ETV Bharat / state

ଜନଜାତି ସମୂହଙ୍କ ବିକାଶରେ ଖର୍ଚ୍ଚ ହେବ ୧୫ ହଜାର କୋଟି, ନିୟମଗିରିରେ ଖେଳିଲା ଖୁସିର ଲହରୀ

author img

By

Published : Feb 3, 2023, 4:56 PM IST

ଆଦିବାସୀଙ୍କ ପାଇଁ ୧୫ ହଜାର କୋଟିର ପ୍ୟାକେଜ
ଆଦିବାସୀଙ୍କ ପାଇଁ ୧୫ ହଜାର କୋଟିର ପ୍ୟାକେଜ

ଆଦିବାସୀ ଅଞ୍ଚଳରେ ଗଡିବ ବିକାଶ ଗାଡି । ଶିକ୍ଷା, ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ଗମନାଗମନା ଯାଏଁ ପ୍ରତିଟି ମୌଳିକ ସୁବିଧା ଉପଭୋଗ ଗରୀବ ଆଦିବାସୀ । ବଜେଟରେ ୧୫ ହଜାର କୋଟି ଟଙ୍କା ବ୍ୟୟବରାଦ ପରେ ନିୟମଗିରିରେ ଖେଳିଲା ଖୁସିର ଲହରୀ । ଅଧିକ ପଢନ୍ତୁ

ଆଦିବାସୀଙ୍କ ପାଇଁ ୧୫ ହଜାର କୋଟିର ପ୍ୟାକେଜ

ରାୟଗଡା: କେନ୍ଦ୍ର ବଜେଟରେ ଆଦିବାସୀଙ୍କ ବିକାଶକୁ ଗୁରୁତ୍ବ ଦେଇଛନ୍ତି ସରକାର । ଆଦିମ ଜନଜାତିଙ୍କ ବିକାଶ ପାଇଁ ପ୍ରଥମ ଥର ୧୫ ହଜାର କୋଟିର ପ୍ୟାକେଜ ଘୋଷଣା ହୋଇଛି । ଆସନ୍ତା ତିନି ବର୍ଷ ଭିତରେ ଏହି ଅର୍ଥ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବାସଗୃହ, ପରିମଳ ଓ ସ୍ବଚ୍ଛ ପାନୀୟ ଜଳ କ୍ଷେତ୍ରରେ ଖର୍ଚ୍ଚ ହେବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ବଜେଟ୍ ଉପସ୍ଥାପନ ସମୟରେ କହିଛନ୍ତି । ଏହି ଘୋଷଣା ପରେ ରାୟଗଡା ଜିଲ୍ଲାର ନିୟମଗିରି ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ବଜେଟ୍‌କୁ ନେଇ ଡ଼ଙ୍ଗରିଆ ଏବଂ ଲାଞ୍ଜିଆ ସଉରା ଆଦିମ ଜନଜାତି ବେଶ୍ ଆଶାବାଦୀ ରହିଛନ୍ତି । ବର୍ଷ ବର୍ଷ ଧରି ପ୍ରତିଟି କ୍ଷେତ୍ରରେ ଅବହେଳିତ ରହିଥିବା ଆଦିବାସୀମାନେ ନିଜ ଅଞ୍ଚଳର ବିକାଶ ପାଇଁ ସ୍ବପ୍ନ ଦେଖିଛନ୍ତି ।

ରାୟଗଡା ଜିଲ୍ଲାର ଭୌଗଳିକ ଚିତ୍ରାକୁ ଅନୁଧ୍ୟାନ କଲେ ଏଠାରେ ଦୁଇଟି ଆଦିମ ଜନଜାତି ବସବାସ କରୁଥିବା ଦେଖାଯାଏ । ଗୋଟିଏ ପଟେ ଗଜପତି-ରାୟଗଡା ସୀମାନ୍ତ ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟାସିଙ୍ଗ ଅଞ୍ଚଳରେ ଆଦିମ ଜନଜାତି ଲାଞ୍ଜିଆ ସଉରା ଏବଂ ଅନ୍ୟପଟେ କଳାହାଣ୍ଡି-ରାୟଗଡା ସୀମାନ୍ତ ନିୟମଗିରି ପର୍ବତମାଳାରେ ଡ଼ଙ୍ଗରିଆ କନ୍ଧ ସମ୍ପ୍ରଦାୟ ରହୁଛନ୍ତି । ରାୟଗଡା ଜିଲ୍ଲାର ତିନୋଟି ବ୍ଲକ କଲ୍ୟାଣସିଙ୍ଗପୁର, ବିଷମକଟକ ଏବଂ ମୁନିଗୁଡା ନିୟମଗିରି ପର୍ବତମାଳାର ୯୯ଟି ଗାଁରେ ଡଙ୍ଗରିଆ କନ୍ଧ ବସବାସ କରନ୍ତି । ସେମାନଙ୍କ ଜନସଂଖ୍ୟା ୧୦,୩୦୦ ରହିଛି । କିନ୍ତୁ ବିଡମ୍ବନାର ବିଷୟ, ସ୍ବାଧିନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏଠାରେ ପ୍ରାୟ ୫୦ ପ୍ରତିଶତ ଗାଁକୁ ମୌଳିକ ସୁବିଧା ପହଞ୍ଚି ପାରିନି । ଯାହାକି ଏଠାକାର ତୃଣମୂଳ ସ୍ତରର ବାସ୍ତବ ଚିତ୍ର ବୟାନ କରୁଛି ।

ରାୟଗଡା ଜିଲ୍ଲାରେ ଆଦିବାସୀଙ୍କ ଉନ୍ନତି ପାଇଁ ଦୁଇଟି ସରକାରୀ ସଂସ୍ଥା ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଏବଂ ଅନ୍ୟଟି ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଛି । ହେଲେ ସ୍ଥିତି ଯଥା ପୂର୍ବମ ତଥା ପରମରେ ରହିଯାଇଛି ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଏବେ କେନ୍ଦ୍ର ବଜେଟରେ ଆଦିବାସୀଙ୍କ କଲ୍ୟାଣ ପାଇଁ ୧୫ ହଜାର କୋଟି ଟଙ୍କା ବ୍ୟୟବରାଦ ପରେ ରାୟଗଡାର ଡଙ୍ଗରିଆ କନ୍ଧ ଓ ଲାଞ୍ଜିଆ ସଉରା ଜନଜାତିଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି ।

ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଦେଶର ୭୫ଟି ଆଦିମ ଜନଜାତି ପାଇଁ ୧୫,୦୦୦ କୋଟି ଟଙ୍କାର ଯୋଜନା କରିଛନ୍ତି । ଏହାଦ୍ବାରା ଦେଶର ପ୍ରାୟ ୩ ଲକ୍ଷ ୫୦ ହଜାର ଆଦିବାସୀ ଜନସାଧାରଣ ଉପକୃତ ହେବେ । ପରେ ଏଠିକାର ଆଞ୍ଚଳବାସୀଙ୍କ ଆଶା ଏବଂ ଆକାଂକ୍ଷା ବଢିଯାଇଛି । ପ୍ରଧାନମନ୍ତ୍ରୀ PVTG ବିକାଶ ମିଶନ ମାଧ୍ୟମରେ ଏମାନଙ୍କ ବିକାଶ କରାଯିବ । ସମାଜରେ ଥିବା ଅସୁରକ୍ଷିତ ଗୋଷ୍ଠୀଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଲାଗି ପ୍ରଧାନମନ୍ତ୍ରୀ PVTG ବିକାଶ ମିଶନକୁ ଲଞ୍ଚ କରାଯାଇଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.