପକ୍ଷରୁ ସମ୍ବଲପୁର ଟାଉନ ଥାନାରେ ଅଭିଯୋଗ ହୋଇଛି । ସାକ୍ଷ୍ୟ, ପ୍ରମାଣ ଓ ଟେକ୍‌ନିକାଲ ଏଭିଡେନ୍ସକୁ ଆଧାର କରି ତଦନ୍ତ ଜାରି ରହିଛି । ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ପ୍ରକାଶ ଥାଉକି, ଗତକାଲିର ଘଟଣା ନେଇ ସମ୍ବଲପୁର ଟାଉନ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଛି । ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନଙ୍କ ପକ୍ଷରୁ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟପକ୍ଷରୁ ଆସିଥିବା ଅଭିଯୋଗ ଆଧାରରେ ଏକ ଷ୍ଟେସନ ଡାଇରୀ ହୋଇଛି । ସାକ୍ଷ୍ୟ, ପ୍ରମାଣ ଓ ଟେକ୍‌ନିକାଲ ଏଭିଡେନ୍ସକୁ ଆଧାର କରି ତଦନ୍ତ ଜାରି ରହିଛି ଓ ଆଗକୁ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଜି ଦୀପକ କୁମାର କହିଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଓ ଧନୁପାଲି ଥାନା ଅଧିକାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.