ETV Bharat / state

ବୋରୱେଲ ଭିତରେ ନବଜାତ; ଶୁଭୁଛି କ୍ରନ୍ଦନ ସ୍ବର, ପ୍ରସବ ପରେ ମା’ ଫିଙ୍ଗିଥିବା ଅଭିଯୋଗ

author img

By ETV Bharat Odisha Team

Published : Dec 12, 2023, 5:41 PM IST

Updated : Dec 12, 2023, 7:49 PM IST

Woman throws newborn into borewell in Sambalpur: ସମ୍ବଲପୁର ରେଙ୍ଗାଲି ଲାରିପାଲି ଗ୍ରାମରେ ବୋରୱେଲ ଭିତରେ ନବଜାତ । ପ୍ରସବ ପରେ ମାଆ ଫିଙ୍ଗିଥିବା ନେଇ ଅଭିଯୋଗ । ଅଧିକ ପଢନ୍ତୁ

Woman throws newborn into borewell in Sambalpur
Woman throws newborn into borewell in Sambalpur

ବୋରୱେଲ ଭିତରେ ନବଜାତ; ଶୁଭୁଛି କ୍ରନ୍ଦନ ସ୍ବର, ପ୍ରସବ ପରେ ମା’ ଫିଙ୍ଗିଥିବା ଅଭିଯୋଗ

ସମ୍ବଲପୁର: ପୁଣି ବୋରୱେଲ ଭିତରେ ଜୀବନ । ଜିଲ୍ଲାର ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗ୍ରାମ ନିକଟସ୍ଥ ଶ୍ରୀରାମ ପଡିଆଠାରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ ଆଜି (ମଙ୍ଗଳବାର) ଅପରାହ୍ନ ସମୟରେ ଜଣେ ମହିଳା ପ୍ରସବ ପରେ ନବଜାତକକୁ ଉକ୍ତ ବୋରୱେଲରେ ପକାଇ ଦେଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକ ଏନେଇ ଜାଣିଲା ପରେ ଅଗ୍ନିଶମ ବାହିନୀ, ପୋଲିସ, ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବୋରୱେଲ ଭିତରୁ ନବଜାତର କ୍ରନ୍ଦନ ସ୍ବର ଶୁଭିଥିବା ବେଳେ ଡାକ୍ତର ଓ ଉଦ୍ଧାରକାରୀ ଟିମ ପହଞ୍ଚି ନବଜାତକୁ ଅକ୍ସିଜେନ ଦେଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ବୋରୱେଲ ଭିତରେ ପଡ଼ିଥିବା ନବଜାତକଟି କାନ୍ଦୁଥିବା ଜଣାପଡ଼ିଛି । ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି । ସ୍ଥାନୀୟ ଲୋକ ଓ ବିଡ଼ିଓଙ୍କ ସୂଚନା ଅନୁସାରେ ଆଜି ସକାଳେ ସ୍ଥାନୀୟ ମହିଳାମାନେ ଜଙ୍ଗଲକୁ କିଛି ଜଙ୍ଗଲ ଜାତ ଦ୍ରବ୍ୟ ଆଣିବାକୁ ଯାଇଥିବା ବେଳେ ଜଙ୍ଗଲ ଭିତରେ ଥିବା ଏକ ବହୁ ପୁରୁଣା ପରିତ୍ୟକ୍ତ ବୋରୱେଲ ଗାତ ଭିତରୁ ଏକ ଶିଶୁର କାନ୍ଦିବାର ଶବ୍ଦ ଶୁଣିଥିଲେ । ଏହା ପରେ ସ୍ଥାନୀୟ ଲୋକ ଜିଲ୍ଲା ପ୍ରଶାସନ ଓ ରେଙ୍ଗାଲି ଥାନାକୁ ଅବଗତ କରିଥିଲେ । ଏହା ପରେ ଘଟଣା ସ୍ଥଳକୁ ରେଙ୍ଗାଲି ବିଡ଼ିଓ, ସ୍ଥାନୀୟ ଥାନା ଅଧିକାରୀ, ତହସିଲଦାର ନିଜେ ଆସିବା ସହ ଅଗ୍ନିଶମ ବିଭାଗର ଟିମ, ସ୍ୱାସ୍ଥ୍ୟ ବିଭାଗର ଟିମ, ସ୍ଥାନୀୟ କଳ କାରଖାନାର ଉଦ୍ଧାରକରୀ ଦଳ ଆସି ପହଞ୍ଚିଥିଲେ ।

ଏହା ବି ପଢନ୍ତୁ- Bihar Borewell Tragedy: ସାମ୍ନାକୁ ଆସିଲା ଚିତ୍ର, ଅଣ୍ଟାଏ ପାଣିରେ ଫସିଛି ଶିବମ

ଏହାପରେ ଉଦ୍ଧାରକାରୀ ଟିମ ଗାତ ଭିତରକୁ ଅମ୍ଳଜାନ ପଠେଇଥିଲେ । ଏହାସହ ଶିଶୁକୁ ଉଦ୍ଧାର କରିବାକୁ ୩ଟି ଜେସିବି ଲାଗିଥିବା ବେଳେ ଉଦ୍ଧାରକାରୀ ଦଳ ବର୍ତ୍ତମାନ ବୋରୱେଲ ଗାତ ଚାରିପଟେ ମାଟି ଖୋଳୁଛି । ବୋରୱେଲଟି ୧୫ ଫୁଟ ଗଭୀର ହୋଇଥିବା ବେଳେ ଜେସିବି ସାହାଯ୍ୟରେ ଏହା ପାର୍ଶ୍ଵରେ ଗାତ ଖୋଳାଯାଇଛି । ବର୍ତ୍ତମାନ ମାନୁଆଲି ଗାତ ଖୋଳା ଯାଉଛି । ଘଟଣା ସ୍ଥଳରେ ଥିବା ଡାକ୍ତର ଶିଶୁଟି ଜୀବିତ ଥିବା କହିଛନ୍ତି l ଘଟଣା ସ୍ଥଳରେ ସବୁ ପ୍ରକାର ଲାଇଟ ଓ ଔଷଧ ମହଜୁଦ ରଖାଯାଇଛି l ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଓ ଏସଡିପିଓ ବର୍ତ୍ତମାନ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ।

ସୌଭାଗ୍ୟବଶତଃ ଶିଶୁଟି ବୋରୱେଲ ମଧ୍ୟରେ ଜୀବିତ ରହିଛି । ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ସୂଚନା ଥାଉ କି ଅନେକ ସମୟରେ ଏଭଳି ଘଟଣା ସାମ୍ନାକୁ ଆସୁଛି । ହେଲେ ଅନ୍ୟ ଘଟଣାରେ ବୋରୱେଲ ମଧ୍ୟରେ ଶିଶୁଟି ଅଜାଣତରେ ପଡ଼ିଯାଇଥାଏ । ହେଲେ ଏଠାରେ ନବଜାତର ମାଆ ତାକୁ ଫିଙ୍ଗିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସବୁ ଦିଗକୁ ଧ୍ୟାନରେ ରଖି ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ସମ୍ବଲପୁର

Last Updated :Dec 12, 2023, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.